ଆକାଶଙ୍କ ଆକାଉଣ୍ଟରୁ ମିଳିଲା ଆହୁରି ୧ କୋଟି ୪୭ ଲକ୍ଷ
ଫୋରେନସିକ୍ ଯାଞ୍ଚ ପାଇଁ ବାପା ପୁଅଙ୍କ ହସ୍ତାକ୍ଷର ସଂଗ୍ରହ
ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ଏସ୍‌ଆଇଟି, ଆଜି ରିମାଣ୍ଡ ସରିବ

Advertisment

ଭୁବନେଶ୍ୱର : ଶେଷରେ ଭିଜିଲାନ୍ସ ଏସ୍‌ଆଇଟି ଆଗରେ ସତ ଉଗାରିବାକୁ ବାଧ୍ୟ ହୋଇଛି ଆକାଶ ପାଠକ। ସେ କେବେ ବି ଟାଟା ମୋଟର୍ସ(ପାସେଞ୍ଜର ଡିଭିଜନ୍) ଏମ୍‌ଡି ନଥିଲା ବୋଲି ମାନିଯାଇଛି। ମିଛ କଥା କହି ଚାକିରିର ପ୍ରଲୋଭନ ଦେଖାଇ ସେ ଯୁବକଯୁବତୀଙ୍କଠାରୁ କୋଟି କୋଟି ଟଙ୍କା ଠକିଥିବା ସ୍ବୀକାର କରିଛି। କେବଳ ଓଡ଼ିଶାରେ ନୁହେଁ, ପୁନେରେ ମଧ୍ୟ ଅଫିସ ଖୋଲିବା ସହ ଟାଟା ମୋଟର୍ସ ଲୋଗକୁ ବ୍ୟବହାର କରି ଜାଲ୍‌ ନିଯୁକ୍ତି ବିଜ୍ଞାପନ ଦେଇଥିଲା ଓ ଯୁବକ ଯୁବତୀମାନଙ୍କୁ ଚୁନ ଲଗାଇଛି। ଅନ୍‌ଲାଇନ୍‌ରେ ସାକ୍ଷାତକାର ନେଇ ଜାଲ୍ ନିଯୁକ୍ତି ପତ୍ର ଦେଇଥିଲା ଓ କୋଟି କୋଟି ଟଙ୍କା ଠକେଇ କରିଥିଲା। ଅୟସ୍ ଜୀବନ ବିତାଇବା ପାଇଁ ସେ ଏଭଳି ଏକ ପନ୍ଥା ଅବଲମ୍ବନ କରିଥିବା ଜେରା ବେଳେ କହିଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। କେବଳ ସେତିକି ନୁହେଁ, ଏଥିରେ ତାଙ୍କୁ ଭାବୀ ଶ୍ବଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସହଯୋଗ କରିଥିଲେ ବୋଲି ଆପାତତଃ ସ୍ବୀକାର କରିଛି। ଏଣୁ ଭିଜିଲାନ୍ସ ମାମଲାଟି ଏବେ ନୂଆ ମୋଡ଼ ନେଇଛି। ଆକାଶ ଓ ବିଧାୟକ ପାଣିଗ୍ରାହୀ ତଦନ୍ତ ଜାଲରେ ଫସି ଯାଇଛନ୍ତି।

ଅନ୍ୟପକ୍ଷରେ ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ ଆକାଶଙ୍କ ଆକାଉଣ୍ଟରେ ଆଉ ୧ କୋଟି ୪୭ ଲକ୍ଷ ଟଙ୍କା ଜମା ହୋଇଥିବା ଏସ୍‌ଆଇଟି ଜାଣିବାକୁ ପାଇଛି।

ଭୁବନେଶ୍ବର ଓ ପୁନେରେ ଆକାଉଣ୍ଟ ଟ୍ରାନ୍ସଫର୍ ଜରିଆରେ ଏହି ଟଙ୍କା ଜମା ହୋଇଥିଲା। ଏଥିସହିତ ଏବେ ସୁଦ୍ଧା ଆକାଶଙ୍କ ଆକାଉଣ୍ଟରେ ମୋଟ ୧୭ କୋଟି ୫୨ ଲକ୍ଷ ଟଙ୍କା ଜମା ହୋଇଥିବା ନେଇ ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି।

