ବାଲେଶ୍ବର, : ସର୍ବଭାରତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ମିଳିଛି ଗୁରୁଦାୟିତ୍ବ। ସେ ହେଲେ ମୟୂରଭଞ୍ଜ ମାଟିର ପୁଅ ତଥା ଭାରତର ବିଶିଷ୍ଟ ପରମାଣୁ ବୈଜ୍ଞାନିକ ଡ.ଅଜିତ କୁମାର ମହାନ୍ତି। ଦେଶର ସବୁଠାରୁ ବଡ଼ ପରମାଣୁ ଗବେଷଣା କେନ୍ଦ୍ର ମୁମ୍ବାଇସ୍ଥିତ ‘ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟର’ (ବାର୍କ)ରେ ବର୍ତ୍ତମାନ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଡ.ମହାନ୍ତିଙ୍କୁ ଭାରତ ସରକାର ଆଣବିକ ଶକ୍ତି କମିସନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। କେବଳ ସେତିକି ନୁହେଁ, କମିସନ୍‌ର ଅଧ୍ୟକ୍ଷ ସହ ଡ. ମହାନ୍ତି ଆଣବିକ ଶକ୍ତି ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ଏଭଳି ସମ୍ମାନଜନକ ଦାୟିତ୍ବ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ୨୦୨୫ ମସିହା ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ବୋଲି କେନ୍ଦ୍ର କ୍ୟାବିନେଟ୍ ନିଯୁକ୍ତି ସଂକ୍ରାନ୍ତ କମିଟି ଅନୁମୋଦନ ଦେଇଛି।

Advertisment

୧୯୫୯ ମସିହାରେ ଜନ୍ମଲାଭ କରିଥିବା ଡ. ମହାନ୍ତିଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ଆରପଟା ପଞ୍ଚାୟତ ଖିରିପଦା ଗ୍ରାମରେ। ସ୍ବର୍ଗତ ଭଗବାନ ମହାନ୍ତି ଓ ରତ୍ନମଣି ମହାନ୍ତିଙ୍କ ବଡ଼ପୁଅ ଅଜିତ କୁମାର ମହାନ୍ତି ୧୯୭୯ ମସିହାରେ ବାରିପଦା ଏମ୍‌ପିସି କଲେଜରୁ ପଦାର୍ଥ ବିଜ୍ଞାନରେ ଶ୍ରେଷ୍ଠ ସ୍ନାତକ ହେବା ସହ ସ୍ବର୍ଣ୍ଣପଦକ ଲାଭ କରିଥିଲେ। ୧୯୮୧ରେ କଟକ ରେଭେନ୍‌ସା କଲେଜରୁ ପଦାର୍ଥ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ପାସ୍‌ କରିବା ପରେ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର ଟ୍ରେନିଂ ସ୍କୁଲରୁ ୨୬ତମ ବ୍ୟାଚ୍‌ରେ ସ୍ନାତକ ହାସଲ କରି ୧୯୮୩ରେ ସେହି ଭାବା ଆଣବିକ ଗବେଷଣା କେନ୍ଦ୍ରରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ଏଥିସହ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସେ ପରମାଣୁ ବିଜ୍ଞାନରେ ଉଚ୍ଚତର ଗବେଷଣା କରି ଡକ୍ଟରେଟ୍‌ ଲାଭ କରିଥିଲେ। ଛାତ୍ରାବସ୍ଥାରୁ ଅତ୍ୟନ୍ତ ମେଧାବୀ ଥିବା ଡ. ମହାନ୍ତି ନିଜର ଅଧ୍ୟବସାୟ ଓ କଠିନ ପରିଶ୍ରମ ବଳରେ ଅନେକସଫଳତାର ଅଧିକାରୀ ହୋଇଛନ୍ତି। ପରମାଣୁ ଶକ୍ତି ସଂପର୍କରେ ଗଭୀର ଜ୍ଞାନ, ଉଚ୍ଚତର ଗବେଷଣା ଓ ନିବନ୍ଧ ପାଇଁ ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଜଣେ ପ୍ରତିଷ୍ଠିତ ଆଣବିକ ବିଜ୍ଞାନୀ ଭାବେ ଗଣାଯାଏ। ନିଜର ୩୮ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଡ. ମହାନ୍ତି ଅନେକ ଗୁରୁତ୍ବପୂର୍ଣ୍ଣ ପଦରେ କାମ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସମ୍ମାନିତ ମଧ୍ୟ ହୋଇଛନ୍ତି। ୨୦୧୯ ମସିହାରେ ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ କୋଲକାତାସ୍ଥିତ ଶାହା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁକ୍ଲିୟର୍‌ ଫିଜିକ୍ସର ନିର୍ଦ୍ଦେଶକ ପଦରେ ଅଧିଷ୍ଠିତ ଥିଲେ।

