ବିଶ୍ବଜିତ ଦାଶ
ଭୁବନେଶ୍ବର: ରାଜ୍ୟ ସରକାର ବିଦେଶକୁ ଯାଉଥିବା ବିମାନ ପାଇଁ ଯିବାଆସିବା ବାବଦକୁ ୧୦ଲକ୍ଷ ଟଙ୍କା, ୨ଦେଶ ଭିତରେ (ନୂଆ ରୁଟ୍) ଯିବାଆସିବା ବାବଦକୁ ୫ଲକ୍ଷ ଟଙ୍କା ଦେଉଛନ୍ତି। ଏଥିପାଇଁ ବର୍ଷକୁ ୧୫୦କୋଟିରୁ ଅଧିକ ଟଙ୍କା ସବ୍ସିଡି ବାବଦରେ ଦେବାକୁ ବ୍ୟବସ୍ଥା ହୋଇଛି। ଉଦ୍ଦେଶ୍ୟ ହେଲା, ଅଧିକରୁ ଅଧିକ ଓଡ଼ିଆ ଲୋକ ଯେପରି ବିମାନରେ ରାଜ୍ୟ ବାହାରକୁ ଯିବେ, ବିଦେଶ ଭ୍ରମଣ କରିପାରିବେ, ବିଦେଶକୁ ବିମାନ ଚାଲିଲେ ଅଧିକ ପର୍ଯ୍ୟଟକ ଆସିବେ, ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରାଯାଇପାରିବ। କିନ୍ତୁ ବିଡ଼ମ୍ବନାର ବିଷୟ, ବିଭିନ୍ନ ଏୟାରଲାଇନ୍ସ ଏବେ ସରକାରଙ୍କଠାରୁ ସବ୍ସିଡି ନେଉଥିଲେ ହେଁ ବିମାନ ଭଡ଼ା କମାଉନାହାନ୍ତି। ନିଜ ଇଚ୍ଛା ମୁତାବକ ଭଡ଼ା ନେଉଛନ୍ତି ଏବଂ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ସବ୍ସିଡି ଅର୍ଥ ବି ଲୁଟୁଛନ୍ତି।
ସରକାର ଯେଉଁ ଉଦ୍ଦେଶ୍ୟ ରଖି ଗତ ଅକ୍ଟୋବର ୨୪ରେ ଏକ ସଂକଳ୍ପପତ୍ର ମାଧ୍ୟମରେ ‘ଓଡ଼ିଶାରେ ନୂତନ ଗନ୍ତବ୍ୟସ୍ଥଳକୁ ବିମାନ ସେବା ସଂଯୋଗୀକରଣ ପାଇଁ ନୀତି’ ଆଣିଲେ, ତାହା ଏବେ କେତେକ ଅଧିକାରୀଙ୍କ ଯୋଗୁ ଏକ ହରିଲୁଟ୍ର ମାଧ୍ୟମ ପାଲଟିଛି। ପୂର୍ବର ବିଜେଡି ସରକାର ଅମଳରେ ଏହିପରି ବିଭିନ୍ନ ଏୟାରଲାଇନ୍ସକୁ ସବ୍ସିଡି ଦେବା ନିଷ୍ପତ୍ତିକୁ ଯେଉଁମାନେ କାର୍ଯ୍ୟକାରୀ କରୁଥିଲେ ଏବେ ବି ସେମାନଙ୍କ ହାତରେ ନୂଆ ନୀତିକୁ ସଫଳ କରିବାର ଦାୟିତ୍ବ ଦିଆଯାଇଥିବାରୁ ଏଥିରେ ଓଡ଼ିଶାବାସୀ କମ୍ ଉପକୃତ ହେଉଥିବାବେଳେ ଅଧିକାରୀମାନେ ଅଧିକ ଉପକୃତ ହେଉଥିବା କୁହାଯାଉଛି।
ଉଦାହରଣ ସ୍ବରୂପ, ସରକାରଙ୍କ ନୂଆ ନୀତିରେ ମାର୍ଚ୍ଚ ୩୦ରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଭୁବନେଶ୍ବରରୁ ପୋର୍ଟବ୍ଲେୟାରକୁ ଆରମ୍ଭ ହୋଇଥିବା ବିମାନ ସେବାକୁ ନିଆଯାଉ। ଏହି ବିମାନରେ ଯଦି ଜଣେ ଭୁବନେଶ୍ବରରୁ ପୋର୍ଟବ୍ଲେୟାରକୁ ଜୁନ୍ ୧୦ରେ ଯାଉଛନ୍ତି ତେବେ ଭଡ଼ା ବାବଦକୁ ୧୦୬୯୭ ଟଙ୍କା, ଜୁନ୍ ୧୫ରେ ଫେରିଲେ ୬୫୪୨ ଟଙ୍କା ଦେବାକୁ ପଡ଼ିବ। ଏହିପରି ମୋଟ୍ ୧୭୨୩୯ ଟଙ୍କା ଯିବା ଆସିବା ଭଡ଼ା। ସେହି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ରେ ଯଦି କେହି କୋଲକତାରୁ ପୋର୍ଟବ୍ଲେୟାରକୁ ଜୁନ୍ ୧୦ରେ ଯାଉଛନ୍ତି ତେବେ ଯିବା ବାବଦକୁ ୫୫୦୦ ଟଙ୍କା, ଫେରିବା ବାବଦକୁ ୮୩୬୩ ଟଙ୍କା ଏହିପରି ମୋଟ୍ ୧୩୮୬୩ ଟଙ୍କା ଦେବାକୁ ପଡ଼ିବ। ଅର୍ଥାତ୍ ଭୁବନେଶ୍ବର ଜଣେ ଯାଉଥିବା ଯାତ୍ରୀ କୋଲକତା ତୁଳନାରେ ଯାତାୟାତ ବାବଦକୁ ଅଧିକ ୩୩୭୬ ଟଙ୍କା ଗଣିବାକୁ ପଡ଼ୁଛି। ଯଦି ସମାନ ଅବଧିର ବିମାନ ଯାତ୍ରା, ସମାନ ଏୟାରଲାଇନ୍ସ ଗୋଟିଏ ରାଜ୍ୟରୁ କମ୍ ନେଉଛି, ଓଡ଼ିଶାରୁ କାହିଁକି ଅଧିକ ନେବ? ଏହି ପ୍ରଶ୍ନ ଉଠିବାର କାରଣ, ପଶ୍ଚିମବଙ୍ଗ ସରକାର ଏହିଭଳି ବିମାନ ସେବା ପାଇଁ ସବ୍ସିଡି ଦେଉନାହାନ୍ତି, କିନ୍ତୁ ଓଡ଼ିଶା ସରକାର ରାଉଣ୍ଡ ଟ୍ରିପ୍ (ଯିବାଆସିବା) ପିଛା ୫ଲକ୍ଷ ଟଙ୍କା ସବ୍ସିଡି ଦେଉଛନ୍ତି। ସେହିପରି ଭୁବନେଶ୍ବରରୁ ଅହମ୍ମଦାବାଦକୁ ଯାଉଥିବା ଇଣ୍ଡିଗୋ ବିମାନ ପାଇଁ ରାଜ୍ୟ ସରକାର ରାଉଣ୍ଡ ଟ୍ରିପ୍ ପିଛା ୫ଲକ୍ଷ ଟଙ୍କା ସବ୍ସିଡି ଦେଉଛନ୍ତି। ଅର୍ଥାତ୍ ବିମାନରେ ସବୁ ସିଟ୍ ପୂରଣ ହେଉ କି ନହେଉ ସରକାର କିନ୍ତୁ ୫ଲକ୍ଷ ଟଙ୍କା ଯିବାଆସିବା ବାବଦକୁ ଦେବେ। ହେଲେ ଏଥିରେ ଜୁନ୍ ୧୦ରେ ଭୁବନେଶ୍ବରରୁ ଅହମ୍ମଦାବାଦ ଗଲେ ୧୦୨୭୧ ଟଙ୍କା, ଏପରିକି ଆସନ୍ତାକାଲି ଯଦି ଯାଉଛନ୍ତି ୧୨୦୯୬ ଟଙ୍କା ଭଡ଼ା ଗଣିବେ। ଭୁବନେଶ୍ବରରୁ ଗୋଆକୁ ବି ଏହି ଯୋଜନାରେ ବିମାନ ଚାଲୁଛି। ଏଥିରେ ବି ଭଡ଼ା କେବେ ୫ ହଜାର ଟଙ୍କାରୁ କମୁନି। ଏଠାରେ ପ୍ରଶ୍ନ ଉଠୁଛି ଯଦି ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ରାଉଣ୍ଡ ଟ୍ରିପ୍ ପିଛା ଦେଉଛନ୍ତି ତେବେ ଏୟାରଲାଇନ୍ସ କାହିଁକି ଭଡ଼ା କମାଉନାହାନ୍ତି?
୧୫୦କୋଟିରୁ ଅଧିକ ସବ୍ସିଡି ଲୁଟିବାକୁ ଷଡ୍ଯନ୍ତ୍ର
ଅନ୍ୟ ରାଜ୍ୟରେ ଶସ୍ତା, ଓଡ଼ିଶାରେ ମହଙ୍ଗା
କେବଳ ଘରୋଇ ବିମାନ ସେବା ନୁହେଁ, ଅନ୍ତର୍ଜାତୀୟ ବିମାନ ସେବାରେ ପୂରା ହରିଲୁଟ୍ ହେଉଛି। ଉଦାହରଣ ସ୍ବରୂପ ଭୁବନେଶ୍ବର-ବ୍ୟାଙ୍କକ୍ ବିମାନ ସେବାକୁ ନିଆଯାଉ। ଏଥିରେ ଜୁନ୍ ୬ରେ ଯଦି କେହି ଭୁବନେଶ୍ବରରୁ ବ୍ୟାଙ୍କକ୍ ଯିବାକୁ ଇଣ୍ଡିଗୋ ବିମାନରେ ଟିକେଟ୍ ବୁକିଂ କରୁଛନ୍ତି ତେବେ ୮୪୯୭ ଟଙ୍କା ଭଡ଼ା ଦେବେ। ଜୁନ୍ ୧୪ରେ ଫେରିଲେ ୧୩୪୬୪ ଟଙ୍କା। ଏହିପରି ମୋଟ୍ ୨୧୯୬୧ ଟଙ୍କା କେବଳ ଯାତାୟାତ ଭଡ଼ା। ସେହିପରି କେହି କୋଲକତାରୁ ବ୍ୟାଙ୍କକ୍କୁ ଜୁନ୍ ୬ରେ ଯାଉଛନ୍ତି ତେବେ ୮୬୩୭ ଟଙ୍କା, ଜୁନ୍ ୧୫ରେ ଫେରିଲେ ୧୦୩୩୮ ଟଙ୍କା ଭଡ଼ା ଦେବେ। ଅର୍ଥାତ୍ ଯାତାୟାତ ବାବଦକୁ ୧୮୯୭୫ ଟଙ୍କା ଦେବେ। ଅର୍ଥାତ୍ ଭୁବନେଶ୍ବରରୁ ବ୍ୟାଙ୍କକ୍ ଗଲେ ଅଧିକ ୨୯୮୬ ଟଙ୍କା ଦେବାକୁ ପଡ଼ୁଛି। ଭୁବନେଶ୍ବରରୁ ସିଙ୍ଗାପୁରକୁ ମଧ୍ୟ ସମାନ ସ୍ଥିତି।
ସବୁଠୁ ବଡ଼ କଥା ହେଲା ରାଜ୍ୟ ସରକାରଙ୍କ ନୂଆ ନୀତି ପରେ ଇଣ୍ଡିଗୋ ଭୁବନେଶ୍ବରରୁ ଆବୁଧାବିକୁ ଜୁନ୍ ୧୨ରୁ ବିମାନ ସେବା ଆରମ୍ଭ କରିବ। ଏଥିରେ ରାଜ୍ୟ ସରକାରଙ୍କଠାରୁ ରାଉଣ୍ଡ ଟ୍ରିପ୍ ପିଛା ୧୦ଲକ୍ଷ ଟଙ୍କା ପାଇବ। ହେଲେ ଜୁନ୍ ୧୨ରେ ଯାଇ ୧୯ରେ ଫେରିବାକୁ ଥିବା ଯାତ୍ରୀଙ୍କୁ ୨୫୦୦୭ ଟଙ୍କା ଭଡ଼ା ଦେବାକୁ ପଡ଼ିବ। ସେହି ଇଣ୍ଡିଗୋ ଜୁନ୍ ୧୩ରେ ବିଶାଖାପାଟଣାରୁ ଆବୁଧାବିକୁ ବିମାନ ସେବା ଆରମ୍ଭ କରିବାକୁ ଥିବାବେଳେ ଜୁନ୍ ୧୩ରେ ଯାଇ ୨୦ରେ ଫେରିବାକୁ ଥିବା ଯାତ୍ରୀଙ୍କୁ ୨୬୫୫୧ ଟଙ୍କା ଭଡ଼ା ଦେବାକୁ ପଡ଼ିବ। କିନ୍ତୁ ଓଡ଼ିଶାରୁ ସବ୍ସିଡି ପାଉଥିବା ଏୟାରଲାଇନ୍ସ ଟିକେଟ ପିଛା ମାତ୍ର ୧୫୪୪ ଟଙ୍କା ଭଡ଼ା କମ୍ କରୁଛି।
ପୂର୍ବ ସରକାର ଏହିପରି ବିଦେଶକୁ ଅଧିକ ବିମାନ ଚଳାଚଳ ପାଇଁ ଇଣ୍ଡିଗୋ ସହ ଚୁକ୍ତି କରିଥିଲେ। ଏଥିରେ ବ୍ୟାଙ୍କକ୍, ସିଙ୍ଗାପୁରକୁ ଯିବାଆସିବା ଭଡ଼ା ୧୫ ହଜାର ଟଙ୍କା, ଦୁବାଇକୁ ୨୦ ହଜାର ଟଙ୍କା ଭଡ଼ା ଧାର୍ଯ୍ୟ କରିଥିଲେ। ଏଥିରେ ଏୟାରଲାଇନ୍ସ ସରକାରଙ୍କ ଧାର୍ଯ୍ୟ ଦାମ୍ରେ ଟିକେଟ୍ ବିକିବା ପରେ ବିମାନ ଚଳାଚଳ ବାବଦ ବାକି ଅର୍ଥ ସରକାରଙ୍କଠାରୁ ନେଉଥିଲା। କିନ୍ତୁ ସରକାର ଏବେ ରାଉଣ୍ଡ ଟ୍ରିପ୍ ପିଛା ୧୦ଲକ୍ଷ ଟଙ୍କା ଦେବା ପରେ ବିମାନ ଭଡ଼ା କମିବା ବଦଳରେ ଆହୁରି ବଢ଼ିଯାଇଛି।
ଏ ସଂପର୍କରେ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି ଯେ ପୂର୍ବରୁ ଭୁବନେଶ୍ବରରୁ ଦୁବାଇକୁ ଯାଉଥିବା ବିମାନ ପାଇଁ ରାଜ୍ୟ ସରକାର ଭିଜିଏଫ୍ ଦେଉଥିବା ବେଳେ ଏପ୍ରିଲ ୧ରୁ ଏହାକୁ ବନ୍ଦ କରାଯାଇଛି। ଏହି ରୁଟ୍ରେ ଯାତ୍ରୀ ହେଉଥିବାରୁ ସମୀକ୍ଷା ପରେ ଏହି ନିଷ୍ପତ୍ତି ହୋଇଛି। କିନ୍ତୁ ବ୍ୟାଙ୍କକ୍ ଓ ସିଙ୍ଗାପୁର ରୁଟ୍ରେ ଯାତ୍ରୀ ହେଉନଥିବାରୁ ପୂର୍ବରୁ ଚାଲିଥିବା ନିୟମ ବଦଳରେ ଏବେ ନୂଆ ନିୟମରେ ଏପ୍ରିଲ ୧ରୁ ରାଉଣ୍ଡ ଟ୍ରିପ୍ ପିଛା ସବ୍ସିଡି ଦିଆଯାଉଛି।