ଅନେକ ବ୍ୟାଙ୍କର ଦସ୍ତାବିଜ୍, କାରବାର ଓ ଚାକିରି ନାଁରେ ଜାଲ୍ ନିଯୁକ୍ତିପତ୍ର ଏବଂ ବହୁ ସମ୍ପତ୍ତି କିଣାବିକାରେ ବାପା ପୁଅଙ୍କ ଦସ୍ତଖତ ରହିଛି। ସେହି ଦସ୍ତଖତକୁ ପ୍ରମାଣ କରିବା ଲାଗି ଆଜି ଉଭୟଙ୍କର ହସ୍ତାକ୍ଷର ସଂଗ୍ରହ କରାଯାଇ ରାଜ୍ୟ ଫୋରେନସିକ୍ ଲାବରେଟୋରିକୁ ପଠାଯାଇଛି। ଏହାକୁ ବିଜ୍ଞାନ ପଦ୍ଧତିରେ ପ୍ରମାଣିତ କରାଯିବା ପରେ କୋର୍ଟରେ ଦାଖଲ କରାଯିବ। ସେହିପରି ପୁନେସ୍ଥିତ ଆପାର୍ଟମେଣ୍ଟ, ଫାର୍ମ ହାଉସ୍, ତାଜ୍ ପ୍ୟାଲେସ ହୋଟେଲ, ଏୟାରପୋର୍ଟ, ପୁନେରେ ଟାଟା ମୋଟର୍ସ ନାଁରେ ଖୋଲିଥିବା ଆକାଶଙ୍କ ଅଫିସରୁ ସିସିଟିଭି ଫୁଟେଜ ସଂଗ୍ରହ କରାଯାଇଛି। ସେହି ଫୁଟେଜ୍‌ଗୁଡ଼ିକ ଯାଞ୍ଚ କରାଯାଉଛି। ସେଥିରୁ ମିଳିଥିବା ପ୍ରମାଣ ସବୁ ଏହି ଠକେଇ ମାମଲାକୁ ବଳିଷ୍ଠ କରିବା ପାଇଁ ବେଶ୍ ସହାୟକ ହେବ ବୋଲି ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆସନ୍ତାକାଲି ବାପ-ପୁଅଙ୍କର ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଉଭୟଙ୍କୁ କୋର୍ଟଚାଲାଣ କରାଯିବ।

ସୂଚନାଯୋଗ୍ୟ ଯେ ଆଜି ପ୍ରଦୀପ ଖୋର୍ଧା ଜିଲ୍ଲା ଦୌରାଜଜ୍‌ରେ ଜାମିନ୍‌ ଆବେଦନ କରିଛନ୍ତି। ଗତକାଲି ଏସ୍‌ଡିଜେଏମ୍‌ କୋର୍ଟରେ ତାଙ୍କ ଜାମିନ୍‌ ଆବେଦନ ଖାରଜ ହୋଇଥିଲା। ତେବେ ବର୍ତମାନ ପାଇଁ ବାପ-ପୁଅଙ୍କ ରିମାଣ୍ଡ ଅବଧି ବଢ଼ାଇବା ଲାଗି ଭିଜିଲାନ୍ସର କୌଣସି ଯୋଜନା ନାହିଁ।

ଏସ୍‌ଆଇଟି ଟିମ୍ ଚଳାଇଥିବା ଝାଳବୁହା ଜେରାରେ ଏବେ ବାପ-ପୁଅ ଆକ୍ତାମାକ୍ତା ହୋଇଗଲେଣି। ଫଳରେ ଆରମ୍ଭରୁ ବେଶି କିଛି କଥା କହୁନଥିବା ବାପ-ପୁଅ ଏସ୍‌ଆଇଟିର ମାରାଥନ୍ ଜେରା ପରେ ଗୋଟି ଗୋଟି କରି ସତ କହିବା ଆରମ୍ଭ କରିଛନ୍ତି।

ପ୍ରଥମରୁ ନିଜକୁ ଟାଟା ମୋଟର୍ସ ଏମ୍‌ଡି ବୋଲି କହୁଥିବା ଆକାଶ ଆଜି ସ୍ବର ବଦଳାଇଛି। ମାନିଯାଇଛି ଯେ ସେ କେବେ ବି ଟାଟା ମୋଟର୍ସରେ ଚାକିରି କରି ନ ଥିଲା। କେବଳ ନିଜର ପତିଆରା ପାଇଁ ଏଭଳି ସୈତାନ ବୁଦ୍ଧି ପ୍ରୟୋଗ କରିଥିଲା ବୋଲି କହିଛି। ଭାବୀ ଶ୍ବଶୁର ତଥା ଗୋପାଳପୁର ବିଧାୟକ ପାଣିଗ୍ରାହୀଙ୍କ ସହଯୋଗ ମିଳିବା ପରେ ଚାକିରି ନାଁରେ ଠକେଇ କରିଥିଲା ବୋଲି ସେ ଭିଜିଲାନ୍ସ ଆଗରେ ତଥ୍ୟ ଛାଡ଼ିଛି।

ମିଳିଥିବା ଖବର ଅନୁସାରେ ଭିଜିଲାନ୍‌ସ ଜେରା ବେଳେ ଆକାଶ ଆହୁରି କହିଛି ଯେ ତାର ପତିଆରା ବଢ଼ାଇବା ପାଇଁ ଟାଟା ମୋଟର୍ସ ଏମ୍‌ଡି ବୋଲି ