ଜୟପୁର : ଦିନେ ଚାଲିଲେ ଦୁଇ ଦିନ ବନ୍ଦ ରହୁଛି। ଚଳିତ ମାସରେ ଭୁବନେଶ୍ବରରୁ ଜୟପୁର ଏବଂ ଜୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ବିମାନସେବାରେ ଏମିତି ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦୁଇ ଦିନ ସେବା ବନ୍ଦ ରହିବା ପରେ ଆଜି ଇଣ୍ଡିଆ ୱାନ୍ ଏୟାର ବିମାନ ଜୟପୁରକୁ ଚଳାଚଳ କରିଥିଲା। ତେବେ ଏୟାର ଲାଇନ୍ କଂପାନି ଆଜି ପୁଣି ଆସନ୍ତା ଦୁଇ ଦିନ ପାଇଁ ସେବା ବନ୍ଦ ରହିବ ବୋଲି ଘୋଷଣା କରିଛି। ଆସନ୍ତା ଦୁଇ ଦିନ ପାଇଁ ଅଗ୍ରୀମ ଟିକେଟ୍ କରିଥିବା ଯାତ୍ରୀଙ୍କୁ ଆଜି ଫୋନ୍ କରି କଂପାନି ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେଣୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଜୁଲାଇ ମାସ ପ୍ରଥମ ସପ୍ତାହରୁ ହିଁ ବିମାନ ବିଳମ୍ବରେ ପହଞ୍ଚୁଛି କିମ୍ବା ଶେଷ ମୁହୂର୍ତ୍ତରେ ବାତିଲ ହେଉଛି। ବିଶେଷ କରି ଅଧିକାଂଶ ସମୟରେ ଜୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ବିମାନ ଯାତ୍ରା କରୁନି। ବାରମ୍ବାର ବାତିଲ ହେଉଥିବାରୁ ଜୟପୁରରୁ ବିଶାଖାପାଟଣା ଓ ବିଶାଖାପାଟଣାରୁ ଜୟପୁର ପର୍ଯ୍ୟନ୍ତ ଯାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୧୮ ଏବଂ ୧୯ତାରିଖରେ କଂପାନି ବୈଷୟିକ କାରଣ ଦର୍ଶାଇ ଦୁଇ ଦିନ ସେବା ବନ୍ଦ ରଖିଥିଲା। ଆଜି ପୁଣି ସେବା ଯୋଗାଇ ଦେଇଥିବା ବେଳେ ଆସନ୍ତାକାଲି ଠାରୁ ଦୁଇ ଦିନ ନିମନ୍ତେ ପୁଣି ସେବା ବନ୍ଦ ରଖିବ ବୋଲି ନିଷ୍ପତ୍ତି ନେଇଛି। ବର୍ଷା ଲାଗି ରହିଥିବାରୁ ପାଗକୁ ଦେଖି ଯନ୍ତ୍ରାଂଶ ମରାମତି ପାଇଁ ସେବାକୁ ବାତିଲ କରିଥିବା ସୂଚନା ମିଳିଛି। ୨୩ତାରିଖରୁ ପୁଣି ବିମାନ ଚଳାଚଳ କରିବ ବୋଲି ଜଣାପଡ଼ିଛି।