ପୁରୀ : ଉପରେ ନୀଳ ଆକାଶ, ତଳେ ସମୁଦ୍ରର ଉତ୍ତାଳ ଜଳରାଶି। ଆଉ ତା ମଧ୍ୟରେ ନାଲିଆ ଲଢୁଆ ହକ୍‌ ବିମାନର ଲୁଚକାଳି। ଗର୍ଜନ କରି ମାଡ଼ି ଆସୁଥିବା ବେଳେ ଆଖି ପିଛୁଳାକେ ଦୂର ଆକାଶର ବାଦଲରେ ମିଳେଇଯାଉଥିଲା। କେତେବେଳେ ହୀରକ ଆକୃତିରେ ଧୂଆଁ ଛାଡ଼ି ସାଥୀ ହୋଇ ଉଡୁଥିଲେ, ପୁଣି ସେଇ ମୁହୂର୍ତ୍ତରେ ପରସ୍ପରଠୁ ଦୂରେଇ ଯାଉଥିଲେ। ପୁରୀ ବେଳେଭୂମିରେ ସୂର୍ଯ୍ୟକିରଣ ଟିମ୍‌ର ଏପରି ଏୟାର ସୋ’ ଭରିଦେଇଥିଲା ଅପୂର୍ବ ଚମକ। ଶନିବାର ଦିନ ଫୁଲ ଡ୍ରେସ୍‌ ରିହରସାଲ ଅବସରରେ ଏହି ସାହସିକ ଦୃଶ୍ୟକୁ ଉପଭୋଗ କରିବା ପାଇଁ ବେଳାଭୂମି ଲୋକାରଣ୍ୟ ହୋଇଥିଲା। ବଡ଼ଦାଣ୍ଡରେ ମଧ୍ୟ ଲୋକେ ଛାତ ଉପରେ ଏଇ ଦୃଶ୍ୟ ଉପଭୋଗ କରିଥିଲେ। ପାଖ ଆକାଶରେ ଏହି ଆଚମ୍ବିତ କୌଶଳ ଦେଖିବା ପରେ ସମସ୍ତଙ୍କ ମୁହଁରୁ ସ୍ୱତଃ ବାହାରି ଆସୁଥିଲା ବାଃ..।

Advertisment

publive-image

ପ୍ରଥମଥର ପାଇଁ ଏହି ଦୃଶ୍ୟ ପ୍ରତ୍ୟକ୍ଷ କରିବାର ସୁଯୋଗ ମିଳୁଥିବାରୁ ସକାଳ ୮ଟାରୁ ବେଳାଭୂମିକୁ ଲୋକଙ୍କ ସୁଅ ଛୁଟିଥିଲା। ସମୟ ଯେତିକି ପଖାଉଥିଲା ଭିଡ଼ ସେତେ ବଢ଼ିଚାଲିଥିଲା। ପ୍ରବଳ ଖରା ସତ୍ତ୍ୱେ ଲୋକେ ବ୍ଲୁ ଫ୍ଲାଗ୍‌ ବିଚ୍‌ଠୁ ଆରମ୍ଭ କରି ନୀଳାଦ୍ରି ବିଚ୍‌ ଓ ଦିଗବାରେଣୀ ନିକଟସ୍ଥ ବେଳାଭୂମି ପର୍ଯ୍ୟନ୍ତ ଭିଡ଼ ଜମାଇଥିଲେ। ଠିକ୍‌ ୧୦ଟା ୧୮ ମିନିଟରେ ୯ଟି ଏମ୍‌-୧୩୨ ବିମାନ ଗର୍ଜନ କରି ଆକାଶରେଦେଖାଦେଇଥିଲେ। ପ୍ରାୟ ୧ହଜାର ଫୁଟ୍‌ ଉଚ୍ଚରେ ଘଣ୍ଟା ପ୍ରତି ୧୬୦୦ କିମି ବେଗରେ କ୍ଷିପ୍ର ଗତିରେ ଉଡ଼ିଯିବା ବେଳେ ଜନସମୁଦ୍ର ଅପଲକ ନୟନରେ ଚାହିଁରହିଥିଲେ।। ପ୍ରଥମେ କମ୍ପୋଜିଟ ତଥା ଏକକାଳୀନ ସମସ୍ତ ପାଇଲଟ କୌଶଳ ପ୍ରଦର୍ଶନ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏକୁଟିଆ କୌଶଳ ଦେଖାଇଥିଲେ। ହୀରକ, ଭରଟିକାଲ୍‌ ଚାର୍ଲି ଓ ଆରୋହେଡ୍‌ ସୋ’ ପ୍ରଦର୍ଶନ କରିଥିଲେ।

