ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗରେ ଜେଲ୍ରେ ଥିବା ବାପ-ପୁଅ ଅଭୟକାନ୍ତ ପାଠକ ଓ ଆକାଶଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଚାର୍ଟାଡ ଫ୍ଲାଇଟ୍ରେ ଯିବାଆସିବା କରି ମଉଜ କରିଥିଲେ ମଧ୍ୟ ଟ୍ରାଭେଲ୍ସ ସଂସ୍ଥାକୁ ୬୫ ଲକ୍ଷର ଚୂନା ଲଗାଇଛନ୍ତି ଆକାଶ। ବାକି ଥିବା ୬୫ ଲକ୍ଷ ଟଙ୍କା ନ ଦେଇ ସଂସ୍ଥା ମାଲିକଙ୍କୁ ହତ୍ୟା ଧମକ ଦେଇଛନ୍ତି। ଏଭଳି ଅଭିଯୋଗ ହେବା ପରେ ଖାରବେଳ ନଗର ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଅଭୟକାନ୍ତ ଓ ଆକାଶ ନାମରେ ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ବାପ-ପୁଅ ଜେଲ୍ରେ ଥିବାରୁ ସିଧାସଳଖ ପଚରା ଉଚରା ସମ୍ଭବ ହୋଇନାହିଁ। ଏଣୁ ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ କମିସନରେଟ୍ ପୁଲିସ ଯୋଜନା କରୁଥିବା ଜଣାପଡ଼ିଛି। ରିମାଣ୍ଡରେ ଆଣିବା ପୂର୍ବରୁ ଖାରବେଳ ନଗର ଥାନା ପୁଲିସ ଖୋଳତାଡ଼ ଆରମ୍ଭ କରିଛି। କେତେ ଥର ବୁକିଂ କରାଯାଇଛି? ଟଙ୍କା କେମିତି ଟ୍ରାଭେଲ୍ସ ମାଲିକଙ୍କ ପାଖକୁ ଆସିଛି? କେତେଜଣଙ୍କ ନାମରେ ବୁକିଂ ହୋଇଛି? ଟ୍ରାଭେଲ୍ସ ମାଲିକ ଏତେ ଟଙ୍କା କାହିଁକି ବାକି ଦେଉଥିଲେ?
ଏ ସବୁ ଉପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଦୀର୍ଘ ସମୟ ଧରି ଅଭିଯୋଗକାରୀଙ୍କୁ ଜେରା କରିବା ସହ ଅଫିସ୍ରେ ମଧ୍ୟ କାଗଜପତ୍ର ଯାଞ୍ଚ କରିଛି। ବାପ-ପୁଅଙ୍କର ଏହି ଚାର୍ଟାଡ ଫ୍ଲାଇଟ୍ ଯାତ୍ରା ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ସମ୍ପୃକ୍ତ ସଂସ୍ଥାକୁ କୁହାଯାଇଛି। ଅଭିଯୋଗକାରୀ ହେଉଛନ୍ତି ପୋଖରୀପୁଟ୍ ଅନନ୍ତ ବିହାରରେ ରହୁଥିବା ପ୍ରଭାସ ଚୌଧୁରୀ। ସେ ସ୍କାଏ କିଙ୍ଗ୍ ସଂସ୍ଥାର ମ୍ୟାନେଜିଂ ପାର୍ଟନର ଅଛନ୍ତି। ଏହି ସଂସ୍ଥା ଟ୍ରେନ୍, ଫ୍ଲାଇଟ୍, ଚାର୍ଟାଡ ଫ୍ଲାଇଟ୍ ଟିକେଟ୍ ବୁକିଂ କରିଥାଏ। ଏହାର କାର୍ଯ୍ୟାଳୟ ଖାରବେଳ ନଗର ଓସିଏଚ୍ସି କମ୍ପ୍ଲେକ୍ସ ରହିଛି ଯେଉଁଠାରେ ପ୍ରଭାସ କାମ କରନ୍ତି। ଆକାଶ ନିଜକୁ ଟାଟା ମୋଟର୍ସ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଭାବରେ ପରିଚୟ ଦେଇ ଇ-ମେଲ୍ ଏବଂ ଅନ୍ୟାନ୍ୟ ଜାଲ୍ ଡକ୍ୟୁମେଣ୍ଟ୍ ପଠାଇ ଚାର୍ଟାଡ ଫ୍ଲାଇଟ୍ ଓ ହୋଟେଲ ବୁକ୍ କରିଥିଲେ। ଜୁନ୍ ଠାରୁ ଚଳିତ ମାସ ପର୍ଯ୍ୟନ୍ତ ୨ କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କାର ବୁକିଂ କରିଥିଲେ। ଏହି ବୁକିଂ ବାବଦରେ ସେ ୨ କୋଟି ୧୩ ଲକ୍ଷ ୨୨ ହଜାର ୮ଶହ ୫୪ ଟଙ୍କା ଦେଇଥିଲେ। ଅବଶିଷ୍ଟ ୬୫ ଲକ୍ଷ ୧୬ ହଜାର ୨୩୩ ଟଙ୍କା ଦେଇନଥିଲେ। ଏହି ବାକି ଟଙ୍କା ନ ଦେଲେ ଆଉ ଟିକେଟ ବୁକିଂ କରିହେବ ନାହିଁ ବୋଲି ପ୍ରଭାସ କହିବା ପରେ ଆକାଶ ରାଗି ଯାଇଥିଲେ ଏବଂ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ। ବାକି ପଡ଼ିଥିବା ଟଙ୍କା ଭୁଲିଯାଅ ବୋଲି ପ୍ରଭାସଙ୍କୁ କହିଥିଲେ। ହତ୍ୟା ଧମକ ପରେ ଭୟଭୀତ ହୋଇ ପ୍ରଭାସ ଥାନାକୁ ଆସିନଥିଲେ। ବାପ-ପୁଅ ଗିରଫ ହେବା ପରେ ଏବଂ ଟାଟା ମୋଟର୍ସର ଅଭିଯୋଗ ଦେଖିବା ପରେ ସେ ଥାନାକୁ ଆସି ଏତଲା ଦେଇଥିବା ସୂଚନା ଦେଇଛନ୍ତି। ଟାଟା ମୋଟର୍ସ ଏମ୍ଡି ଓ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରୁଥିବା ଦେଖି ଏହି ଟଙ୍କା ବାକି ଦେଇ ଦେଇଥିଲେ ବୋଲି ସେ କହିଛନ୍ତି।