ଭୁବନେଶ୍ବର: କଟକର ତ୍ରିଶୂଳିଆରୁ ଭୁବନେଶ୍ବର ବିମାନବନ୍ଦରକୁ ମେଟ୍ରୋ ରେଳ ଚାଲିବ। ଏଥିପାଇଁ ୫୯୨୯କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାରମ୍ଭିକ ଆକଳନ କରାଯାଇଛି। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତ ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ମଧ୍ୟ ଅନୁମୋଦନ କରିସାରିଛନ୍ତି। ଆସନ୍ତା ଜାନୁଆରି ୧ତାରିଖରେ ଏହାର ଶିଳାନ୍ୟାସ ହେବ ବୋଲି ଘୋଷଣା ହୋଇଛି। ମେଟ୍ରୋ ରେଳ ପ୍ରକଳ୍ପକୁ ୪ବର୍ଷରେ ଶେଷ କରିବାକୁ ନିଷ୍ପତ୍ତି ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି ଭୋର୍ ୪ଟା ୩୦ରେ ବରିଷ୍ଠ ଅଧିକାରୀଙ୍କ ସହ ପ୍ରକଳ୍ପ ନିର୍ମାଣ ସ୍ଥାନ ବୁଲି ଦେଖିବା ସହିତ ବିଶଦ ସମୀକ୍ଷା କରିଛନ୍ତି। କିପରି ଧାର୍ଯ୍ୟ ସମୟରେ କାମ ଆରମ୍ଭ ହେବ ଏବଂ ଶେଷ ହେବ ସେନେଇ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଗସ୍ତ ସମୟରେ ପାଣ୍ଡିଆନ ମେଟ୍ରୋ ରେଳ ପ୍ରକଳ୍ପର ବିଭିନ୍ନ ଦିଗ ନେଇ ଆଲୋଚନା କରିଥିଲେ। ବୈଠକରୁ ଜଣାପଡ଼ିଛି ଯେ ତ୍ରିଶୂଳିଆରୁ ବାହାରିବାକୁ ଥିବା ମେଟ୍ରୋ ରେଳ ୪୫ରୁ ୫୦ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ। ଏହା ମଧ୍ୟରେ ୨୦ଟି ଷ୍ଟେସନରେ ରହଣି କରିବ। କେଉଁ ଷ୍ଟେସନରେ ୩୦ସେକେଣ୍ଡ ତ କେଉଁଠି ୪୫ ସେକେଣ୍ଡ, ୧ମିନିଟ ପର୍ଯ୍ୟନ୍ତ ମେଟ୍ରୋ ରହଣି କରିବ। ପ୍ରଥମ ପର୍ଯ୍ୟାୟ ରୁଟ୍ ଚୂଡ଼ାନ୍ତ ହୋଇଛି। ଭବିଷ୍ୟତରେ ଭୁବନେଶ୍ବରରୁ ଖୋର୍ଦ୍ଧା, ପୁରୀ, କଟକ ସହରରେ ମେଟ୍ରୋ ରେଳ ସମ୍ପ୍ରସାରଣ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଜରିଆରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି।
ମେଟ୍ରୋ ରେଳ କାମ
ସମୀକ୍ଷା କଲେ ପାଣ୍ଡିଆନ
ଜାନୁଆରି ୧ରେ ଶିଳାନ୍ୟାସ
ତ୍ରିଶୂଳିଆରେ କେନ୍ଦ୍ରୀୟ ଡିପୋ
କଟକ ନେତାଜୀ ବସ୍ ଟର୍ମିନାଲ ଓ ତାଳଦଣ୍ଡା କେନାଲ ସ୍ଥିତି ଅନୁଧ୍ୟାନ
ଭୁବନେଶ୍ବରର ଓ କଟକ ମଧ୍ୟରେ ତ୍ରିଶୂଳିଆ ଏକ ପ୍ରମୁଖ ଜଙ୍କସନ୍ ଭାବେ ଗଢ଼ି ଉଠିବ। ଏହାସହିତ ବାଙ୍କୀ ଓ ଆଠଗଡ଼ ପଟରୁ ଦ୍ବୈତ ନଗରୀକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ହେବ। ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ତ୍ରିଶୂଳିଆ ନିକଟରେ ନିର୍ମାଣ କରାଯିବ। ଏଠାରେ ପ୍ରକଳ୍ପର କମାଣ୍ଡ ଓ କଣ୍ଟ୍ରୋଲ ବ୍ୟବସ୍ଥା ସହିତ ମେଟ୍ରୋ ଟ୍ରେନର ମରାମତି ଓ ଷ୍ଟାବଲିଂ ସୁବିଧା ମଧ୍ୟ ରହିବ। ମେଟ୍ରୋରେ ଯାତାୟତ କରିବାକୁ ଥିବା ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ତ୍ରିଶୂଳିଆ ଛକରେ ଏକ ନୂଆ ବସ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି। ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋ ଷ୍ଟେସନ ସହିତ ସମନ୍ୱିତ କରାଯାଇ ଏକକ ରହଣି ସ୍ଥଳ ଭାବରେ ବିକଶିତ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀ ପାଣ୍ଡିଆନ ଆଜି ଏହି ପ୍ରକଳ୍ପର ସମୀକ୍ଷା କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପରେ ସଂଶ୍ଳିଷ୍ଟ ଥିବା ବିଭିନ୍ନ ବିଭାଗ ଓ ଏଜେନ୍ସିଗୁଡ଼ିକର କାମର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ। ଭିତ୍ତିଭୂମି ସ୍ଥାପନ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୫-ଟି ନୀତି ଅନୁସରଣ କରି ପ୍ରକଳ୍ପ କାମ ଧାର୍ଯ୍ୟ ୪ବର୍ଷରେ ଶେଷ କରିବାକୁ ଅଧିକାରୀମାନେ ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ଯାତ୍ରୀଙ୍କ ପାଇଁ ଏକ ଉନ୍ନତ ଦକ୍ଷ ପରିବହନ ବ୍ୟବସ୍ଥାର ବିକାଶ ପାଇଁ ଏହି ପ୍ରକଳ୍ପରେ ସଦ୍ୟତମ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସହ ଅତ୍ୟାଧୁନିକ ଉପକରଣର ବ୍ୟବହାର କରାଯିବ। ଯାତ୍ରୀମାନେ ଯେପରି ସୁରୁଖୁରରେ ଏଠାରୁ ସବୁ ସ୍ଥାନକୁ ଯାତାୟତ କରିପାରିବେ ସେଥିପାଇଁ ଅନ୍ୟାନ୍ୟ ପରିବହନ ବ୍ୟବସ୍ଥାକୁ ମେଟ୍ରୋ ରେଳ ସହିତ ଯୋଡ଼ିବାକୁ ସେ ପରାମର୍ଶ ଦେବା ସହିତ ଭବିଷ୍ୟତରେ ଯେପରି ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ପାରିବ ତାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ, ମେଟ୍ରୋ ରେଳ ତ୍ରିଶୂଳିଆରୁ ଆରମ୍ଭ ହୋଇ ନନ୍ଦନକାନନ, କିଟ୍ ଛକ, ଡମଣା, ଜୟଦେବବିହାର, ବାଣୀବିହାର, ରାମମନ୍ଦିର, ଭୁବନେଶ୍ବର ରେଳ ଷ୍ଟେସନ, ବାପୁଜୀ ନଗର, ଶିଶୁ ଭବନ, କ୍ୟାପିଟାଲ ହସ୍ପିଟାଲ ହୋଇ ବିମାନବନ୍ଦର ନିକଟରେ ପହଞ୍ଚିବ। ଏଥିରେ ୨୦ଟି ଷ୍ଟେସନ ରହିବ। ମେଟ୍ରୋ ଚଳାଚଳ କଲେ ବି ଯେପରି ଅନ୍ୟ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବନି ସେଥିପାଇଁ ଏହାକୁ ଏଲିଭେଟେଡ୍ ଡିଜାଇନ୍ରେ ନିର୍ମାଣ କରାଯିବ। ଅର୍ଥାତ୍ ରାସ୍ତା ପାର୍ଶ୍ବରେ କିମ୍ବା ମେଡିଆନ୍ ଉପରେ ସୁଉଚ୍ଚ ଫ୍ଲାଏଓଭର ଡିଜାଇନ୍ର ରେଳ ଧାରଣା ବିଛାଯିବ। ଏହି ଅବସରରେ ଶ୍ରୀ ପାଣ୍ଡିଆନ ଅଚାନକ ଭାବେ କଟକ ନେତାଜୀ ବସ ଟର୍ମିନାଲ ପରିଦର୍ଶନ କରି ସେଠାରେ ସାଧାରଣ ଲୋକ ଓ ଯାତ୍ରୀଙ୍କ ଠାରୁ ମତାମତ ନେବା ସହ ଟର୍ମିନାଲ ପରିସରର ପରିଷ୍କାର ପରିଚ୍ଛନ୍ନତା ପରଖିଥିଲେ। ଯାତ୍ରୀଙ୍କ ବ୍ୟତୀତ ଦୋକାନୀ, ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥା, ବସ୍ ଅପରେଟର ଓ ଅନ୍ୟ ଷ୍ଟାଫ୍ଙ୍କ ସହ କଥାବାର୍ତ୍ତା ହୋଇ ଅଧିକାରୀମାନଙ୍କୁ ସମନ୍ୱିତ ସୂଚନା ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେ ରୂପାନ୍ତରିତ ତାଳଦଣ୍ଡା କେନାଲ ମଧ୍ୟ ପରିଦର୍ଶନ କରିଥିଲେ। କଟକ ସହରବାସୀଙ୍କ ପାଇଁ ମନୋରଂଜନ ବ୍ୟବସ୍ଥାର ବିକାଶ ପାଇଁ କେନାଲ କଡ଼େ କଡ଼େ ସୌନ୍ଦର୍ଯ୍ୟୀକରଣ ବ୍ୟବସ୍ଥାର ବିକାଶ କରିବାକୁ ପରାମର୍ଶ ଦେଇଥିଲେ। ଆଜି ଶ୍ରୀ ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିସନର ଅନୁ ଗର୍ଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, କଟକ ଜିଲ୍ଲା ପ୍ରଶାସନ, ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଗସ୍ତ କରିଥିଲେ।