ଆଜି ପୁରୀରେ ସୂର୍ଯ୍ୟକିରଣ ଏୟାର ସୋ’

ପୁରୀ : ପ୍ରତିକୂଳ ପାଣିପାଗ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ପୁରୀ ବେଳାଭୂମିରେ ଆରମ୍ଭ ହେଉଥିବା ଏୟାର ସୋ’ ତାରିଖ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଥିବା ଏହି ସୋ’ ସେପ୍ଟେମ୍ବର ୧୭ ଓ ୧୮ ତାରିଖ, ଦୁଇଦିନ ଧରି ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟା ୨୦ରୁ ସୋ’ ଆରମ୍ଭ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରଦୀପ କୁମାର ସାହୁ କହିଛନ୍ତି।

ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ କହିଛନ୍ତି, ପାଣିପାଗ ବିଭାଗ ଆସନ୍ତା ୧୮ ତାରିଖରେ ଲଘୁଚାପ ପ୍ରଭାବରେ ବର୍ଷା ହେବାର ପୂର୍ବାନୁମାନ କରିଛି। ଏହା ଏୟାର ସୋ’ରେ ପ୍ରତିବନ୍ଧକ ସୃଷ୍ଟି କରି‌ପାରେ। ସେହି ଦୃଷ୍ଟିରୁ ସେପ୍ଟେମ୍ବର ୧୭ ତାରିଖରୁ ହିଁ ଦର୍ଶକଙ୍କ ପାଇଁ ଏହି ଏୟାର ସୋ’ ବ୍ୟବସ୍ଥା କରାଯାଇଛି। ଯଦି ପାଣିପାଗ ଅନୁକୂଳ ରୁହେ, ତେବେ ଆସନ୍ତା ୧୮ ତାରିଖରେ ବି ଦର୍ଶକ ଏହି ଏୟାର ସୋ’ ଦେଖିପାରିବେ। କିନ୍ତୁ ପାଗ ପ୍ରତିକୂଳ ରହିଲେ, ୧୮ ତାରିଖ ସୋ’ ବାତିଲ୍‌ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, କେବଳ ତାରିଖକୁ ଛାଡ଼ିଦେଲେ, ଅନ୍ୟ ସବୁ ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଦର୍ଶକ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ରହି ଏହି ଏୟାର ସୋ’ ଦେଖିପାରିବେ। ବ୍ଲୁ ଫ୍ଲାଗ୍‌ ବିଚ୍‌ ପାର୍କିଂ ସ୍ଥଳରେ ନିଜ ନିଜ ଗାଡ଼ି ପାର୍କିଂ କରିବେ। ଏହି ଦୁଇଦିନ ବ୍ଲୁ ଫ୍ଲାଗ୍‌ ବିଚ୍‌ ପ୍ରବେଶ ଓ ପାର୍କିଂ ଦେୟମୁକ୍ତ କରାଯାଇଛି। ଦର୍ଶକ ବ୍ଲୁ ଫ୍ଲାଗ୍‌ ବିଚ୍‌ର ଯେ କୌଣସି ସ୍ଥାନରେ ଛିଡ଼ା ହୋଇ ଏହି ଏୟାର ସୋ’ ‌ଦେଖିପାରିବେ। ଏଣୁ ସୋ’ ପୂର୍ବରୁ ଦର୍ଶକମାନେ ଆସିବାକୁ ଶ୍ରୀ ସାହୁ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ ସେଠୀଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୧୭ ଓ ୧୮ ତାରିଖ ଦୁଇଦିନ ଧରି ଲଢ଼ୁଆ ବିମାନରେ ଏୟାର ସୋ’ ଦେଖାଇବେ ବାୟୁସେ‌ନା। ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଓ ଯୁବଗୋଷ୍ଠୀଙ୍କୁ ବାୟୁସେନାରେ ଯୋଗଦାନ କରିବାର ଉତ୍ସାହ ଦେବା ପାଇଁ ଏହି ସୋ’ ପ୍ରଥମ ଥର ପୁରୀରେ ଆୟୋଜନ କରାଯାଇଛି। ହକ୍‌ ବିମାନଗୁଡ଼ିକ ୮ଶହରୁ ୯୦୦ ମିଟର ଉଚ୍ଚତାରେ କୌଶଳ ପ୍ରଦର୍ଶନ କରିବେ। ଦୁଇଦିନ ହେଲା ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’ ପାଇଁ ୩ଟି ହକ୍‌ ବିମାନ ଅଭ୍ୟାସ କରିଛନ୍ତି।

ସମ୍ବନ୍ଧିତ ଖବର