ରାୟଗଡ଼ା: ରାୟଗଡ଼ାସ୍ଥିତି ସିଆର୍ପିଏଫ୍ ଚତୁର୍ଥ ବାଟାଲିଅନ ମୁଖ୍ୟ କାର୍ଯ୍ୟାଳୟର ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ସୁନୀଲ କୁମାର ନିଜ ଏକେ-୪୭ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ୬ମାସ ତଳେ ଝାଡ଼ଖଣ୍ଡରୁ ବଦଳି ହୋଇ ରାୟଗଡ଼ାରେ ପୋଷ୍ଟିଂ ପାଇଥିଲେ ସୁନୀଲ କୁମାର। ଆଜି ସକାଳେ ନିତ୍ୟକର୍ମ ସାରି କ୍ବାର୍ଟର୍ସରୁ ବାହାରି ନିଜ କାର୍ଯ୍ୟାଳୟକୁ ଆସିଥିଲେ। ଏହାପରେ ନିଜ କାର୍ଯ୍ୟାଳୟର ବାଥ୍ରୁମକୁ ଯାଇ ନିଜ ଛାତିକୁ ଗୁଳିମାରି ଆତ୍ମହତ୍ୟା କରିଥିଲେ। ଗୁଳି ଶବ୍ଦ ଶୁଣି ଅନ୍ୟ ଯବାନ ଶୌଚାଳୟ ଭିତରେ ପଶି ରକ୍ତାକ୍ତ ଅବସ୍ଥାରେ ସୁନୀଲଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ, ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହାପରେ ସିଆର୍ପିଏଫ୍ ଅଧିକାରୀମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ରାୟଗଡ଼ା ଏସ୍ପି ବିବେକାନନ୍ଦ ଶର୍ମା ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଆତ୍ମହତ୍ୟା ପଛର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସୁନୀଲଙ୍କ ଛାତିରେ ଗୋଟିଏ ଗୁଳି ବାଜିଥିବା ସୂଚନା ମିଳିଛି।
ଶବ ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ଛାତି ସହ ଅନ୍ୟ କେଉଁଠି ଗୁଳି ରହିଛି କି ନାହିଁ, ସେ ସମ୍ପର୍କରେ ସ୍ପଷ୍ଟ ହେବାପାଇଁ ବ୍ୟବଚ୍ଛେଦ ପୂର୍ବରୁ ମୃତଦେହର ଏକ୍ସରେ’ ବାହାର କରିଛି ପୁଲିସ। ମୃତ ସୁନୀଲଙ୍କ ଘର ବିହାରର ସୀତାମଣି ଗ୍ରାମରେ। ସୁନୀଲ ଏଠାରେ ନିଜ ପତ୍ନୀଙ୍କ ସହ ରହୁଥିଲେ। ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।