ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀପଠାରେ ଥିବା ବାଲିଯାତ୍ରା ପଡ଼ିଆରେ ଆଜି ବାୟୁସେନାର ଏୟାର୍ ସୋ’ ‘ସୂର୍ଯ୍ୟକିରଣ’ ସଫଳତାର ସହିତ ସଂପନ୍ନ ହୋଇଛି। ଆଜି ପୂର୍ବାହ୍ନ ୧୦ଟା ୨୦ ମିନିଟରେ ଏହି ଏୟାର ସୋ’ରେ ୯ଟି ହକ୍ ବିମାନ ସାମିଲ ହୋଇଥିଲେ। ବିମାନଗୁଡ଼ିକ ୫ଶହରୁ ୧ହଜାର ଫୁଟ୍ ଉଚ୍ଚରେ ନିଜର କଳାକୌଶଳ ପ୍ରଦର୍ଶନ କରିଥିଲେ। କୁଆଖାଇ ନଦୀପଠାର ଉଭୟ ପାର୍ଶ୍ବରେ ଲକ୍ଷାଧିକ ଦର୍ଶକ ଏୟାର ସୋ’ର ମଜା ନେଇଥିଲେ। କର୍ଣ୍ଣାଟକରୁ ଆସିଥିବା ୯ଟି ହକ୍ ବିମାନରେ ବାୟୁବୀରମାନେ ପ୍ରାୟ ୨୦ ମିନିଟ ଯାଏଁ ଚିତ୍ତାକର୍ଷକ କୌଶଳ ପ୍ରଦର୍ଶନ କରିଥିଲେ। ଏୟାର ସୋ’କୁ ମନଭରି ଉପଭୋଗ କରିବା ପରେ ବାଲିଯାତ୍ରା ପଡ଼ିଆ ଓ କୁଆଖାଇପଠାକୁ ଯାଇଥିବା ଲୋକଙ୍କର ଘରବାହୁଡ଼ା ପାଇଁ ଦୁର୍ଦ୍ଦଶା ଆରମ୍ଭ ହୋଇଯାଇଥିଲା।
/sambad/media/post_attachments/wp-content/uploads/2022/09/Fcw3VS7akAAeXZK-e1663329301142.jpg)
୧୬ ନମ୍ବର ଜାତୀୟ ରାଜପଥରୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇଥିବା ରାସ୍ତା ଦୁଇ ଥାକିଆ ହୋଇଛି। ମାତ୍ର ଆଜିର ଭିଡ଼ ଏଭଳି ଥିଲା ଯେ, ରାସ୍ତା ସଂକୀର୍ଣ୍ଣ ହୋଇଥିବା ଭଳି ମନେ ହେଉଥିଲା। ଏୟାର ସୋ’ ଶେଷ ହେବା ପରେ କୁଆଖାଇ ନଦୀ ବାଲିରେ ଥିବା ହଜାର ହଜାର ବାଇକ୍ ଓ କାର ରାସ୍ତା ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ। ଯାନବାହନଗୁଡ଼ିକୁ ନଦୀର ବାଲିପଠାରୁ ରାସ୍ତାକୁ ଚଢ଼ିବା ପାଇଁ ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଲାଗିଥିବା ବେଳେ ବାଲିଯାତ୍ରା ପଡ଼ିଆଠାରୁ ବିଜୁ କ୍ଲବ ପର୍ଯ୍ୟନ୍ତ ଏକ କିମି ରାସ୍ତା ଅତିକ୍ରମ କରିବା ପାଇଁ ଏକ ଘଣ୍ଟା ସମୟ ଲାଗିଥିଲା।
/sambad/media/post_attachments/wp-content/uploads/2022/09/Fcw3U9WacAAPxfd-e1663329218666.jpg)
ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ନିରାପତ୍ତା ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ସେହିପରି ଓଡ୍ରାଫ୍ ଟିମ୍ ସହ ୪୫ ସେକ୍ସନ୍ ଫୋର୍ସ ମୁତୟନ ଥିଲେ। ପ୍ରାୟ ୧୦୦ ଜଣ ପୁଲିସ ଅଧିକାରୀ ମଧ୍ୟ ମୁତୟନ ଥିଲେ। ପୂର୍ବରୁ କୁହାଯାଇଥିଲା ଯେ, ଏୟାର ସୋ’ ଦେଖିବା ପାଇଁ ପ୍ରାୟ ୫୦୦୦୦ ଲୋକ କୁଆଖାଇ ନଦୀପଠାରେ ପହଂଚିବେ। ବାସ୍ତବ ପକ୍ଷେ ଏହି ସୋ’ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କର ଭିଡ଼ ହୋଇଥିଲା, ଯେଉଁଥି ପାଇଁକି ଲୋକଙ୍କୁ ଏକ କିମି ରାସ୍ତା ଅତିକ୍ରମ କରିବା ପାଇଁ ଘଣ୍ଟାଏରୁ ଅଧିକ ସମୟ ଲାଗିଥିଲା।
/sambad/media/post_attachments/wp-content/uploads/2022/09/17f61ada-be5d-4b52-82b9-2c2b12cac2cd.jpg)
ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ମଧ୍ୟ ନାକେଦମ ହେବାକୁ ପଡ଼ିଥିଲା। ଦିନ ୯ଟା ହେବା ପରେ ରାଜଧାନୀବାସୀ କୁଆଖାଇ ଅଭିମୁଖେ ବାହାରିଥିଲେ। ଏକ ଘଣ୍ଟା ମଧ୍ୟରେ ବାଲିଯାତ୍ରା ପଡ଼ିଆ ଏବଂ ଏହାର ଆଖପାଖ ଅଞ୍ଚଳ ଲେକାରଣ୍ୟ ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବାଲିଯାତ୍ରାରେ ମଧ୍ୟ ଆଜିର ଭଳି ଭିଡ଼ ହୋଇ ନଥାଏ। ପୁଲିସ କର୍ମଚାରୀମାନେ ସକାଳ ୭ଟାରୁ ଅପରାହ୍ଣ ସାଢ଼େ ୧୨ଟା ପର୍ଯ୍ୟନ୍ତ ଯାତାୟତକୁ ନିୟନ୍ତ୍ରଣ କରୁଥିଲେ। ଭୀଷଣ ଗରମରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ କଡ଼ା ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥିଲା। ଏତେ ମାତ୍ରାରେ ଲୋକଙ୍କର ଭିଡ଼ ହେବ ବୋଲି ପୁଲିସ ବି ଭାବିପାରି ନ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/bb6f00eb-5ada-4206-9c2a-622c6a8745f8.jpg)