ବାରିପଦା: ନଗଦାନଗଦି ଏନଏସ୍ଡିରୁ ସଫଳତାର ସହିତ କୃତିତ୍ବ ହାସଲ କରି ଫେରିଥାଆନ୍ତି। ବର୍ଷ ପ୍ରାୟ ୧୯୭୩ ମସିହା ହେବ। ତତ୍କାଳୀନ ସମୟରେ ମଞ୍ଚନାଟକ ଓ କଳା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବା ଯୁଗେଚ୍ଛା ନାଟ୍ୟସଂସ୍ଥାର ନାଟକ ‘ବକ୍ସି ଜଗବନ୍ଧୁ’ ନିମନ୍ତେ ବକ୍ସି ଭୂମିକାରେ ଅଭିନୟ କରିବା ନିମନ୍ତେ ଖୋଜାହେଲା ଅଭିନେତା। ସମସ୍ତଙ୍କ ପ୍ରଥମ ପସନ୍ଦରେ ବକ୍ସି ଭୂମିକାରେ ଅଭିନୟ କରିଥିଲେ ମୟୂରଭଞ୍ଜ ମାଟିର ପୁଅ ଅଜିତ ଦାସ।
ବାରିପଦାସ୍ଥିତ ସେବସଂଘ ହଲ୍ରେ ବଳିଷ୍ଠ ସୁଠାମ ଯୁବକ ଅଜିତ ବକ୍ସି ଚରିତ୍ରକୁ ଏପରି ଫୁଟାଇଥିଲେ ଯେ ନଦେଖିବାଲୋକ ବିଶ୍ବାସ କରିବ। ତେବେ ଆଜି କିନ୍ତୁ ବକ୍ସିଙ୍କୁ ଝୁରୁଛନ୍ତି ସମଗ୍ର ମୟୂରଭଞ୍ଜବାସୀ। ଜିଲ୍ଲାର କରଞ୍ଜିଆରେ ଜନ୍ମଗ୍ରହଣ କରିଥିବା ଅଜିତ ଦାସ ନିଜର ନିଖୁଣ ଅଭିନୟ ପାଇଁ ସାରା ଓଡ଼ିଶାରେ ସାଉଁଟିଥିଲେ ଅଜସ୍ର ସଫଳତା ଓ ଲୋକପ୍ରିୟତା। କିମ୍ବଦନ୍ତୀ କଳାକାର ବିଜୟ ମହାନ୍ତିଙ୍କଠାରୁ ମାତ୍ର କିଛି ବର୍ଷ ସାନ ଥିବା ଅଜିତଙ୍କୁ ୧୯୭୭ରେ ରିଲିଜ୍ ହୋଇଥିବା ବାରିପଦାର ଗଣେଶ ଜୀଉଙ୍କ ଦ୍ବାରା ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ଅଭିମାନ’ ଲୋକପ୍ରିୟତା ଆଣିଦେଇଥିଲା। ଏହି ଚଳଚ୍ଚିତ୍ରରେ ଡେବ୍ୟୁ କରିଥିବା ନାୟକ ଉତ୍ତମ ମହାନ୍ତିଙ୍କ ସହିତ ଅଭିନୟ କରି ଜଣେ ଚରିତ୍ର ଅଭିନେତା ଭାବେ ବେଶ ପ୍ରଶଂସା ଅର୍ଜନ କରିଥିଲେ। ଉକ୍ତ ଚଳଚ୍ଚିତ୍ରରେ ନିହାରିକା ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ର ସହିତ ମଞ୍ଚ ଅଭିନେତା ଏବଂ ନିର୍ଦ୍ଦେଶକଭାବେ ମଧ୍ୟ ଅଜିତଙ୍କର ସୁନାମ ଥିଲା।
/sambad/media/post_attachments/wp-content/uploads/2020/09/at-Mayurbhanj-Mahostav-1024x683.jpg)
ମାତ୍ର ଆଜି ଅବେଳାରେ ମଞ୍ଚରେ ପରଦା ପଡ଼ିଛି। ବାହୁଡ଼ିଯାଇଛନ୍ତି ଅଜିତ ଦାସ। ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବରିଷ୍ଠ ଅଭିନେତା ନିର୍ଦ୍ଦେଶକ ଅଜିତଙ୍କର ଗୁରୁଗମ୍ଭୀର ସ୍ବର ଏବଂ ଅଭିନୟ ଆଉ ଦେଖିବାକୁ ମିଳିବନି। କରଞ୍ଜିଆରେ ଜନ୍ମଗ୍ରହଣ କରିଥିବା ଅଜିତ ବାରିପଦାର ଜୟଶ୍ରୀ ପ୍ରଡକ୍ସନ୍ର ବଟକୃଷ୍ଣ ନାୟକଙ୍କ ଦ୍ବାରା ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ଫୁଲ ଚନ୍ଦନ ଏବଂ ଆଉ ଏକ ଓଡ଼ିଆ ଚଳଚ୍ଚିତ୍ର ରଜନୀଗନ୍ଧାରେ ଅଭିନୟ କରି ସଫଳତା ଲାଭ କରିଥିଲେ। ସେହିପରି ଯୁଗେଚ୍ଛା ନାଟ୍ୟସଂସ୍ଥା ସହିତ ମଧ୍ୟ ଅଜିତଙ୍କର ସୁସମ୍ପର୍କ ରହିଥିଲା।
ଭୁବନେଶ୍ବରରେ ରହିବା ପରେ ମଧ୍ୟ ‘ଥ୍ୟାଙ୍କ୍ ୟୁ ମିଷ୍ଟର୍ ଗ୍ଲାଡ୍’ ଏବଂ ‘ନବଘନର ଘର’ ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ଭୁବନେଶ୍ବରରୁ ଆସିକି ସେ ବାରିପଦାରେ ଉପରୋକ୍ତ ଦୁଇଟି ନାଟକର ନିର୍ଦ୍ଦେଶନା ଦେଇଥିଲେ। ବାରିପଦାରେ ହେଉଥିବା ମୟୂରଭଞ୍ଜ ମହୋତ୍ସବରେ ନିୟମିତ ଯୋଗଦିଅନ୍ତି ଅଜିତ। ଏହି କାର୍ଯ୍ୟକ୍ରମକୁ ସେ ବେଶ୍ ଉତ୍ସାହିତ କରନ୍ତି। ଅଜିତଙ୍କ ବିୟୋଗରେ ଯୁଗେଚ୍ଛା ନାଟ୍ୟସଂସ୍ଥାର ଧୀର ବସା, ସନ୍ତୋଷ ମହାନ୍ତି ଏବଂ ବରିଷ୍ଠ ସିନେ କଳାକାର ଅସିତ ପତି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ଅଜିତଙ୍କ ଅବର୍ତ୍ତମାନରେ ଜିଲ୍ଲାର ବହୁ କଳାକାର ଏବଂ ନାଟ୍ୟପ୍ରେମୀ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/On-occasion-of-Mayurbhanj-Mahostav.jpg)