publive-image

ଅଦ୍ଭୁତ ପ୍ରଦର୍ଶନରେ ଅଭିଭୂତ ଆବାଳ ବୃଦ୍ଧବନିତା ବନ୍ଦେ ମାତରଂ ଓ ଭାରତ ମାତା କି ଜୟ ଧ୍ୱନୀରେ ସମଗ୍ର ବେଳାଭୂମିକୁ ପ୍ରକମ୍ପିତ କରୁଥିଲେ। ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଆୟୋଜିତ ଏହି ସୋ’କୁ ଗ୍ରୁପ କ୍ୟାପଟେନ ଜିଏସ୍‌ ଢାଲୋ, ଉଇଂ କମାଣ୍ଡର ଅତୁଲ, ସ୍କ୍ୱାର୍ଡନ୍‌ ଲିଡ଼ର ଭଲା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ଦିଲ୍ଲୀପ କୁମାର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଅତିରିକ୍ତ ଏସପି ମିହିର ପ୍ରସାଦ ପଣ୍ଡା, ମନ୍ଦିର କମିଟି ସଦସ୍ୟ ଓ କର୍ମକର୍ତ୍ତା, ସେବାୟତ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ସ୍ୱଛାସେବୀ, ଏନସିସି କ୍ୟାଡେଟ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

publive-image

ପ୍ରବଳ ଖରାରେ ଚେତା ହରାଇଲେ ପିଲା
ପ୍ରଥମଥର ଏହି ଏୟାର ସୋ’ ହେଉଥିବାରୁ କେହି ବି ଏହି ସୁଯୋଗକୁ ହାତଛଡ଼ା କରିବାକୁ ପ୍ରସ୍ତୁତ ନଥିଲେ। ମାତ୍ର ଖରାଟିଆ ପାଗ ଶତ୍ରୁ ସାଜିଥିଲା। ପ୍ରବଳ ଗୁଳୁଗୁଳି ବି ଥିଲା। ତେଣୁ କିଛି ଦର୍ଶକ ଓ ଏନ୍‌ସିସି କ୍ୟାଡେଟ୍‌ ମଧ୍ୟ ଚେତା ହରାଇଥିଲେ। କିଛି ପିଲାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଥିଲା। ଅନ୍ୟମାନଙ୍କୁ ସେଇଠାରେ ଚିକିତ୍ସା କରାଯାଇଥିଲା।

publive-image

ଆଜି ପୁଣିଥରେ
ଆଜି ପୁନର୍ବାର ଏହି ରୋମାଞ୍ଚକ ସୋ ଦେଖିବାର ସୁଯୋଗ ପାଇବେ ଦର୍ଶକ। ଏଥିପାଇଁ ଶନିବାର ଦିନ ପୁରୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପହଞ୍ଚି ସାରିଛନ୍ତି। ଆଜି ସକାଳ ୧୦ଟା୨୦ମିନିଟ୍‌ରେ ସୂର୍ଯ୍ୟକିରଣ ଟିମ୍‌ ସେମାନଙ୍କ ନୈପୁଣ୍ୟ ପ୍ରଦର୍ଶନ କରିବେ।