ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ଆକାଶଙ୍କ ଦସ୍ତଖତ, ପୁଣି ରିମାଣ୍ଡରେ ନେବାକୁ କୋର୍ଟରେ କରାଯିବ ଆବେଦନ : ପୁଲିସ କମିସନର

ଭୁବନେଶ୍ବର: ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ତଥା ଟାଟା କମ୍ପାନିରେ ଚାକିରି କରାଇବା ଆଳରେ ଟଙ୍କା ଆଦାୟ କରିଥିବା ଆକାଶ କୁମାର ପାଠକଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଏବେ ପାଠକ ବାପ-ପୁୁଅ ଝାରପଡ଼ା ଜେଲରେ ଥିବା ବେଳେ ଆକାଶଙ୍କୁ ପୁଣି ଥରେ ରିମାଣ୍ଡରେ ନିଆଯିବ ବୋଲି ଭୁବନେଶ୍ବର-କଟକ ପୁଲିସ କମିସନର କହିଛନ୍ତି ସୁଧାଂଶୁ ଷଡଙ୍ଗୀ। ଟାଟା ମୋଟର୍ସରେ ଚାକିରି କରୁଥିବା ନେଇ ସେ ଯେଉଁ ନିଯୁକ୍ତି ପତ୍ର ଦେଖାଇଛନ୍ତି, ସେଥିରେ ଥିବା ତାଙ୍କ ଦସ୍ତଖତ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁୁରୋକୁ ପଠାଯିବ ବୋଲି ଆଜି  ପୁଲିସ କମିସନର ସୂଚନା ଦେଇଛନ୍ତି  । ସେ କହିଛନ୍ତି, ଆକାଶଙ୍କୁ ଆଉ ଥରେ ରିମାଣ୍ଡରେ ନିଆଯିବାର ଆବଶ୍ୟକତା ରହିଛି । ତାଙ୍କୁ ରିମାଣ୍ଡରେ ନେବା ପାଇଁ ଖୁବଶୀଘ୍ର କୋର୍ଟରେ ଆବେଦନ କରାଯିବ।

ତଦନ୍ତ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଆକାଶ ପାଠକ ଟାଟା କମ୍ପାନିରେ ଚାକିରି କରନ୍ତି କି ନାହିଁ ତାହା ଜାଣିବା ପାଇଁ କମ୍ପାନିକୁ ଚିଠି ଲେଖାଯାଇଥିଲା । ପରେ ଆକାଶ କମ୍ପାନିର କର୍ମଚାରୀ ନୁହଁନ୍ତି ବୋଲି ଟାଟା ପକ୍ଷରୁ ସ୍ପଷ୍ଟ କରା ଯାଇଥିଲା । ଏବେ ଝାରପଡ଼ା ଜେଲରେ ଅଛନ୍ତି ପାଠକ ବାପାଓ ପୁଅ । ପୂର୍ବରୁ ଭିଜିଲାନ୍ସ ୩ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ଆର୍ଥିକ କାରବାର ଓ ନିଯୁକ୍ତି ନାଁରେ ଠକେଇ ନେଇ ପଚରାଉଚରା କରିଥିଲା । ତେବେ ସ୍କାଏକିଙ୍ଗ ଟ୍ରାଭେଲ୍ ଏଜେନ୍ସିକୁ ୬୩ ଲକ୍ଷ ଟଙ୍କାର ଠକେଇ ନେଇ ଆକାଶଙ୍କ ନାମରେ ହୋଇଥିବ‌ା ମାମଲାର ତଦନ୍ତ କରୁଛି କମିସନରେଟ୍ ପୁଲିସ। ଭୁବନେଶ୍ବରର ଖାରବେଳ ନଗର ଥାନାରେଏହି ଠକେଇ ମାମଲା ରୁଜୁ ହୋଇଛି।

ଉଲ୍ଲେଯୋଗ୍ୟ, ଭିଜିଲାନ୍ସର ୩ ଦିନିଆ ରିମାଣ୍ଡରେ ଆକାଶ ବାରମ୍ବାର ନିଜର କଥା ବଦଳାଇଥିଲେ। ଜେରା ବେଳେ ସେ ଟାଟାରେ ଚାକିରି କରୁ ନଥିବା କହିଥିବା ବେଳେ ଅଦାଲତରେ ହାଜର ହେବା ସମୟରେ ସେ ମୁଁ ଟାଟାରେ ଚାକିରି କରୁଥିଲି, କିନ୍ତୁ ଏବେ ମୋତେ କମ୍ପାନି ସହଯୋଗ କରୁନାହିଁ ବୋଲି କହିଥିଲେ। ଏହା ସହ ବାହାରକୁ ଆସିଲେ ନିର୍ଦ୍ଦୋଷ ବୋଲି ସବୁ ପ୍ରମାଣ ଦେବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର