ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଉତ୍କେଲା ଉଡ଼ାଜାହାଜ ପଡ଼ିଆରୁ ଆସନ୍ତା ୩୧ ତାରିଖରୁ ବିମାନ ସେବା ଆରମ୍ଭ କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାତ୍ର ୪ ଦିନ ପରେ ବହୁପ୍ରତୀକ୍ଷିତ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ କଳାହାଣ୍ଡିବାସୀଙ୍କ ଅଧୁରା ସ୍ବପ୍ନ ପୂରଣ ହେବାକୁ ଯାଉଥିବାରୁ ଜିଲ୍ଲାରେ ଖୁସିର ଲହରି ଦେଖାଯାଇଛି। ଆସନ୍ତା ଗୁରୁବାର ଦିନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଗ୍ୱାଲିଅରରୁ ଏହାର ଶୁଭାରମ୍ଭ କରିବାକୁ ଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ପତାକା ଦେଖାଇ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଉତ୍କେଲା ବିମାନ ବନ୍ଦରରେ ରାଜ୍ୟ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।
ପ୍ରକାଶ ଯେ, ଉତ୍କେଲା ଗ୍ରାମରେ ୧୯୬୨ ମସିହାରେ ଉଡ଼ାଜାହାଜ ପଡ଼ିଆ ସ୍ଥାପିତ ହୋଇଥିଲା। ସରକାର ୨୧ ଅକ୍ଟୋବର ୨୦୧୬ରେ ‘ଉଡ଼ାନ’ ଯୋଜନାରେ ଏହାକୁ ସାମିଲ କରି ଉତ୍କେଲାରୁ ବିମାନ ଚଳାଚଳ ପାଇଁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏଥିପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ସରିବା ପରେ କିଛିଦିନ ତଳେ ଉତ୍କେଲା ବିମାନବନ୍ଦର ଗସ୍ତରେ ଆସିଥିବା ଦିଲ୍ଲୀ (ଡିଜିସିଏ) ତରଫରୁ ୨-ବି ଲାଇସେନ୍ସ ଉତ୍କେଲା ବିମାନବନ୍ଦରକୁ ପ୍ରଦାନ କରାଯାଇଥିଲା। ତେବେ ଆସନ୍ତା ୩୧ ତାରିଖରୁ ବିମାନ ସେବା ଆରମ୍ଭ ହେବ ବୋଲି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମେ ଉତ୍କେଲାରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ଉତ୍କେଲାକୁ ବିମାନ ଚଳାଚଳ କରିବ। ପରବର୍ତ୍ତୀ ସମୟରେ ଉତ୍କେଲାରୁ ରାୟପୁରକୁ ସେବା ଆରମ୍ଭ ହେବ ବୋଲି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/flight-3.jpg)