ଏହି ସଫଳତା ପଛରେ ପିତାମାତା ଓ ଗୁରୁଜନମାନଙ୍କର ଆଶୀର୍ବାଦ ରହିଥିବା କହିଛନ୍ତି ଡ. ମହାନ୍ତି। ପରିବାରରେ ତାଙ୍କ ମାଆଙ୍କ ସହ ଅନ୍ୟ ତିନି ଭାଇ ଅଛନ୍ତି। ଡ.ମହାନ୍ତି ପରିବାରର ବଡ଼ପୁଅ ହୋଇଥିବା ବେଳେ ତାଙ୍କ ତଳ ଭାଇ ଅରୁଣ କୁମାର ମହାନ୍ତି ଆମେରିକାରେ ବୈଜ୍ଞାନିକ, ଅବନୀ କୁମାର ମହାନ୍ତି ଗୋପବନ୍ଧୁନଗର ବ୍ଲକ୍‌ କୁଆମରା ସାରସ୍ୱତ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟାପକ ଓ ସାନଭାଇ ଅଶୋକ କୁମାର ମହାନ୍ତି ସମ୍ବଲପୁରରେ ରହି ବ୍ୟବସାୟ କରୁଛନ୍ତି। ଖିରିପଦା ଭଳି ଅଖ୍ୟାତ ପଲ୍ଲୀ ଆଉ ମଧ୍ୟବିତ୍ତ ପରିବାରରେ ଜନ୍ମଲାଭ କରି ସଫଳତାର ଶୀର୍ଷରେ ପହଞ୍ଚିଥିବା ଡ. ମହାନ୍ତିଙ୍କ ପାଇଁ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ସମେତ ସମଗ୍ର ଓଡ଼ିଶା ଆଜି ଗୌରାବାନ୍ବିତ। ପ୍ରକାଶଥାଉକି, ଭଞ୍ଜ ମାଟିର କନ୍ୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିବା ବେଳେ ଏହି ମାଟିର ସନ୍ତାନ ଗିରୀଶ ମୁର୍ମୁ ଏବେ କମ୍ପଟ୍ରୋଲର୍‌ ଆଣ୍ଡ ଅଡିଟର୍‌ ଜେନେରାଲ ଅଫ୍ ଇଣ୍ଡିଆ (ସିଏଜି), ପ୍ରଫେସର କିଶୋର ବସା ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣର ଅଧ୍ୟକ୍ଷ ଭଳି ସମ୍ମାନଜନକ ପଦରେ କାର୍ଯ୍ୟରତ ଅଛନ୍ତି। ଜାନୁଆରି ୨୧ ତାରିଖରେ ଡ.ମହାନ୍ତି ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବାକୁ ଆସିଥିବା ବେଳେ ‘ସମ୍ବାଦ’କୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଆଣବିକ ଶକ୍ତିର ସୁବିନିଯୋଗ ଉପରେ ଅନେକ ସାରଗର୍ଭକ କଥା କହିଥିଲେ।