ଅଜିତ କୁମାରଙ୍କୁ ସିବିଆଇ ଗିରଫ କରିବା ମାମଲା: ବ୍ଲୁ ଫିଲ୍ମ ରାକେଟ୍‌ରେ ସକ୍ରିୟ ଥିଲେ ସହାୟକ ଲୋକୋ ପାଇଲଟ

ନାବାଳିକାଙ୍କୁ ନେଇ ଅଶ୍ଳୀଳ ଫିଲ୍ମ ତିଆରି ପାକିସ୍ତାନକୁ ପଠାଉଥିଲେ

 

ରାଉରକେଲା: ରାଉରକେଲା ରେଳ ଷ୍ଟେସନରେ କାର୍ଯ୍ୟରତ ସହାୟକ ଲୋକୋ ପାଇଲଟ୍‌ ଅଜିତ କୁମାରଙ୍କୁ ସିବିଆଇ ଗିରଫ କରିବାପରେ ପରେ ନୂଆ ତଥ୍ୟ ପଦାକୁ ଆସିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ନିଯୁକ୍ତି ଦୁର୍ନୀତି ମାମଲାରେ ଅଜିତ କୁମାର ସଂପୃକ୍ତ ଥିବା ପୂର୍ବରୁ ଆଲୋଚନା ହେଉଥିଲା। ତେବେ ବର୍ତ୍ତମାନ ସେ ଅନ୍ତର୍ଜାତୀୟ ବ୍ଲୁ’ ଫିଲ୍ମ ରୢାକେଟ୍‌ରେ ସାମିଲ ଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ଦେଶବିଦେଶରେ ବେଶ୍‌ ସକ୍ରିୟ ଥିବା ବ୍ଲୁ ଫିଲ୍ମ ରୢାକେଟ୍‌ରେ ଅଜିତ ଜଡ଼ିତ ଥିଲେ। ଏହି ରାକେଟ୍‌ ଦେଶର ନାବାଳିକାମାନଙ୍କୁ ନେଇ ବ୍ଲୁ ଫିଲ୍ମ ତିଆରି କରୁଥିଲା। ଉକ୍ତ ଅଶ୍ଳୀଳ ଫିଲ୍ମକୁ ବିଦେଶ, ବିଶେଷକରି ପାକିସ୍ତାନକୁ ପଠାଉଥିଲା। ସବୁ କାରବାର ଇ‌-ମେଲ୍‌‌ ମାଧ୍ୟମରେ ହେଉଥିଲା।

ସିବିଆଇ ଏହି ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଅଜିତଙ୍କ ସଂପୃକ୍ତି ନେଇ ସୂଚନା ପାଇଥିଲା। ଗତ କିଛିଦିନ ହେଲା ସିବିଆଇର ଏକ ଦଳ ରାଉରକେଲାରେ ରହି ଗୁପ୍ତଭାବେ ପ୍ରମାଣସଂଗ୍ରହରେ ମାତିଯାଇଥିଲା। ଅଭିଯୁକ୍ତର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖିଥିଲେ। ପରବର୍ତ୍ତୀ ସମୟରେ ସିବିଆଇ ଦଳ ଅଭିଯୁକ୍ତ ଗୁପ୍ତଭାବେ ବ୍ୟବହାର କରୁଥିବା ଇ-ମେଲ୍‌କୁ ଠାବ କରିବାପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଏହାପରେ ସିବିଆଇର ଅନ୍ୟ ଏକ ଦଳ ଅଭିଯୁକ୍ତର ବିହାରସ୍ଥ ବାସସ୍ଥାନରେ ଚଢ଼ଉ କରିଥିଲା। ସେଠାରେ ଦୁଇଟି ହାର୍ଡ୍‌ଡିସ୍କ ଜବତ କରିବାପରେ ସେଥିରେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଥିବା ଦେଖିବାକୁ ମିଳିଥିଲା। ପର୍ଯ୍ୟାପ୍ତ ପ୍ରମାଣ ହସ୍ତଗତ ହେବାପରେ ସିବିଆଇ ଗତ ରବିବାର ସନ୍ଧ୍ୟାରେ ହିଁ ଅଭିଯୁକ୍ତକୁ ରାଉରକେଲାରୁ ଉଠାଇନେଇଥିଲା। ଅଭିଯୁକ୍ତକୁ ସଡ଼କପଥରେ ପ୍ରଥମେ ଭୁବନେଶ୍ବର ଓ ପରେ ବିମାନରେ ନୂଆଦିଲ୍ଲୀକୁ ନିଆଯାଇଥିଲା।

ଅଭିଯୁକ୍ତକୁ ଗିରଫ କରାଯାଇଥିବାନେଇ ଗତକାଲି ସିବିଆଇ ପକ୍ଷରୁ ରାଉରକେଲା ରେଳବାଇ କର୍ତ୍ତୃପକ୍ଷଙ୍କୁ ବିଧିବଦ୍ଧ ସୂଚନା ଦିଆଯାଇଥିଲା। ସିବିଆଇ ଇନ୍ସପେକ୍ଟର ସନ୍ଦୀପ ଗୌତମ ରାଉରକେଲା ରେଳବାଇର ଚିଫ୍‌ କ୍ର୍ୟୁ କଣ୍ଟ୍ରୋଲରଙ୍କୁ ଏନେଇ ପତ୍ର ମାଧ୍ୟମରେ ଜଣାଇବାପରେ ରାଉରକେଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣା ବିଷୟରେ କିନ୍ତୁ ରେଳବାଇ ପକ୍ଷରୁ ଆନୁଷ୍ଠାନିକଭାବେ କୌଣସି ସୂଚନା ଦିଆଯାଇଛି। ସହାୟକ ଲୋକୋ ପାଏଲଟଙ୍କ ବ୍ଲୁ ଫିଲ୍ମ ରାକେଟ୍‌ରେ ସଂପୃକ୍ତିକୁ ନେଇ ଚର୍ଚ୍ଚା ଥମିନଥିବାବେଳେ ଆଜି ରେଳବାଇ ଭିଜିଲାନ୍ସର ଏକ ଦଳ ରାଉରକେଲାରେ ପହଞ୍ଚିଛନ୍ତି, ଯାହାକି ରାଉରକେଲା ରେଳବାଇର ବାଣିଜ୍ୟ ବିଭାଗ, ପାର୍ସଲ ବିଭାଗ, ଆର୍‌ପିଏଫ୍‌ ମହଲରେ ହଡ଼କମ୍ପ ସୃଷ୍ଟିକରିଛି। ଏହି ଭିଜିଲାନ୍ସ ଦଳ ସାଦା ପୋଷାକରେ ଆଜି ରାଉରକେଲା ରେଳ ଷ୍ଟେସନରେ ଦିନସାରା ପଇଁତରା ମାରିଥିଲେ। ତେବେ ନିର୍ଦ୍ଦିଷ୍ଟ କେଉଁ କାରଣରୁ ଭିଜିଲାନ୍ସ ଅଧିକାରୀ ଏଠାରେ ପହଞ୍ଚିଛନ୍ତି, ତାହା ସ୍ପଷ୍ଟ ହୋଇନି।

ସମ୍ବନ୍ଧିତ ଖବର