ୟୁଜିସି ନିଷ୍ପତ୍ତିକୁ ଏଆଇଏସ୍‌ଏଫ୍‌ର ବିରୋଧ

ଭୁବନେଶ୍ବର : ୟୁଜିସିର ଛାତ୍ରବିରୋଧୀ ପରୀକ୍ଷା ପରିଚାଳନା ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଅଖିଳ ଭାରତ ଛାତ୍ରସଂଘ(ଏଆଇଏସ୍‌ଏଫ୍‌) ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟର ଅନୁମତି ପରେ ୟୁଜିସି ଯେଉଁ ପରୀକ୍ଷା ପରିଚାଳନା ପାଇଁ ନିର୍ଦ୍ଦେଶ ଜାରି କରିଛି, ତାହା ସମ୍ପୂର୍ଣ୍ଣ ଅମାନବୀୟ ଓ ଅଦୂରଦର୍ଶୀ। ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପରୀକ୍ଷା କରାଇବାର ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ମୃତ୍ୟୁମୁଖକୁ ଠେଲିବା ସଦୃଶ ହୋଇଛି। ପରୀକ୍ଷା ନିଷ୍ପତ୍ତିରେ ବାରମ୍ବାର ପରିବର୍ତ୍ତନ ପିଲାଙ୍କୁ ମାନସିକ ଚାପଗ୍ରସ୍ତ କରାଉଛି।

ବର୍ତମାନ ସମୟରେ ଅଫ୍‌ଲାଇନ୍ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ। ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାଠାରୁ ଆରମ୍ଭ କରି ସେଠାରେ ରହିବା, ଖାଇବା ଓ ପୃଥକ୍‌ ଶୌଚାଳୟ ଆଦିର ସୁବିଧା ସେପ୍ଟେମ୍ବର ସୁଦ୍ଧା କରାଯିବା ସମ୍ଭବପର ବି ନୁହେଁ। ଯଦି କୌଣସି ଗୋଟିଏ ପିଲା କରୋନା ଦ୍ୱାରା ସଂକ୍ରମିତ ହୁଅନ୍ତି, ତେବେ ସରକାର ନିଜକୁ ଦାୟୀ କରିବେ କି? ଅଫ୍‌ଲାଇନ୍‌ର ବିକଳ୍ପ ଭାବେ ଯେଉଁ ଅନ୍‌ଲାଇନ୍ ପରୀକ୍ଷା ପାଇଁ ଉଲ୍ଲେଖ କରାଯାଇଛି, ତାହା ସମ୍ପୂର୍ଣ୍ଣ ଶିକ୍ଷା ଓ ଛାତ୍ରବିରୋଧୀ। ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧନୀ-ଗରିବର ପାଚେରି ତିଆରି କରିବ। ଅନ୍ୟପକ୍ଷରେ ସିବିଏସ୍‌ଇ ଯେଉଁ ବିଷୟଗୁଡ଼ିକୁ ପାଠ୍ୟକ୍ରମରୁ ବାଦ୍ ଦେଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଚିନ୍ତାର ବିଷୟ। ଦେଶର ଏକତା ଓ ଭାଇଚାରାକୁ ନଷ୍ଟ କରିବା ପାଇଁ ଏହା ଏକ ସରକାରୀ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରି ଏଆଇଏସ୍‌ଏଫ୍‌ର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନାଙ୍କ ନେତୃତ୍ୱରେ ବିବେକ କୃଷ୍ଣା, ମାନସ ରଞ୍ଜନ କର ଓ ଲିପୁନ୍ କୁମାର ହୋତା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଛାତ୍ରଛାତ୍ରୀ ନିକଟରେ ତୁରନ୍ତ ମାଗଣାରେ ପୁସ୍ତକ ଓ ପାଠ୍ୟ ଉପକରଣ ପହଞ୍ଚାଇବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା। ଏହାକୁ ବିଚାରକୁ ନେଇ ଛାତ୍ର ସମାଜର ହିତରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର