ଫେବ୍ରୁଆରୀ ୨୪ରୁ ଏୟାର ଏସିଆର ଭୁବନେଶ୍ୱର-ଚେନ୍ନାଇ ବିମାନ ସେବା

ଭୁବନେଶ୍ୱର : ଶସ୍ତା ବିମାନସେବା କମ୍ପାନି ଏୟାର ଏସିଆ ଭୁବନେଶ୍ୱର- ଚେନ୍ନାଇ ବିମାନ ଚଳାଚଳ ବିଷୟରେ ଘୋଷଣା କରିଛି । ଆସନ୍ତା ଫେବ୍ରୁଆରୀ ୨୪ରୁ ଏହି ସେବା ଆରମ୍ଭ ହେବ । ଚେନ୍ନାଇ ଓ ଭୁବନେଶ୍ୱର ମଧ୍ୟରେ ଦିନକୁ ଦୁଇଥର ଚଳାଚଳ କରିବ । ପ୍ରଥମ ଫ୍ଲାଇଟଟି ସକାଳ ୯ରେ ଚେନ୍ନାଇ ଛାଡି ୧୦ଟା ୪୦ରେ ଭୁବନେଶ୍ୱର ପହଞ୍ଚିବ । ସେହିପରି ଏହା ଭୁବନେଶ୍ୱରୁ ୧୧ଟା ୦୫ରେ ଉଡାଣ ଭରି ଦିନ ୧୨ଟା ୫୦ରେ ଚେନ୍ନାଇରେ ପହଞ୍ଚିବ । ଏହି ଫ୍ଲାଇଟ୍‌ କେବଳ ମଙ୍ଗଳବାର ଛାଡି ଆଉ ସବୁଦିନ ଚାଲିବ । ଅନ୍ୟପକ୍ଷରେ ଆଉ ଏକ ଫ୍ଲାଇଟ୍‌ ସଂଧ୍ୟା ୭ଟା ୦୫ରେ ଚେନ୍ନାଇ ଛାଡି ୮ଟା ୪୫ରେ ଭୁବନେଶ୍ୱର ପହଞ୍ଚିବ ଓ ଏହା ୯ଟା ୧୫ରେ ଭୁବନେଶ୍ୱର ଛାଡି ରାତି ୧୧ଟାରେ ଚେନ୍ନାଇରେ ପହଞ୍ଚିବ ।

କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ଦେଶରେ ନିଜର ୧୭ତମ ଗନ୍ତବ୍ୟ ସ୍ଥଳ ପାଇଁ ଏହାର ୧୫ ତମ ଏୟାରକ୍ରାଫ୍ଟର ଶୁଭାରମ୍ଭ କରିଛି । ଚଳିତ ଥର ଏୟାରଲାଇନ୍‌ ପକ୍ଷରୁ ପ୍ରତ୍ୟେହ ୫ଟି ଫ୍ଲାଇଟ ଉଡ଼ାଣର ଶୁଭାରମ୍ଭ କରୁଥିବାବେଳେ ଏହା ଦକ୍ଷିଣ ଭାରତ ସହିତ ସଂଯୋଗ କରୁଛି, ଯେଉଁଥିରେ ଚେନ୍ନାଇରୁ ବେଙ୍ଗାଲୁର ଏବଂ ଭୁବନେଶ୍ୱର ଅନ୍ତର୍ଭୁକ୍ତ ।

ସମସ୍ତ ନୁତନ ରୁଟ ପାଇଁ ପଂଜୀକରଣ ବର୍ତ୍ତମାନ ଖୋଲା ରହିଛି । ଯାତ୍ରୀମାନେ ସର୍ବନିମ୍ନ ୧୨୯୯ ଟଙ୍କା ଏବଂ ୨୬୯୯ ଟଙ୍କାରେ ଯଥାକ୍ରମେ ବାଙ୍ଗାଲୋର – ଚେନ୍ନାଇ ଏବଂ ଭୁବନେଶ୍ୱର – ଚେନ୍ନାଇକୁ ଯାତ୍ରା କରିପାରିବେ ।

ଏୟାର ଏସିଆ ଇଣ୍ଡିଆ ପକ୍ଷରୁ ଚେନ୍ନାଇ ଏବଂ ବାଙ୍ଗାଲୋର ମଧ୍ୟରେ ପ୍ରତ୍ୟେହ ୩ ଟି ଫ୍ଲାଇଟ ଏବଂ ଚେନ୍ନାଇ ଏବଂ ଭୁବନେଶ୍ୱର ମଧ୍ୟରେ ପ୍ରତ୍ୟେହ ୨ଟି ଫ୍ଲାଇଟ ଉଡ଼ାଣ ଭରିବାର କାଯ୍ୟର୍କ୍ରମ ରହିଛି ।

ସମ୍ବନ୍ଧିତ ଖବର