ପଦାକୁ ଆସିଲା ଭାବୀ ଶ୍ବଶୁର-ଜ୍ବାଇଁଙ୍କ କେଳେଙ୍କାରୀ : ଆହୁରି ଅନେକଙ୍କୁ ଠକିଛି ଆକାଶ

ପ୍ରଦୀପ ପାଣିଗ୍ରାହୀ ଓ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଆସୁଥିଲା ଟଙ୍କା
ସାଇବର ଥାନାରେ ସେପ୍ଟେମ୍ବର ୨୩ରୁ ଚାଲିଛି ନିଯୁକ୍ତି ଠକେଇ ମାମଲା

କଟକ : ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଅନେକ ଯୁବକ ଯୁବତୀଙ୍କଠାରୁ ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଛି। ଏଥିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କର ଘନିଷ୍ଠ ସହଯୋଗୀମାନଙ୍କର ସ˚ପୃକ୍ତି ରହିଥିବା ଆକାଶ ସ୍ବୀକାର କରିଛି। ନିଯୁକ୍ତି କରାଇଦେବା କହି ଆଶାୟୀମାନଙ୍କୁ ଠକିଥିବା ମାମଲାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଆକାଶକୁ ୫ଦିନିଆ ରିମାଣ୍ତରେ ଆଣିଥିଲା ବେଳେ ଜେରା ବେଳେ ସେ ସବୁକିଛି ମାନିଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ପ୍ରାଥମିକ ଅଭିଯୋଗରେ ଯେତିକି ଆଶାୟୀ ଆକାଶଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ, ତାହାଠୁ ଢେର ଅଧିକ ପ୍ରାର୍ଥୀଙ୍କଠୁ ସେ ଟଙ୍କା ନେଇଛି। ତେଣୁ ଭୟରେ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଉକ୍ତ ପ୍ରାର୍ଥୀମାନେ ଆଗକୁ ବାହାରୁନଥିଲେ। ଏବେ ସେମାନେ ପୁଲିସ୍‌ ପାଖକୁ ଆସି ଖୋଲାଖୋଲି ଭାବେ ଅଭିଯୋଗ କରନ୍ତୁ ବୋଲି ଶ୍ରୀ ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ ଆକାଶ ବିରୋଧରେ କ୍ରାଇମ୍‌ବ୍ରାଞ୍ଚ ସାଇବର ଥାନାରେ ଗତ ସେପ୍ଟେମ୍ବର ୨୩ ତାରିଖରୁ ଏକ ମାମଲା ଚାଲିଛି। ଚାକିରି କରାଇଦେବାକୁ କହି ଯେଉଁମାନଙ୍କଠୁ ଟଙ୍କା ନେଇଥିଲା, ସେମାନଙ୍କ ମଧ୍ୟରୁ ୬ଜଣ ଟାଟା ମୋଟର୍ସରେ ଅଭିଯୋଗ ଆଣିଥିଲେ। ଏହାକୁ ଆଧାରକରି ଜାମସେଦପୁର ଟାଟା ମୋଟର୍ସର ଡେପୁଟି ଜେନେରାଲ ମ୍ୟାନେଜର (ଏଥିକ୍ସ) ତ୍ରିଲୋଚନ ମହାନ୍ତି ସାଇବର ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ମାମଲା ରୁଜୁ (ନ˚ ୨୬) କରି ଆଇପିସି ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ଆଇଟି ଆକ୍ଟ ଧାରା ୬୬ସି, ୬୬ଡି ଅନୁଯାୟୀ ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗରେ ଆକାଶ ନିଜକୁ ଟାଟା ମୋଟର୍ସର ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ସାଧାରଣ ଲୋକଙ୍କୁ ଠକିଥିବା ଉଲ୍ଲେଖ ରହିଥିଲା। ଏଥିସହ ଟାଟା କମ୍ପାନିର ଲୋଗୋକୁ ବ୍ୟବହାର କରି ନକଲି ପରିଚୟପତ୍ର, ଭିଜିଟି˚ କାର୍ଡ ଓ ମିଛ ଇ-ମେଲ ଆଇଡି କରିଥିଲା। ଚାକିରି ପାଇଁ ଆଗ୍ରହୀ ଥିବା ଆଶାୟୀଙ୍କୁ ଚାକିରି କରାଇଦେବା କହି ପ୍ରଚୁରମାତ୍ରାରେ ଟଙ୍କା ନେଇଥିଲା। ତଦନ୍ତବେଳେ ପୁଲିସ୍‌ ଜାଣିବାକୁ ପାଇଥିଲା ଯେ, ଉକ୍ତ ୬ଜଣ ଅଭିଯୋଗକାରୀ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କର ଘନିଷ୍ଠ ସହଯୋଗୀଙ୍କୁ ବିପୁଳ ପରିମାଣର ଅର୍ଥ ଦେଇଥିଲେ। ଯେହେତୁ ଆକାଶ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭାବି ଜ୍ବାଇଁ ଥିଲା ଓ ନିଜକୁ ଟାଟା ମୋଟର୍ସର ଏମ୍‌ଡି ଭାବେ ଅଭିହିତ କରୁଥିଲା, ତେଣୁ ଟାଟା ମୋଟର୍ସରେ ଚାକିରି କରାଇଦେବାକୁ ବିଧାୟକ ଓ ତାଙ୍କ ସହଯୋଗୀଙ୍କ ଜରିଆରେ ଟଙ୍କା ନେଉଥିଲା। ଉକ୍ତ ୬ ଅଭିଯୋଗକାରୀଙ୍କ ମଧ୍ୟରୁ ୨ଜଣ ବିଧାୟକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇଥିଲା ବେଳେ ୪ଜଣ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଟଙ୍କା ପଠାଇଥିଲେ। ଯେଉଁ ପ୍ରାର୍ଥୀମାନଙ୍କଠୁ ଟଙ୍କା ଆସିଥିଲା ସେମାନଙ୍କୁ ଜାଲ୍‌ ନିଯୁକ୍ତିପତ୍ର ଦିଆଯାଇଥିଲା। ଏଥିସହ ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନ୍‌ରେ ତାଲିମ ମଧ୍ୟ ଦିଆଯାଇଥିଲା। ଅନେକ ଆଶାୟୀ ପ୍ରାର୍ଥୀଙ୍କଠୁ ବିଧାୟକ ଓ ତାଙ୍କ ସହଯୋଗୀ ଟଙ୍କା ନେବା ପରେ ଟାଟା ମୋଟର୍ସର କର୍ମଚାରୀଙ୍କୁ ନିଯୁକ୍ତି କରାଇଦେବା ପାଇଁ ଟଙ୍କା ଦେଇଥିଲେ। ସେଠାରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଆକାଶଙ୍କୁ ଏମ୍‌ଡି ଭାବେ ପରିଚୟ କରାଇଥିଲେ। ଯାହାଦ୍ବାରା ପ୍ରାର୍ଥୀମାନେ ଠକାମିର ଶିକାର ହୋଇଥିଲେ।

କିଛି ଦିନ ପୂର୍ବରୁ ଭିଜିଲାନ୍ସ ଆକାଶ ଓ ତାଙ୍କ ବାପା ଅଭୟକାନ୍ତଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି। ତେବେ କ୍ରାଇମ୍‌ବ୍ରାଞ୍ଚ ସାଇବର ଥାନାରେ ରୁଜୁ ହୋଇଥିବା ୨୬ ନମ୍ବର ମାମଲାରେ ଆକାଶ ମୁଖ୍ୟ ଅଭିଯୁକ୍ତ ଥିଲା। ତେଣୁ ଆକାଶକୁ ରିମାଣ୍ତରେ ନେବାକୁ କ୍ରାଇମ୍‌ବ୍ରାଞ୍ଚ ଯୋଜନା କରିଥିଲା। କୋର୍ଟ ୫ଦିନିଆ ରିମାଣ୍ତ ପାଇଁ ଅନୁମତି ଦେବା ପରେ ବିଭିନ୍ନ ଦିଗକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀମାନେ ତାକୁ ଜେରା କରୁଛନ୍ତି। ଆକାଶ ପାଇଁ ପୁନେ ଓ ଭୁବନେଶ୍ବରରେ ପି.ଏ. ଭାବେ କାମ କରୁଥିବା ଡେଭିଡ୍‌ ପିଟରଙ୍କୁ ପଚରାଉଚରା କରାଯାଇଛି। ଆଗକୁ ଆକାଶ ସହିତ ସ˚ପୃକ୍ତ ବ୍ୟକ୍ତିମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ ଅଣାଯାଇ ମୁହାଁମୁହିଁ ଜେରା କରାଯିବ ବୋଲି ଏଡିଜି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର