ଭୁବନେଶ୍ବର : କରୋନା ପରେ ଦେଶର ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ହେଉଛି। ଏହି ସମୟରେ ଲୋକମାନଙ୍କ ବିମାନଯାତ୍ରା ଆଶାତୀତ ଭାବେ ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି ଦେଶର ବିମାନବନ୍ଦରଗୁଡ଼ିକର ସମ୍ପ୍ରସାରଣ କରିବା ସହ କ୍ଷମତା ବଢ଼ାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ହାରୋର ଅଧ୍ୟକ୍ଷ ଜେ କେ ମହାନ୍ତି।

Advertisment

ଶ୍ରୀ ମହାନ୍ତି ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ୨୦୧୯ ତୁଳନାରେ ଚଳିତବର୍ଷ ୧୩୭ ପ୍ରତିଶତ ଅଧିକ ଭାରତୀୟ ବିଦେଶ ଯାତ୍ରା କରିଛନ୍ତି। ଏହା ପ୍ରମାଣ କରୁଛି ଯେ ଭାରତବର୍ଷରେ ମୁଣ୍ଡପିଛା ଆୟ ବଢ଼ିଛି। ବିଦେଶ ଯାତ୍ରା ନିମନ୍ତେ ଲୋକମାନେ ଚେକ୍‌ଇନ୍‌, ସୁରକ୍ଷା ଯାଞ୍ଚ ଓ ଫ୍ଲାଇଟ୍‌ ଚଢ଼ିବା ପାଇଁ ଛିଡ଼ା ହୋଇ ଘଣ୍ଟା ଘଣ୍ଟା ସମୟ ବରବାଦ କରୁଛନ୍ତି। ଭିଭିଆଇପିମାନେ ଏହି ନିର୍ଯାତନାର ଶୀକାର ହେଉନାହାନ୍ତି। ତେଣୁ ସେମାନେ ସାଧାରଣ ଯାତ୍ରୀଙ୍କ ଯନ୍ତ୍ରଣା ବୁଝି ପାରୁ ନାହାନ୍ତି। ଯଦିଓ ବିଭିନ୍ନ ବିମାନବନ୍ଦରର ଉନ୍ନତୀକରଣ କରାଯାଇଛି, ଭିତ୍ତଭୂମିର ବିକାଶ କରାଯାଇଛି ତଥାପି ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି କାରଣରୁ ଉନ୍ନତୀକରଣ ତୁଳନାରେ ଚାହିଦା ଆହୁରି ବଢ଼ି ଯାଇଛି। ଏଣୁ ବିଭିନ୍ନ ମେଟ୍ରୋ ସିଟିମାନଙ୍କରେ ବିମାନବନ୍ଦରଗୁଡ଼ିକର କ୍ଷମତା ତିନିଗୁଣ କରିବାରେ ଆବଶ୍ୟକତା ରହିଛି। ଏହା ସହ ବିଭିନ୍ନ ରାଜ୍ୟରେ ଅତ୍ୟଧିକ ଭିଡ଼ ହେଉଥିବା ବିମାନବନ୍ଦରଗୁଡ଼ିକର ଭିତ୍ତିଭୂମି ସୁବିଧା ଦ୍ବିଗୁଣିତ କରାଯାଉ ବୋଲି ଶ୍ରୀ ମହାନ୍ତି ପ୍ରସ୍ତାବ ଦେଇଛନ୍ତି।