ଆକାଶ ପାଠକ ପୁଣି ନିରାଶ: ପୁନେ, ଦିଲ୍ଲୀ ଯିବାକୁ ଅନୁମତି ମିଳିଲାନି

କଟକ: ରାଜ୍ୟ ବାହାରକୁ ଯିବାପାଇଁ ଅନୁମତି ଲୋଡ଼ି ଆକାଶ ପାଠକ ପୁଣି ଦାଖଲ କରିଥିବା ଆବେଦନ ଖାରଜ ହୋଇଛି। ପୂର୍ବରୁ ଏପ୍ରିଲରେ ମୁମ୍ବାଇ ଓ ପୁନେ ଯିବାକୁ ଅନୁମତି ଦେବାକୁ ପ୍ରାର୍ଥନା କରି ଆକାଶ ଦାୟର କରିଥିବା ଆବେଦନ ଏପ୍ରିଲ ୮ରେ ଅଦାଲତ ଖାରଜ କରିଥିଲେ। ଏଥର ଦିଲ୍ଲୀ ଓ ପୁନେ ଯିବାପାଇଁ ଅନୁମତି ଲୋଡ଼ି ଆକାଶ ଅଦାଲତରେ ଆବେଦନ କରିଥିଲେ। ଏହି ଆବେଦନକୁ ମଧ୍ୟ ଅଦାଲତ ଖାରଜ କରିଛନ୍ତି। ଭୁବନେଶ୍ବର ସ୍ବତନ୍ତ୍ର ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ ଆକାଶଙ୍କ ଆବେଦନକୁ ଖାରଜ କରିଛନ୍ତି।

ସୂଚନା ଅନୁସାରେ, ତାଙ୍କର ଆବାସ ପୁନେ ହୋଇଥିବାବେଳେ ସେଠାକୁ ଯାଇ ଘରେ ଥିବା ଚାକିରି ସଂପର୍କିତ ଡକୁମେଣ୍ଟ ସେ ସଂଗ୍ରହ କରିବାକୁ ଚାହୁଁଥିବା ଆକାଶ ଆବେଦନରେ ଦର୍ଶାଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ତାଙ୍କୁ ଦିଲ୍ଲୀସ୍ଥିତି ପିଏମଏଲଏ କର୍ତ୍ତୃପକ୍ଷ ନୋଟିସ୍ କରିଛନ୍ତି। ସେ ଦିଲ୍ଲୀ ଯାଇ ଓକିଲଙ୍କ ସହିତ ପରାମର୍ଶ କରିବାକୁ ଚାହୁଁଥିବା କି ଦର୍ଶାଇଥିଲେ। ଏଭଳି ସ୍ଥିତିରେ ପୁନେ ଓ ଦିଲ୍ଲୀ ଯିବା ପାଇଁ ତାଙ୍କୁ ଅନୁମତି ପ୍ରଦାନ କରାଯାଉ ବୋଲି ଆକାଶଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଅନ୍ୟପକ୍ଷରେ, ଆକାଶଙ୍କ ଆବେଦନକୁ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ଦର୍ଶାଯାଇଥିଲା ଯେ ସ‌ର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଏକ ବର୍ଷ ଭିତରେ ସାଂସଦ ଓ ବିଧାୟକଙ୍କ ସଂପର୍କିତ ମାମଲାର ଶୁଣାଣି ଶେଷ ହେବା କଥା। ଆକାଶଙ୍କ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଅଭିଯୁକ୍ତ ତାଲିକାରେ ରହିଛନ୍ତି। ଏହି ମାମଲାର ତ୍ବରିତ ଶୁଣାଣି ହେବା କଥା। କିନ୍ତୁ ଆକାଶଙ୍କ ବିରୋଧରେ ଏ ପର୍ଯ୍ୟନ୍ତ ଚାର୍ଜଫ୍ରେମ୍ ମଧ୍ୟ ହୋଇନାହିଁ। ଯଦି ଆକାଶଙ୍କୁ ରାଜ୍ୟ ବାହାରକୁ ଯିବାକୁ ଅନୁମତି ଦିଆଯାଏ ତେବେ ବିଚାରାଧୀନ ମାମଲାର ଶୁଣାଣି‌ରେ ବିଳମ୍ବ ହେବାର ସମ୍ଭାବନା ରହିଛି। ଉଭୟ ପକ୍ଷକୁ ଶୁଣି ସାରିବା ପରେ ଅଦାଲତ ଆକାଶଙ୍କ ଆବେଦନକୁ ଖାରଜ କରିଛନ୍ତି। ସରକାରଙ୍କ ତରଫରୁ କ୍ୟାଡର ଏପିପି ବିଶ୍ବରଂଜନ ରାଉତ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର