ଶିକ୍ଷାବିତ୍ ଗାଳ୍ପିକ ତଥା ସ୍ତମ୍ଭକାର ଡକ୍ଟର ଅଜାମ୍ବର ମଲ୍ଲଙ୍କ କରୋନାରେ ପରଲୋକ

ବଲାଙ୍ଗୀର: ଟିଟିଲାଗଡ଼ ଡ଼ିଏଭି କଲେଜର ପୂର୍ବତନ ପ୍ରାଧ୍ୟାପକ, ପ୍ରଖର ବାଗ୍ମୀ, ଗାଳ୍ପିକ ତଥା ସ୍ତମ୍ଭକାର ଡକ୍ଟର ଅଜାମ୍ବର ମଲ୍ଲ କରୋନାରେ ଆକ୍ରାନ୍ତ ହୋଇ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଛନ୍ତିl ମୃତ୍ୟୁ ସମୟରେ ତାଙ୍କୁ ୭୪ବର୍ଷ ହେଉଥିଲା l ଗତ କିଛିଦିନ ତଳେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଶ୍ରୀ ମଲ୍ଲଙ୍କୁ ବଲାଙ୍ଗୀର କିମସ୍ ହସ୍ପିଟାଲରେ ଭର୍ତ୍ତ କରାଯାଇଥିଲା l କିଛି ଦିନ ଧରି ସୁସ୍ଥ ହେବା ପରେ ହଠାତ୍ ଆଜି ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥିଲା l ଡାକ୍ତରଙ୍କ ସବୁ ପ୍ରକାର ଉଦ୍ୟମ ବିଫଳ ହୋଇଥିଲା l
ଆଜି ସକାଳ ପ୍ରାୟ ୫ଟା ସମୟରେ ଶ୍ରୀ ମଲ୍ଲ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଆରପାରିକୁ ଚାଲିଗଲେ l ଡ଼. ଅଜାମ୍ବର ମଲ୍ଲଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବଲାଙ୍ଗୀର ଓ ଟିଟିଲାଗଡ଼ର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ମହଲରେ ଗଭୀର ଶୋକର ଲହରୀ ଖେଳିଯାଇଛି ୟl
ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭବରେ ଶ୍ରୀ ମଲ୍ଲ ଜଣାଶୁଣା ଥିଲେ l ତାଙ୍କର ଉଚ୍ଚକୋଟୀର ଅଧ୍ୟାପନା ଶୈଳୀ ଏବଂ ଗୁଢ଼ ବିଷୟବସ୍ତୁ କୁ ମଧ୍ୟ ସରଲ ଭାଷାରେ ଉପସ୍ଥାପନ କରିବାର କଳା ତାଙ୍କୁ ଚିରଦିନ ଅମର କରି ରଖିଥିବ l
ସୂଚନାଯୋଗ୍ୟ, ଶ୍ରୀ ମଲ୍ଲ ପ୍ରଥମେ ଭଦ୍ରକ କଲେଜରେ ଓଡ଼ିଆ ବିଭାଗର ଅଧ୍ୟାପକ ଭବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଓ ରାଜେନ୍ଦ୍ର କଲେଜରେ ଓଡ଼ିଆ ଅଧ୍ୟାପକ ଭବରେ ଛାତ୍ରଛାତ୍ରୀ ମହଲରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ l ୨୦୦୭ ମସିହାରେ ଟିଟିଲାଗଡ଼ ଡିଏଭି କଲେଜରେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଭାବରେ ସେ ଅବସରଗ୍ରହଣ କରି ସାହିତ୍ୟ ସାଧନାରେ ନିଜକୁ ନିମଗ୍ନ କରିଥିଲେl ଟିଟିଲାଗଡ଼ର ଭାଟିପଡାରେ ନିଜର ପରିବାର ସହ ଅବସ୍ଥାନ କରୁଥିଲେ ଶ୍ରୀ ମଲ୍ଲ l ଶ୍ରୀ ମଲ୍ଲଙ୍କ ବିୟୋଗ ବଲାଙ୍ଗୀରର ଶିକ୍ଷାକ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ବୋଲି ମତପ୍ରକାଶ ପାଇଛି l ଶ୍ରୀ ମଲ୍ଲ ଜିଲ୍ଲା ଲେଖକ ପରିଷଦର ପ୍ରତିଷ୍ଠାତା ସଭ୍ୟ ରହିବା ସହିତ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ ମଧ୍ୟ ହୋଇଥିଲେ l ଟିଟିଲାଗଡ଼ର ଏକାଧିକ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିବା ଶ୍ରୀ ମଲ୍ଲଙ୍କ ବିଭିନ୍ନ ସଭାସମିତିରେ ଓଜସ୍ଵିନୀ ଭାଷଣ ପ୍ରକୃତରେ ପ୍ରେରଣାଦାୟୀ ଥିଲା l ଶ୍ରୀ ମଲ୍ଲ ଙ୍କ ପରି ଜଣେ ଆଦର୍ଶ ଅଧ୍ୟାପକ ପ୍ରଚଣ୍ଡ ବାଗ୍ମୀ ଆଉ ସର୍ବୋପରି ଜଣେ ଭଲ ମଣିଷକୁ ଆଜି ବଲାଙ୍ଗୀର ଝୁରି ହେଉଛି l ଶ୍ରୀ ମଲ୍ଲଙ୍କ ତିନୋଟି ପୁଅ ଓ ଗୋଟିଏ ଝିଅ ରହିଛନ୍ତି।ସ୍ବର୍ଗତ ମଲ୍ଲଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ସାହୁପଡା ଗ୍ରାମରେ।

ସମ୍ବନ୍ଧିତ ଖବର