ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଜିତ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ

କହିଥିଲେ ମୁଁ ଆଉ ଫେରିପାରିବିନି: ଝିଅ ରୂପା
ସ୍ମୃତିଚାରଣ କଲେ ସଂଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ଭୁବନେଶ୍ୱର : ପଞ୍ଚଭୂତରେ ଲୀନ ହୋଇଛି ବିଶିଷ୍ଟ ଅଭିନେତା ଅଜିତ ଦାସଙ୍କ ମରଶରୀର। ସତ୍ୟନଗର ଶ୍ମଶାନରେ ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମି ଦିଆଯାଇଥିଲା। ବଡ଼ ଝିଅ ରୁଚିସ୍ମିତା ଦାସ (ରୂପା) ମୁଖାଗ୍ନି ଦେଇଥିଲେ।

ଆଜି ପୂର୍ବାହ୍ନରେ ତାଙ୍କ ମରଶରୀରକୁ ମେଡିକାଲ୍‌ରୁ ସତ୍ୟନଗର ଶ୍ମଶାନ ଅଭିମୁଖେ ଅଣାଯାଇଥିଲା। ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ନାଟ୍ୟ ଅଧ୍ୟାପକ ଓ ଅଧ୍ୟକ୍ଷ ଭାବେ ବହୁ କଳାକାର ତିଆରି କରିଥିବା ଅଜିତ ଦାସଙ୍କୁ ତାଙ୍କର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ନିକଟରେ ଅପେକ୍ଷା କରିଥିଲେ। ମାତ୍ର କରୋନାରେ ପ୍ରାଣ ହରାଇଥିବାରୁ ତାଙ୍କ ମରଶରୀର ମହାବିଦ୍ୟାଳୟ ସମ୍ମୁଖ ଦେଇ ମଧ୍ୟ ଆସିପାରିଲା ନାହିଁ। କୋଭିଡ୍‌ ନିୟମ ପାଳନ ପୂର୍ବକ ସୀମିତ ଲୋକଙ୍କ ଗହଣରେ ଶେଷକୃତ୍ୟ ସମ୍ପନ୍ନ ‌ପାଇଁ ନିଆଯାଇଥିଲା। ତେବେ ଶ୍ମଶାନ ନିକଟରେ ବହୁ ଅଜିତ ପ୍ରଶଂସକଙ୍କ ସମାଗମ ହୋଇଯାଇଥିଲା। ଅଜିତ ଦାସ ଅମର ରହେ.. ଧ୍ବନିରେ ଉଛୁଳୁଥିଲା ସମଗ୍ର ପରିବେଶ। କାନମୋଡ଼ି ଗଢ଼ିଥିବା ବହୁ ଛାତ୍ର ନିଜ ଗୁରୁଙ୍କୁ ଦେଖିବା ପାଇଁ ଶ୍ମଶାନ ନିକଟକୁ ଧାଇଁ ଆସିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ବ୍ୟକ୍ତିବିଶେଷ ମଧ୍ୟ ଶେଷ ଦର୍ଶନ ପାଇଁ ଶ୍ମଶାନ ସମ୍ମୁଖରେ ପହଞ୍ଚି ନିଜ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ।

ଅନ୍ୟ ଦୁଇଝିଅ ସୁଚରିତା ଦାସ ଓ ମନିସ୍ମିତା ଦାସ ମଧ୍ୟ ଶ୍ମଶାନ ନିକଟକୁ ଯାଇ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ‌ମାତ୍ର ଶେଷଥର ପାଇଁ ବି ବାପାଙ୍କୁ ପାଖରୁ ଦେଖିବାର ଅବକାଶ ପାଇ ପାରିନଥିଲେ। ବଡ଼ ଝିଅ ରୂପା କହିଛନ୍ତି, ୩ ଦିନ ତଳେ ଭିଡିଓ କଲିଂରେ କଥା ହେବା ବେଳେ ବାପା କହିଥିଲେ, ମତେ ଲାଗୁନି ଯେ ମୁଁ ଆଉ ଘରକୁ ଫେରିବି। କିନ୍ତୁ ଏମିତି ସମୟ ଯେ ଆମେ ନା ଟିକେ ବାପାଙ୍କୁ ଦେଖିପାରୁଛୁ ନା ଛୁଇଁ ପାରୁଛୁ। ଏତେ ଜଣ ନିଜ ଲୋକ ଥାଇ ବି ସେ ଆମମାନଙ୍କୁ ଶେଷ ସମୟରେ ଟିକେ ସେବା ବି କରିବାକୁ ସୁଯୋଗ ଦେଲେ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର