ଭୁବନେଶ୍ବର : ଓଡ଼ିଶାରୁ ଘରୋଇ କି ଅନ୍ତର୍ଜା‌ତୀୟ ବିମାନ ଉଡ଼ାଣ କରିବାକୁ ଏୟାରଲାଇନ୍ସ ରାଜି ହେଉନାହାନ୍ତି। ରାଜ୍ୟ ସରକାର ଯେଉଁ ଅଫର୍ ଦେଉଛନ୍ତି ତାହା ଏୟାରଲାଇନ୍ସକୁ ଆକର୍ଷଣ କରିପାରୁନି। ନା ଘରୋଇ ନା ବିଦେଶୀ ଏୟାରଲାଇନ୍ସ କାହା ମନକୁ ରାଜ୍ୟ ସରକାରଙ୍କ ଅଫର୍ ପାଉନି। ଫଳରେ ରାଜ୍ୟ ସରକାର ହକି ବିଶ୍ବକପ୍‌କୁ ନଜରରେ ରଖି ଭୁବନେଶ୍ବର, ଝାରସୁଗୁଡ଼ା ଓ ରାଉରକେଲାରୁ ଅଧିକ ବିମାନ ଉଡ଼ାଣ ପାଇଁ ଯେଉଁ ଯୋଜନା କରିଥିଲେ ତାହା ସମ୍ଭବ ହୋଇପାରି ନାହିଁ।

Advertisment

ଭୁବନେଶ୍ବରରୁ ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାର ସର୍ତ୍ତ ରଖିଥିଲେ ଯେ ବିମାନ ଭଡ଼ା ବାବଦକୁ ଯେତିକି ଅର୍ଥ ଖର୍ଚ୍ଚ ହେବ ତାହା ରାଜ୍ୟ ସରକାର ବହନ କରିବେ। ପ୍ରତିବଦଳରେ ଏୟାରଲାଇନ୍ସ ପ୍ରତି ଉଡ଼ାଣ ପିଛା ଯେତିକି ଟିକେଟ୍ ବୁକିଂ କରିବେ ସେହି ଅର୍ଥ ରାଜ୍ୟ ସରକାରଙ୍କୁ ଦେବେ। ଯିଏ ରାଜ୍ୟ ସରକାରଙ୍କ ଠାରୁ ଭଡ଼ା ବାବଦକୁ କମ୍‌ ଅର୍ଥ ନେବାକୁ କୋଟେସନ୍ ଦେବ ସେହି ସଂସ୍ଥାକୁ ରାଜ୍ୟ ସରକାର କାର୍ଯ୍ୟାଦେଶ ଦେବେ। ସମାନ ସର୍ତ୍ତ ଭୁବନେଶ୍ବର, ଝାରସୁଗୁଡ଼ା ଓ ରାଉରକେଲାରୁ ବିମାନ ଉଡ଼ାଣ କରିବାକୁ ଥିବା ଏୟାରଲାଇନ୍ସ ପାଇଁ ରଖିଲେ। ହେଲେ କୌଣସି ଏୟାରଲାଇନ୍ସ ଆବେଦନ କଲେନି।

ସମାନ ସର୍ତ୍ତରେ ଇଣ୍ଡିଗୋ ବିଦେଶକୁ ଉଡ଼ାଣ ପାଇଁ ରାଜି ହେଲା, ଘରୋଇ ଉଡ଼ାଣ ପାଇଁ ଆସିଲାନି

publive-image Image Courtesy of NDTV

ରାଜ୍ୟ ସରକାରଙ୍କ ଏହି ଟେଣ୍ଡରରେ ଯେପରି ଅଧିକ ଏୟାରଲାଇନ୍ସ ଭାଗ ନେବେ ସେଥିପାଇଁ ନୂଆଦିଲ୍ଲୀର ଓଡ଼ିଶା ଭବନରେ ଡିସେମ୍ବର ୨୩ରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ପରିବହନ ବିଭାଗ ପକ୍ଷରୁ ନିମନ୍ତ୍ରଣ ପାଇ ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଏୟାର ଏସିଆ ଇଣ୍ଡିଆ, ଇଣ୍ଟରଗ୍ଲୋବ୍ ଆଭିଏସନ୍ ଲିମିଟେଡ୍, ସ୍ପାଇସ୍ ଜେଟ୍, ଭିସ୍ତାରା, ଫ୍ଲାଇ ବିଗ୍, ଆକାଶ ଏୟାର, ଇଣ୍ଡିଆ ୱାନ୍ ଏୟାର ଭଳି ସଂସ୍ଥାର ସିଇଓ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଲେ। ସେମାନଙ୍କୁ ରାଜ୍ୟ ସରକାର ଯୋଜନା ବିଷୟରେ ବହୁତ ବୁଝାଇଲେ। ଏପରିକି ନିୟମରେ ଯଥାସମ୍ଭବ କେ‌ାହଳ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ବୈଠକରେ କିଛି ଏୟାରଲାଇନ୍ସ ରାଜ୍ୟ ସରକାରଙ୍କ ହଁରେ ହଁ ମିଶାଇଦେଲେ। ଏହାର ତିନିଦିନ ପରେ ଅର୍ଥାତ୍ ଡିସେମ୍ବର ୨୬ରେ ଟେଣ୍ଡର ଅବଧି ଡିସେମ୍ବର ୨୯ତାରିଖ ପର୍ଯ୍ୟନ୍ତ ବଢ଼ାଗଲା। ହେଲେ କେହି ଆବେଦନ କଲେନି। ସ୍ଥିତି ଏପରି ହୋଇଛି ଯେ ଏନେଇ ପରିବହନ ବିଭାଗର କୌଣସି ଅଧିକାରୀ ମୁହଁ ଖୋଲୁନାହାନ୍ତି।

publive-image Image Courtesy of Social News xyz

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ବସିଥିବା ବୈଠକରେ ୯ଟି ଏୟାରଲାଇନ୍ସର ଅଧିକାରୀଙ୍କୁ ଡକାଯାଇଥିଲେ ବି ଇଣ୍ଡିଗୋ ଏୟାରଲାଇନ୍ସ କର୍ତ୍ତୃପକ୍ଷଙ୍କୁ ଡକାଗଲାନି। କାରଣ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ କୌଣସି ଏୟାରଲାଇନ୍ସ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇନଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ନିର୍ଭର ପ୍ରତିଶ୍ରୁତି ପାଇବା ପରେ କେବଳ ଇଣ୍ଡିଗୋ ଏୟାରଲାଇନ୍ସ ଆବେଦନ କରିଥିଲା। ସିଙ୍ଗିଲ୍‌ ଟେଣ୍ଡର ସତ୍ତ୍ବେ ରାଜ୍ୟ ସରକାର ପୁଣି ଥରେ ଟେଣ୍ଡର ଆହ୍ବାନ ନକରି କ୍ୟାବିନେଟ୍‌ରେ ଏହାକୁ ଇନ୍‌ପ୍ରିନ୍ସିପୁଲ୍‌ ଅନୁମୋଦନ କରିଦେଲେ। ଏପରିକି ଇଣ୍ଡିଗୋ ଦୁବାଇ, ବ୍ୟାଙ୍କକ୍ ଓ ସିଙ୍ଗାପୁର ରୁଟ୍‌‌େର ପ୍ରତି ଉଡ଼ାଣ ପିଛା କେତେ ଟଙ୍କା ନେବ ତାହା ସ୍ଥିର ନକରି ବି ରାଜ୍ୟ ସରକାର ଆଗୁଆ ଅନୁମୋଦନ ଦେଇଦେଲେ। ଘରୋଇ ବିମାନ ଉଡ଼ାଣ କ୍ଷେତ୍ରରେ ଇଣ୍ଡିଗୋକୁ ପୁଣି ସୁଯୋଗ ଦେଲେ ବିଦେଶକୁ ବିମାନ ଉଡ଼ାଣ ପାଇଁ ହୋଇଥିବା ଟେଣ୍ଡର ଉପରେ ଅଙ୍ଗୁଳି ଉଠିବାର ଆଶଙ୍କା ଥିବାରୁ ପରିବହନ ବିଭାଗର ଅଧିକାରୀମାନେ ନୂଆଦିଲ୍ଲୀର ବୈଠକକୁ ଇଣ୍ଡିଗୋ ଅଧିକାରୀଙ୍କୁ ଡାକିଲେନି। କେବଳ ଏତିକି ନୁହେଁ, ଯଦି ଇଣ୍ଡିଗୋ ବିଦେଶକୁ ବିମାନ ଉଡ଼ାଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସର୍ତ୍ତରେ ରାଜି ହୋଇଗଲା, ତେବେ ଭୁବନେଶ୍ବର, ରାଉରକେଲା ଓ ଝାରସୁଗୁଡ଼ାରୁ ବିମାନ ଉଡ଼ାଣ କରିବାକୁ ସମାନ ସର୍ତ୍ତ ଥିଲେ ବି କାହିଁକି ଆବେଦନ କଲାନି? ସେନେଇ ଏବେ ପ୍ରଶ୍ନ ଉଠିଲାଣି।

publive-image

ପରିବହନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଏହା ବହୁତ କମ୍‌ ଦିନର ଟେଣ୍ଡର ହୋଇଥିବାରୁ ଏୟାରଲାଇନ୍ସଗୁଡ଼ିକ ଆବେଦନ କରିବାକୁ ଅମଙ୍ଗ ହେଉଥିଲେ। ଏଥିପାଇଁ ଆମେ ଦିଲ୍ଲୀରେ ଏୟାରଲାଇନ୍ସ ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିଥିଲୁ। ଏଥିରେ ଟେଣ୍ଡର ଆବେଦନରେ ବୋର୍ଡ ଅଫ୍ ଡାଇରେକ୍ଟର୍ସର ଅନୁମତି ଆବଶ୍ୟକ ଥିଲେ ହେଁ ଏହାକୁ କୋହଳ କରି ଆଟର୍ଣ୍ଣି ଫର୍ମ ଦେବାକୁ କହିଥିଲୁ। ଏପରିକି ଯେଉଁଭଳି ବିମାନ ଉଡ଼ାଇବେ (ସିଡ୍ୟୁଲ୍‌ କି ଚାଟାର୍ଡ) ସେହି ଅନୁଯାୟୀ ଟେଣ୍ଡର ପତ୍ରରେ ମୂଲ୍ୟାୟନ କରି ଚୟନ କରିବାକୁ ପ୍ରତିଶ୍ରୁତି ଦେଇଥିଲୁ। ସିଡ୍ୟୁଲ୍ ବିମାନ ଉଡ଼ା‌ଣ ପାଇଁ ଡିଜିସିଏ ଅନୁମତି ମିଳିବାର ବିଳମ୍ବ ହେଲେ ରାଜ୍ୟ ସରକାରଙ୍କ ଅନୁମତିରେ ଯେଉଁ ବିମାନ ଉଡ଼ାଇ ହେବ ତାହାକୁ ବି ଉଡ଼ାଇବାକୁ ପ୍ରସ୍ତାବ ଦେଇଥିଲୁ। ହେଲେ କେହି ଆବେଦନ କଲେନି। ଏହି ବୈଠକ‌ ପରେ ସ୍ପାଇସ୍ ଜେଟ୍ କେବଳ ଝାରସୁଗୁଡ଼ାରୁ ମୁମ୍ବାଇକୁ ପୁନଃ ବିମାନ ଚଳାଚଳ ଆରମ୍ଭ କରିଥିବା ବେଳେ ହାଇଦ୍ରାବାଦକୁ ପୂର୍ବଭଳି ବିମାନ ଉଡ଼ାଣ କରିବ ବୋଲି କହିଛି। ଆଉ କେହି ଆବେଦନ କରିନାହାନ୍ତି କି ବିମାନ ସେବା ଆରମ୍ଭ କରିବାର ଯୋଜନା ନାହିଁ।