କଟକ : କଟକ ସାରଳା ଭବନରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଏକ ସାରସ୍ୱତ ଉତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉଦ୍ଘାଟନ କରିଥିଲେ। ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ସଭାପତି ଡକ୍ଟର ଇଂ ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ପ୍ରଫେସର ଡ. ସତ୍ୟନାରାୟଣ ପଣ୍ଡା ମୁଖ୍ୟବକ୍ତା, ବିଶିଷ୍ଟ ସାହିତ୍ୟିକ ମନୋଜ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଏବଂ ବିଶିଷ୍ଟ ଅନୁବାଦକ ପ୍ରଶାନ୍ତ କୁମାର ମହାନ୍ତି ବିଶିଷ୍ଟ ଅତିଥି ରୂପେ ଯୋଗ ଦେଇଥିଲେ।
ଏହି ଅବସରରେ ବିଶିଷ୍ଟ ଅନୁବାଦିକା ସୁମିତ୍ରା ସାହୁଙ୍କ ସ୍ମୃତିରେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ପ୍ରଫେସର ଡ. ଅଜୟ କୁମାର ପଟ୍ଟନାୟକଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ସୁମିତ୍ରା ସ୍ମାରକୀ ଅନୁବାଦ’ ପୁରସ୍କାର ପ୍ରଦାନ କରାଯାଇଥିଲା।ପ୍ରାରମ୍ଭରେ ସଂସଦର ମୁଖ୍ୟ ଉପଦେଷ୍ଟା ତଥା ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ପ୍ରାକ୍ କଥନ, ସଂପାଦକ ପ୍ରଫେସର ଡା. ନିରଞ୍ଜନ ତ୍ରିପାଠୀ ସ୍ୱାଗତ ଭାଷଣ ଓ ନାଟ୍ୟକାର ସଞ୍ଜିତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ଗୋପା ଦାସ ମାନପତ୍ର ପାଠ କରିଥିଲେ। ବିଭୁ ପ୍ରସାଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଇଂ. ସୁଶାନ୍ତ ସେଠୀ, ଲକ୍ଷ୍ମୀ ପ୍ରକାଶ ମହାପାତ୍ର, ବସନ୍ତ କୁମାରୀ ନନ୍ଦ, ବ୍ରଜ କିଶୋର ବେଉରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।