ବ୍ୟାଙ୍କକ୍‌ ଯିବ ଏୟାର ଏସିଆ ବିମାନ : ଡିସେମ୍ବର ୬ରୁ ଉଡ଼ାଣ, ଚଳିତ ସପ୍ତାହରୁ ବୁକିଂ

ବିନା ସବ୍‌ସିଡିରେ ବିମାନ ସେବା ଯୋଗାଇବ

ଭୁବନେଶ୍ବର : ଭୁବନେଶ୍ବରରୁ ବ୍ୟାଙ୍କକ୍‌କୁ ପୁଣି ବିମାନ ସେବା ଆରମ୍ଭ ହେବ। କିନ୍ତୁ ଏଥର ଏୟାର ଇଣ୍ଡିଆ ନୁହେଁ। ଏୟାର ଏସିଆ କମ୍ପାନି ଭୁବନେଶ୍ବରରୁ ବ୍ୟାଙ୍କକ୍‌ର ଡନ୍ ମୁଏଙ୍ଗ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସିଧା ବିମାନ ଉଡ଼ାଣ ଆରମ୍ଭ କରିବ। ଏନେଇ ଡିଜିସିଏରୁ ଅନୁମତି ମିଳି ସାରିଥିବାବେଳେ ଚଳିତ ସପ୍ତାହରୁ ଏନେଇ ବୁକିଂ ଆରମ୍ଭ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯା‌ୟୀ, ଏବେ ସପ୍ତାହକୁ ସାତ ଦିନ ଭୁବନେଶ୍ବରରୁ ବ୍ୟାଙ୍କକ୍‌କୁ ସିଧା ବିମାନ ଉଡ଼ାଣ କରିବ। ଏଥିପାଇଁ ଏୟାର ଏସିଆ କମ୍ପାନି ରାଜ୍ୟ ସରକାରଙ୍କ ଠାରୁ ସବ୍‌ସିଡି ବି ନେବନି। କ୍ବାଲାଲମ୍ପୁରକୁ ପ୍ରତି ଉଡ଼ାଣ ପିଛା ପ୍ରାୟ ଏକ ଲକ୍ଷ ଟଙ୍କା ସବ୍‌ସିଡି ନେଉଥିବା ଏୟାର ଏସିଆ ଏହି ସବ୍‌ସିଡି ପାଇବା ସମୟରେ ରାଜ୍ୟ ସରକାରଙ୍କ ସହ ସର୍ତ୍ତ ରଖିଥିଲା ଯେ, ବିନା ସବ୍‌ସିଡିରେ ଆଉ ଏକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବ। ଏହି ସର୍ତ୍ତ ଅନୁଯାୟୀ, ଏୟାର ଏସିଆ ବିମାନ ସେବା ଆରମ୍ଭ କରିବାକୁ ଯାଉଛି। ଏନେଇ ଖୁବ୍ ଶୀଘ୍ର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଆନୁଷ୍ଠାନିକ ଭାବେ ଜଣାଇ ଦିଆଯିବ। ଡିଜିସିଏ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ ହେଁ କେଉଁ ସମୟରେ ଉଡ଼ାଣ ହେବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବାରୁ ଏୟାର ଏସିଆ ପକ୍ଷରୁ ବୁକିଂ ଆରମ୍ଭ ହୋଇନି ବୋଲି ଜଣାପଡ଼ିଛି।

ଅପରପକ୍ଷେ ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୨୮ କିମ୍ବା ଡିସେମ୍ବର ୬ରୁ ବିମାନ ଉଡ଼ାଣ କରିବାକୁ ଏୟାର ଏସିଆ କର୍ତ୍ତୃପକ୍ଷ ଯୋଜନା କରୁଥିଲେ। ବୁକିଂ ପାଇଁ ଅଧିକ ସମୟ ଦେବାକୁ ଯୋଜନା କରି ଏୟାର ଏସିଆ କର୍ତ୍ତୃପକ୍ଷ ଡିସେମ୍ବର ୬ରୁ ଏହି ଉଡ଼ାଣ ଆରମ୍ଭ କରିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି। ଏୟାର ଏସିଆର ଏୟାରକ୍ରାଫ୍ଟ-୩୨୦ ଭୁବନେଶ୍ବରରୁ ସିଧା ବ୍ୟାଙ୍କକ୍‌କୁ ଉଡ଼ାଣ କରିବ। ଏହି ୧୮୦ସିଟ୍ ବିଶିଷ୍ଟ ବିମାନ ରାତି ପ୍ରାୟ ୧୧ଟାରୁ ୧୨ଟା ମଧ୍ୟରେ ଭୁବନେଶ୍ବର ଛାଡ଼ିବ। ବ୍ୟାଙ୍କକ୍‌ରେ ଭୋର୍‌ରେ ପହଞ୍ଚିବ। ସେହିପରି ବିମାନଟି ବ୍ୟାଙ୍କକ୍‌ରୁ ସଂଧ୍ୟାରେ ଉଡ଼ାଣ ଆରମ୍ଭ କରି ଏଠାରେ ରାତି ୧୦ଟାରୁ ୧୧ଟା ମଧ୍ୟରେ ପହଞ୍ଚିବ। ଏନେଇ ଏୟାର ଏସିଆ ପକ୍ଷରୁ ଖୁବ୍ ଶୀଘ୍ର ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।

ସେହିପରି ଶୀତକାଳୀନ ଉଡ଼ାଣ ସୂଚୀରେ ବିମାନଟି ସପ୍ତାହକୁ ୭ଦିନ ଉଡ଼ାଣ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ଗ୍ରୀଷ୍ମକାଳୀନ ଉଡ଼ାଣ ସୂଚୀରେ ଏହା ସପ୍ତାହକୁ ୪ଦିନ ଉଡ଼ାଣ କରିବ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ୧୦ରେ ଭୁବନେଶ୍ବରରୁ ବ୍ୟାଙ୍କକ୍‌କୁ ସିଧା ବିମାନ ସେବା ଆରମ୍ଭ କରିଥିବା ଏୟାର ଇଣ୍ଡିଆ ଚଳିତବର୍ଷ ଜୁଲାଇ ୧୬ରୁ ହଠାତ୍ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ କରିଦେଇଥିଲା। ଏନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ ସୂଚନା ଦେଇନଥିଲେ। ପରବର୍ତ୍ତୀ ସମୟରେ କୁହାଯାଇଥିଲା ଯେ, ଡିସେମ୍ବର ୧ରୁ ପୁଣି ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହେବ। ଏନେଇ କେତେକ ଟିକେଟ୍ ବୁକିଂ ୱେବସାଇଟ୍‌ରେ ମଧ୍ୟ ସୂଚନା ଦିଆଯାଇଥିଲା। ହେଲେ ଏବେ ଏହାକୁ ହଟାଇ ଦିଆଯାଇଛି। ଫଳରେ ଏୟାର ଇଣ୍ଡିଆର ବ୍ୟାଙ୍କକ୍‌ ବିମାନ ଉଡ଼ାଣ ଅନିଶ୍ଚିତତାକୁ ଠେଲି ହୋଇଯାଇଛି।

ସମ୍ବନ୍ଧିତ ଖବର