ଭୁବନେଶ୍ବର: ଆଜିଠାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଳାହାଣ୍ଡିର ଉତ୍‌କେଲା ବିମାନବନ୍ଦରକୁ ବିମାନ ଚଳାଚଳ ଆରମ୍ଭ ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିମାନବନ୍ଦରରେ ଉପସ୍ଥିତ ରହି ଏହି ବିମାନ ସେବାକୁ ଉଦ୍‌ଘାଟନ କରିଛନ୍ତି। ଆର୍‌ସିଏସ୍‌- ଉଡାନ୍ ଯୋଜନାରେ ଆରମ୍ଭ ହୋଇଥିବା ଏହି ବିମାନ ସେବାରେ ଇଣ୍ଡିଆ ୱାନ୍ ଏୟାର ସଂସ୍ଥା ୯ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରିବ। ବିମାନଟି ଭୁବନେଶ୍ବରରୁ ଉତ୍‌କେଲାରେ ପହଞ୍ଚିବାକୁ ୧ଘଣ୍ଟା ୧୦ମିନିଟ ସମୟ ନେବ। ବିମାନଟି ସକାଳ ୭ଟା ୧୫ରେ ଭୁବନେଶ୍ବରରୁ ବାହାରି ୮ଟା ୨୫ରେ ଉତ୍‌କେଲାରେ ପହଞ୍ଚିବ। ସେଠାରୁ ୮ଟା ୫୦ରେ ବାହାରି ଭୁବନେଶ୍ବରରେ ପୂର୍ବାହ୍ନ ୧୦ଟାରେ ପହଞ୍ଚିବ। ବିମାନଟି ଏବେ ମଙ୍ଗଳବାର ଓ ଗୁରୁବାର ଉଡ଼ାଣ କରିବା ପାଇଁ ଟିକେଟ୍ ବୁକିଂ ହେଉଛି। ଟିକେଟ୍‌ର ଦାମ୍ ୧୦୪୯ଟଙ୍କା ରହିଛି।

Advertisment

ଏହି ରୁଟ୍‌ରେ ବିମାନ ଚଳାଚଳ ଦ୍ବାରା ମାଣିକେଶ୍ବରୀ ମନ୍ଦିର, ଫୁରଲିଝରଣ ଜଳପ୍ରପାତ, ରାବନ୍ଧରା ଜଳପ୍ରପାତ, ଖରିଆପଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଆଦିକୁ ଅଧିକ ପର୍ଯ୍ୟଟକ ଯାତାୟତ କରିବେ। ଏହାସହ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ବରିଷ୍ଠ ଡାକ୍ତର, ପ୍ରଫେସର, କଳାହାଣ୍ଡିର ବ୍ୟବସାୟୀମାନେ ସୁବିଧାରେ ଯାତାୟତ କରିପାରିବେ ବୋଲି କୁହାଯାଉଛି। ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ସଚିବ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ଏବଂ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଉତ୍‌କେଲାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।