ରାଉରକେଲା: ମାତ୍ର ୧୫ ଶହ ମିଟର ଦୃଶ୍ୟମାନତାରେ ଏଥର ରାଉରକେଲାରୁ ବିମାନ ଉଡ଼ାଣ/ଅବତରଣ ହେବ। ଏନେଇ ଦୁଇ ଜଣ ତାଲିମପ୍ରାପ୍ତ ଏଟିସି ଅଧିକାରୀଙ୍କ ନିଯୁକ୍ତି ହୋଇସାରିଥିବାବେଳେ ସମସ୍ତ ପ୍ରକ୍ରିୟା ଶେଷ ହୋଇସାରିଛି। ବୁଧବାରଠାରୁ ପୁନର୍ବାର ବିମାନସେବା ଆରମ୍ଭବ ହେବବୋଲି କୁହାଯାଇଥିଲା; କିନ୍ତୁ ତାହା ଆଜି ସମ୍ଭବ ହୋଇପାରିନି। ଫଳରେ ରାଉରକେଲାରୁ ଭୁବନେଶ୍ବର ଯିବାକୁ ଟିକଟ୍ କରିଥିବା ୩୧ ଜଣଯାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି। ତେବେ ଗୁରୁବାରଠାରୁ ରାଉରକେଲା-ଭୁବନେଶ୍ବର ଓ କୋଲକାତା-ରାଉରକେଲା ବିମାନସେବା ଆରମ୍ଭ ହେବବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଉରକେଲାରେ ଜାନୁଆରି ୭ ତାରିଖରୁ ବିମାନସେବା ଆରମ୍ଭ ହୋଇଥିଲା। ବିଭିନ୍ନ କାରଣ, ଯଥା-ଏଟିଆର୍-୭୨ ବିମାନରେ ଯାନ୍ତ୍ରିକ ଓ ବୈଷୟିକ ସମସ୍ୟା, ଖରାପ ପାଣିବାଗ, ଇନ୍ଷ୍ଟ୍ରୁମେଣ୍ଟ୍ ଲ୍ୟାଣ୍ଡିଂ ସିଷ୍ଟମ୍(ଆଇଏଲ୍ଏସ୍) ଅଭାବରୁ ଅବତରଣ ସମ୍ଭବ ନ ହେବା, ବିମାନ ଡାଇଭର୍ସନ ଆଦି ଭିନ୍ନ ଭିନ୍ନ କାରଣରୁ ନଭେମ୍ବର ଯାଏ ୩୦ରୁ ଅଧିକ ଥର ଅଘୋଷିତ ବାତିଲ ହୋଇଥିଲା। ତେବେ ଡିସେମ୍ବର ୧୧ ତାରିଖରୁ ବିମାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ନିର୍ଦ୍ଦିଷ୍ଟ କେବେଠାରୁ ପୁନର୍ବାର ଆରମ୍ଭ ହେବ ସେନେଇ କଳ୍ପନାଜଳ୍ପନା ଲାଗିରହିଥିଲା। ତେବେ ସ୍ବତନ୍ତ୍ର ଭିଏଫ୍ଆର୍ ବଳରେ ଗୁରୁବାରଠାରୁ ସେବା ପୁନଃ ଆରମ୍ଭ ହେବବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ତେବେ ଏନେଇ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ) କିମ୍ବା ବିଭାନ ପରିଚାଳନାକାରୀ ସଂସ୍ଥା ଆଲିଆନ୍ସ ଏୟାର୍ ପକ୍ଷରୁ ଆନୁଷ୍ଠାନିକ ସୂଚନା ମିଳିପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/feaf7ed8-184d-4711-a3ab-4387bd861f3d.jpg)