ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଟେଲ୍, ସପିଂ ମଲ୍ ନିର୍ମାଣ ଉପରେ ସାଧାରଣ ପ୍ରଶାସନ ବିଭାଗ ରୋକ୍ ଲଗାଇବା ପରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ହୋଟେଲ୍ ନିର୍ମାଣ ନେଇ ବିଡିଏ କି ବିଏମ୍ସିର ଅନୁମତି ନିଆଯାଇନଥିବାରୁ ଏବଂ ବିଡିଏର ମାଷ୍ଟରପ୍ଲାନ୍ ଅନୁଯାୟୀ ଏହି ନିର୍ମାଣ ହେଉନଥିବାରୁ ଏହା ଉପରେ ରୋକ୍ ଲଗାଯାଇଥିବା ସାଧାରଣ ପ୍ରଶାସନ ବିଭାଗ କହିଛି। କିନ୍ତୁ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ଆମ ମାଷ୍ଟରପ୍ଲାନ୍ ଅନୁଯାୟୀ, ବିମାନବନ୍ଦର ପରିସରରେ ହୋଟେଲ ସପିଂ ମଲ୍ ନିର୍ମାଣ ଯୋଜନା ଅଛି। ତେଣୁ ଆମେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛୁ।
ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ, ଆମେ ହୋଟେଲ ଓ ସପିଂ ମଲ୍ ନିର୍ମାଣ ପାଇଁ ଏକ ଘରୋଇ ସଂସ୍ଥାକୁ ଆର୍ଏଫ୍ପି ପ୍ରସ୍ତୁତ କରିବାକୁ ଦେଇଥିଲୁ। ଉକ୍ତ ସଂସ୍ଥା ବୋଧହୁଏ ବିଡିଏ/ବିଏମ୍ସି ସହ ଆଲୋଚନା କରିନି। ଯେଉଁଥିପାଇଁ ଏହି ପରିସ୍ଥିତି ଉପୁଜିଲା। କିନ୍ତୁ ଆମେ ହୋଟେଲ ସପିଂମଲ୍ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବୁ। ରାଜ୍ୟ ସରକାର ସର୍ବଦା ବିମାନବନ୍ଦରର ଉନ୍ନତିକରଣ ନେଇ ସକାରାତ୍ମକ ମନୋଭାବ ଦେଖାଇଛନ୍ତି ଓ ସହଯୋଗ କରିଛନ୍ତି। ତେଣୁ ଏବେ ରାଜ୍ୟ ସରକାର ଆମକୁ ସହଯୋଗ କରିବେ ବୋଲି ଆମର ଆଶା ଅଛି। ବିମାନବନ୍ଦରରେ ହେଉଥିବା ନିର୍ମାଣ ପାଇଁ କିଛି ଉପାୟ ନିଶ୍ଚିତ ବାହାରିବ।
ଶ୍ରୀ ହୋତା କହିଛନ୍ତି ଯେ, ବିମାନବନ୍ଦର ନିକଟରେ ହୋଟେଲର ଆବଶ୍ୟକତା ଅଛି। ଏହା ବିମାନବନ୍ଦରକୁ ଆସୁଥିବା ଏବଂ ଭୁବନେଶ୍ୱରକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସହାୟକ ହେବ। ନୂଆଦିଲ୍ଲୀ ବିମାନବନ୍ଦର ନିକଟରେ ଏରୋସିଟି ହୋଇଥିବାବେଳେ ୭ରୁ ୮ଟି ହୋଟେଲ ଅଛି। ଭୁବନେଶ୍ୱର ସ୍ମାର୍ଟ ସିଟି ହୋଇଥିବାବେଳେ ଆମ ବିମାନବନ୍ଦରରେ ବି ସମସ୍ତ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ ହେବ। ସେହିପରି ଆମେ ହୋଟେଲ ଓ ସପିଂ ମଲ୍ ପାଇଁ ଯେଉଁ ଟେଣ୍ଡର କରିଛୁ ତାହାକୁ ନିର୍ଦ୍ଧାରିତ ସମୟରେ ଖୋଲିଲେ ବି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଟେଣ୍ଡର ପାଇଥିବା ସଂସ୍ଥାକୁ ଆଓ୍ଵାର୍ଡ କରିବୁନି। ରାଜ୍ୟ ସରକାରଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ପରେ ଯାହା ନିଷ୍ପତ୍ତି ନିଆଯିବ।
ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବିମାନବନ୍ଦର କର୍ତ୍ତୃପକ୍ଷ
/sambad/media/post_attachments/wp-content/uploads/2017/10/download-10-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)