ଝାରସୁଗୁଡ଼ା ବିମାନବନ୍ଦରରୁ ୨ ମାସ ପରେ ଉଡ଼ିଲା ବିମାନ, ଦିଲ୍ଲୀ ଓ ହାଇଦ୍ରାବାଦକୁ ଗଲା ୨ ବିମାନ

ଝାରସୁଗୁଡ଼ା : ଲକ୍‌ଡାଉନ୍‌ ଯୋଗୁଁ ବନ୍ଦ ଥିବା ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସୋମବାର ବିମାନ ଚଳାଚଳ ପୁଣି ଆରମ୍ଭ ହୋଇଛି। ସ୍ପାଇସ୍‌ ଜେଟ୍‌ କମ୍ପାନିର ୨ଟି ବିମାନ ଏଠାରୁ ନିର୍ଦ୍ଧାରିତ ସମୟର ୨/୩ ଘଣ୍ଟା ବିଳମ୍ବରେ ଉଡ଼ାଣ କରିଥିଲା। ଦିଲ୍ଲୀରୁ ଆସୁଥିବା ବିମାନ ଅପରାହ୍‌ଣ  ୩ ଟାରେ ୮୬ ଜଣ ଯାତ୍ରୀଙ୍କୁ ନେଇ ଏଠାରେ ଅବତରଣ କରିଥିବା ବେଳେ ପୁଣି ୬୩ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ସେହିପରି ହାଇଦ୍ରାବାଦରୁ ୨୦ ଜଣ ଯାତ୍ରୀଙ୍କୁ ନେଇ ଏଠାରେ ସାଢ଼େ ୩ ଟାରେ ଅବତରଣ କରିଥିବା ବିମାନ ପୁଣି ୪୩ ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦ ଯାତ୍ରା କରିଥିଲା। ମହାମାରୀ କରୋନାକୁ ଆଖି ଆଗରେ ରଖି ବିମାନବନ୍ଦରରେ କଡ଼ା ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମାସ୍କ ଓ ସାମାଜିକ ଦୂରତାକୁ ବିଶେଷ ଦୃଷ୍ଟି ଦିଆଯାଇ ଯାତ୍ରୀମାନଙ୍କର ଥର୍ମାଲ ଯାଞ୍ଚ କରାଯାଇଥିବା ବିମାନବନ୍ଦର ନିର୍ଦ୍ଦେଶକ କରୁଣାକରନ ପି. କହିଛନ୍ତି। ଆଜି ବିମାନ ଉଡ଼ାଣର ୩ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ଆସି ପହଞ୍ଚିଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା, ଲଗେଜ ଗୁଡ଼ିକ ସା‌ନିଟାଇଜ କରାଯାଇ ଭିତରକୁ ଛଡ଼ା ଯାଇଥିଲା। ଯେଉଁ ଯାତ୍ରୀମାନେ ଏଠାରେ ଅବତରଣ କଲେ ସେମାନଙ୍କ ମଧ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କର ରେଜିଷ୍ଟ୍ରେସନ୍‌ ଯାଞ୍ଚ କରାଯାଇଥିଲା ଓ ତାଙ୍କ ହାତରେ ଷ୍ଟାମ୍ପିଂ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଥିବା ୧୦ଟି ଟ୍ୟାକ୍ସିର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର