ବ୍ରହ୍ମପୁର: ବ୍ରହ୍ମପୁର ୟୁନିଅନ୍ କ୍ଲବ୍ ଏବଂ ଜିଲ୍ଲା ପୁଲିସ ମୁଖ୍ୟାଳୟ ପରିସର ଟେନିସ୍ କମ୍ପ୍ଲେକ୍ସରେ ଆଇଟା (ଅଲ୍ ଇଣ୍ଡିଆ ଟେନିସ୍ ଆସୋସିଏସନ୍), ଓଡ଼ିଶା ଟେନିସ୍ ସଂଘ ଓ ଗଞ୍ଜାମ ଜିଲ୍ଲା ଟେନିସ୍ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ଜାତୀୟ ସୁପର୍ ସିରିଜ୍ ୧୬ବର୍ଷରୁ କମ୍ ଟେନିସ୍ ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବର୍ଗରେ ଓଡ଼ିଶାର ପ୍ରତିଯୋଗୀମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖି ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଓଡ଼ିଶାର ଶୀର୍ଷ ମାନ୍ୟତାପ୍ରାପ୍ତ ଆହାନ୍ ମିଶ୍ର ଏବଂ ଆହନ୍ଙ୍କ ସମେତ ଅଂଶୁମାନ ଆଚାର୍ଯ୍ୟ ଓ ସାହଜ୍ଫା ୱାନିଆ ଏହି ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି।
ବାଳକ ଏକକରେ ଦେଶର ୧୫ ନମ୍ବର ସ୍ଥାନରେ ଥିବା ଆହାନ୍ ମିଶ୍ର ନିଜ ରାଜ୍ୟର ସୁୟାସ ପଟ୍ଟନାୟକଙ୍କୁ ୬-୨, ୬-୦ରେ ପରାସ୍ତ କରିଛନ୍ତି। ଆସନ୍ତାକାଲି ଖେଳାଯିବାକୁ ଥିବା ସେମିଫାଇନାଲ୍ରେ ପଶ୍ଚିମବଙ୍ଗର ଶୁଭ୍ରଦୀପ ମୁଖୋପାଧ୍ୟାୟଙ୍କୁ ଭେଟିବେ ସେ। ସେହିପରି ଦ୍ବିତୀୟ ସେମିରେ ତାମିଲନାଡ଼ୁର ଦ୍ବିତୀୟ ସିଡ୍ ଖେଳାଳି ଫଜଲ୍ ଅଲ୍ଲୀ ମିର୍ ଓଡ଼ିଶାର ଅଂଶୁମାନ ଆଚାର୍ଯ୍ୟଙ୍କ ସହ ସାମ୍ନାସାମ୍ନି ହେବେ। ବାଳିକା ଏକକରେ ଓଡ଼ିଶାର ଆହନ୍ ଆନ୍ଧ୍ରପ୍ରଦେଶର ପରିନିଥା ଭଟ୍ଟପ୍ରମ୍ବିଲଙ୍କୁ ୬-୧,୬-୧ ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ସେମିଫାଇନାଲରେ ସେ ପଶ୍ଚିମବଙ୍ଗର ଇନ୍ଦ୍ରାକ୍ଷୀ ଭଟ୍ଟାଚାର୍ଯ୍ୟଙ୍କୁ ଭେଟିବେ। ଅନ୍ୟ ଏକ ସେମିଫାଇନାଲ୍ରେ ପଶ୍ଚିମବଙ୍ଗର ରିୟା ରୟ ଓଡ଼ିଶାର ସାଜଫା ୱାନି୍ଆଙ୍କୁ ଭେଟିବେ। ଅନ୍ତର୍ଜାତୀୟ ରେଫରି ଦେବପ୍ରିୟ ଦାସ, ଯତୀନ ବୈଶ୍ୟ ଖେଳ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାର ବିଜେତା ଅନ୍ତର୍ଜାତୀୟ ଟେନିସ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ପାଇବେ ବୋଲି ପ୍ରତିଯୋଗିତାର ନିର୍ଦ୍ଦେଶକ ବିଶ୍ୱରଞ୍ଜନ ପଟ୍ଟନାୟକ କହିଛନ୍ତି।