ପୁରୀ ସିପସରୁବାଲିରେ ନିର୍ମାଣ ହେବ ବିମାନବନ୍ଦର

ଭୁବନେଶ୍ୱର: ପୁରୀ ସିପସରୁବାଲିରେ ବିମାନବନ୍ଦର ନିର୍ମାଣ ହେବ । ପ୍ରସ୍ତାବିତ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ହୋଇଛି । ଏହି ବିମାନବନ୍ଦର ୧ ହଜାର ଏକର ଜମିରେ ପ୍ରତିଷ୍ଠା ହେବ । ଭୁବନେଶ୍ୱରରୁ ପୁରୀକୁ ୬ ଥାକିଆ ଏକ୍ସପ୍ରେସ ହାଇୱେ ସଂଯୋଗ କରିବ । ରନ୍-ୱେ କେଉଁଠାରେ ହେବ, ସେନେଇ ଅନୁଧ୍ୟାନ କରାଯାଉଛି । ବିମନବନ୍ଦର ପାଇଁ ଏୟାରପୋର୍ଟ ଅଥରଟି ଆଫ୍ ଇଣ୍ଡିଆ ସହିତ ରାଜ୍ୟ ସରକାର ଆଲୋଚନା କରୁଛନ୍ତି । ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରି ୧ ତାରିଖରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ମୁଖ୍ୟମନ୍ତ୍ରୀ ବିମାନବନ୍ଦରର ନାମ ଶ୍ରୀ ଜଗନ୍ନାଥ ବିମାନବନ୍ଦର ରଖିବାକୁ ପ୍ରସ୍ତାବ ଦେଇଥିଲେ ।

ସୂଚନାଯୋଗ୍ୟ, ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଏୟାରପୋର୍ଟ ଅଥରଟି ଆଫ୍ ଇଣ୍ଡିଆର ୪ ଜଣିଆ ଟିମ୍ ଗତକାଲି ଠାରୁ ପୁରୀ ଆସିଥିଲେ । ସେମାନଙ୍କ ସହିତ ଭୁବନେଶ୍ୱରରୁ ୨ ଜଣ ଅଧିକାରୀ, ପୁରୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ବିମାନବନ୍ଦର ପାଇଁ ସ୍ଥାନ ବୁଲି ଦେଖିଥିଲେ । ସିପସରୁବାଲିରେ ଜାଗା ଦେଖିବା ପରେ ରାଜ୍ୟ ସରକାରଙ୍କ ସହିତ ଏହି କେନ୍ଦ୍ରୀୟ ଟିମ ଆଲୋଚନା କରିଛନ୍ତି । ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ହେବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ କାମ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର