ବିଶ୍ବ ଆକାଶ ପଥରେ ଯୋଡ଼ିହେଲା ଜୟପୁର: ଆସିଲେ ୬, ଗଲେ ୯ ଯାତ୍ରୀ

ବଡ ବିମାନ ଚଳାଚଳ ଥ୍ରୀ-ସି ଲାଇସେନସ୍ ସର୍ଭେ ୩ ମାସରେ ସରିବ: ଜିଲ୍ଲାପାଳ

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ବହୁଦିନର ସ୍ବପ୍ନ ଭୁବନେଶ୍ବର-ଜୟପୁର ବିମାନସେବା ଆଜି ପୂରଣ ହୋଇଛି। ଜିଲ୍ଲାର ବଡ଼ସହର ଜୟପୁର ପୁଣି ଥରେ ବିଶ୍ବସ୍ତରରେ ଆକାଶପଥରେ ଯୋଡ଼ି ହୋଇଛି। ଏହି ବିମାନସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ଉଦ୍ଘାଟନ କରିଛନ୍ତି। ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଇଣ୍ଡିଆ ୱାନ ଏୟାରର ୯ ସିଟ୍ ବିଶିଷ୍ଟ ବିମାନ ସକାଳ ୧୦ଟା ୪୫ରେ ବାହାରି ଜୟପୁର ବିମାନବନ୍ଦରରେ ୧୨ଟା ୨୫ରେ ପହଚିଂଥିଲା। ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଜୟପୁର ବିମାନବନ୍ଦରରେ ପ୍ରସାରଣ କରାଯାଇଛି। ସୂଚନାଯୋଗ୍ୟ, ଗତ ୨୦ତାରିଖ ଦିନ ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡିବା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦଆଯାଇଥିଲା। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର, ଭୁବନେଶ୍ବର-ଜୟପୁର ବିମାନ ଉଡିବା ପାଇଁ ବିଞପ୍ତି ପ୍ରକାଶ କରିଥିଲା। ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ଟୁଇଟ୍ କରି ୩୧ତାରିଖରୁ ଭୁବନେଶ୍ବର –ଜୟପୁରକୁ ବିମାନ ଚଳାଚଳ କରିବା ସାଙ୍ଗକୁ ଅଫର ପ୍ରାଇସ୍ ଭାବେ ୯୯୯ଟଙ୍କା ରଖାଯାଇଥିଲା। ଏହା ପରେ ୬ଜଣ ଯାତ୍ରୀ ପ୍ରଥମ ଥର ଭୁବନେଶ୍ବରରୁ ଜୟପୁର ଯାତ୍ରା କରିବା ପାଇଁ ଇଣ୍ଡିଆ ୱାନ ଏୟାର ସାଇଟ୍ କୁ ଯାଇ ଭୁବନେଶ୍ବରରୁ ଜୟପୁର ଆସିବା ପାଇଁ ଅନଲାଇନ୍ ଟିକେଟ କାଟି ଆଜି ଆସିଥିଲେ। ପୌରପାଳିକା ,ଚାମ୍ବର ଅଫ କମର୍ସ ଓ ପ୍ରଶାସନ ପକ୍ଷରୁ ଆସିଥିବା ଯାତ୍ରୀମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ବାଜା ,ବାଜଣା ,ନାଚ ଗୀତ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ଓ ବିଜେପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାରାରେ ବିମାନବନ୍ଦର ଉଠି ପଡ଼ିଥିଲା। ସେଭଳି ଏଠାରୁ ୯ଜଣ ଯାତ୍ରୀ ଜୟପୁରରୁ ଭୁବନେଶ୍ବର ଯାଇଛନ୍ତି।

ସେମାନେ ହେଲେ ଜିଲ୍ଲା ବିଜେଡି ସଭାପତି ଇଶ୍ବର ପାଣିଗ୍ରାହୀ, ସୁମନ୍ତ ସାହୁ, ପଙ୍କଜପାତ୍ର , ରୁଦ୍ର ନାରାୟଣ ରଥ, ସୁନିଲ କୁମାର ବିଶ୍ବାଳ, ରାହୁଲ ଗାଙ୍ଗୁଲୀ, ପ୍ରମୋଦ ରେଡ୍ଡୀ ଓ ରାଜେଶ ରେଡ୍ଡୀ। ଜୟପୁର ବିମାନବନ୍ଦର ଠାରେ ଅତିଥି ଭାବେ ସାଂସଦ ସପ୍ତଗିରୀ ଉଲ୍ଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ରଘୁରାମ ପଡ଼ାଲ, ପଟାଙ୍ଗୀ ବିଧାୟକ ପ୍ରିତମ ପାଢ଼ୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ଜିଲ୍ଲା ବିଜେପି ସଭାପତି ଇଶ୍ବର ପାଣିଗ୍ରାହୀ, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି.ସୁନିତା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରାଧା ଗୋବିନ୍ଦ ସାମନ୍ତରାୟଙ୍କ ସହ ବହୁ ବୁଦ୍ଦିଜୀବୀ ଓ ଗନ୍ୟମାନ୍ୟ ବ୍ୟକ୍ତି ଭାଗ ନେଇଥିଲେ। ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମହମ୍ମଦ ଆବଦଲ ଆଖତର, ଏସପି ବରୁଣ ଗୁଣ୍ଠପାଲ୍ଲୀ,ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ, ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ, ଉପଜିଲ୍ଲାପାଳ ବେଦବର ପ୍ରଧାନ, ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ପୌରନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ , ଏସଡିପିଓ ଅରୁପ ଅଭିଶେଖ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

ଏବେ କେବଳ ଦେଶବିଦେଶକୁ ଯାତ୍ରାକରିବା ଶସ୍ତା ଓ ସୁବିଧାଜନକ ହେବନି, ବରଂ ଏହି ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକ ଆସିବେ ଓ ଏଠାରେ ଚାଷ ହେଉଥିବା ହଳଦୀ, କଳାଜୀରା, କୋଟପାଡର ମିର୍ଗାନ ଶାଢ଼ୀ ଓ କଫିର ମହକ ପାଇବ ସମଗ୍ର ବିଶ୍ୱ ବୋଲି କହିଛନ୍ତି ଜୟପୁର ବିଧାୟକ। ଜୟପୁରରୁ ଭୁବନେଶ୍ବର ଆଜିକୁ ୩୫ ବର୍ଷ ତଳେ ଵାୟୁଦୂତ ବାଣିଜ୍ୟିକ ବିମାନ ନିୟମିତ ଉଡୁଥିଲା । ଏହାର ରନୱେ ଲମ୍ବ ମାତ୍ର ୩ହଜାର ଫୁଟ ଓ ଆୟତନ ୬୦ ଏକର ରହିଥିଲା। ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଗଲା। ତେବେ ଏହା ନିମୟିତ ଉଡିବା ଏବଂ ଏହାର ସଂପ୍ରସାରଣ କରି ଥ୍ରୀ-ସିକୁ କରିବାକୁ ବିଧାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା କହିଛନ୍ତି ବିଧାୟକ। ଏହା ରାଜ୍ୟ ସରକାରଙ୍କ ଅଧୀନରେ ରହିବାକୁ ଥିବା ବିମାନବନ୍ଦର, ଏବଂ ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ସଂପ୍ରତି ଏଠାରୁ ବଡ ବିମାନ, ଜେଟ ବିମାନ ଉଡିବା ପାଇଁ ଥ୍ରି-ସି ଲାଇସେନସ୍ ପାଇଁ ଗାଇଡଲାଇନ୍ ଅନୁଯାୟୀ ସର୍ଭେ ଆରମ୍ଭ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ । ଆସନ୍ତା ୩ମାସ ମଧ୍ୟରେ ଏହା ସରିବ ବୋଲି କହିଛନ୍ତି ଜିଲ୍ଲାପାଳ।

ସମ୍ବନ୍ଧିତ ଖବର