ମାଲକାନଗିରି: ମାଲକାନଗିରି ନୂତନ ନିର୍ମାଣଧୀନ ବିମାନବନ୍ଦରର ପାଚେରୀ ପୁଣି ଭୁଶୁଡିଲା। ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲାରେ ସ୍ବଳ୍ପ ବର୍ଷା ହୋଇଛି।ଯେଉଁଥିରେ ମାଲକାନଗିରି ବିମାନବନ୍ଦରର ପାଚେରୀଟି ଭୁଷୁଡି ପଡ଼ିଛି।ପୂର୍ବ ପାର୍ଶ୍ୱରେ ୪୦ ମିଟରରୁ ଉର୍ଦ୍ଧ୍ବ ଭୁଶୁଡ଼ି ପଡ଼ିଥିବା ବେଳେ ସମାନ ଭାବରେ ପଶ୍ଚିମ ପାର୍ଶ୍ବରେ ମଧ୍ୟ ପାଖାପାଖି ୪୦ମିଟରରୁ ଉର୍ଦ୍ଧ୍ବ ଭୁଷୁଡିଛି।
ତେବେ ନିର୍ବାଚନର କିଛି ଦିନ ପୂର୍ବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ। ୨୩୩ ଏକର ଜମିରେ ନିର୍ମିତ ବିମାନବନ୍ଦର ୭୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବରେ ଏହାକୁ ଲୋକାର୍ପଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏକ ଘରୋଇ ସଂସ୍ଥା ହାତରେ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଟେକି ଦେଇଥିଲେ ସରକାର। ଟିଟିସିପିଏଲ ତଥା ତାରା ତାରିଣୀ କନସଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ ନାମକ କମ୍ପାନି ଦ୍ଵାରା ନିର୍ମିତ କାର୍ଯ୍ୟ କରାଯୈାଉଥିଲା।ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ତଦାରଖ କରୁଥିଲା।
ତେବେ ବର୍ତ୍ତମାନ କାନ୍ଥ ଭୁଷୁଡିବା ଘଟଣା ନୂଆଁ କଥା ନୁହେଁ। ପୂର୍ବରେ ମଧ୍ୟ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ସମୟରେ ସମାନ ଭାବରେ କାନ୍ଥ ଭୁଶୁଡି ୨ ଶ୍ରମିକ ମୃତ ବରଣ କରିଥିଲେ।ଏଥିସହ ବହୁ ଶ୍ରମିକ ଆହତ ହୋଇଥିବା ଦେଖିବାକୁ ମିଳିଥିଲା।ତେବେ ପୁଣି ସ୍ବଳ୍ପ ବର୍ଷାରେ ଏଭଳି କାନ୍ଥ ଭୁଶୁଡି ପଡ଼ିବା ଘଟଣା କାମର ନିମ୍ନମାନକୁ ନେଇ ସଂଦେହ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଆରମ୍ଭରୁ ନିମ୍ନ ମାନର ହୋଇ ଆସୁଅଛି। ତେବେ ଏଥିରେ ସ୍ପଷ୍ଟ ହେଉଛି କେଉଁଠି ନାଁ କେଉଁଠି ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ସୋଲାସୁତୁରାରେ ବିମାନବନ୍ଦର କାର୍ଯ୍ୟ ସମ୍ପୁର୍ଣ୍ଣ ଭାବରେ ନିମ୍ନ ମାନର କରାଯାଉଛି।ଅନ୍ୟପଟେ ବିମାନବନ୍ଦରର କାନ୍ଥ ଭୁଶୁଡି ନିକଟସ୍ଥ ଚାଷୀଙ୍କ ଜମି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ବିଜେପିର ବ୍ଲକ ଉପାଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚି କାମ ନିମ୍ନମାନର ହେବା ସହ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ସଂପର୍କରେ ପୂର୍ବରୁ ବି ଅଭିଯୋଗ କରିଆସୁଛନ୍ତି।କିନ୍ତୁ ଏନେଇ କୌଣସି ତଦନ୍ତ ହୋଇନଥିଲା। ସରକାର ବଦଳିବା ପରେ ପୁଣି କାନ୍ଥ ଭୁଶୁୁଡ଼ିବାକୁ ନେଇ ସରକାର ଏହାକୁ ଗୁରୁତ୍ବର ସହ ନେବେ ବୋଲି ବିଜେପି କହିଛି। ଠିକାଦାରକୁ ବ୍ୟାନ କରିଦେବା ଉଚିତ ବୋଲି କହିବା ସହ ଏହାର ଭିଜିଲାନସ ତଦନ୍ତ ଦାବି କରିଛି ବିଜେପି।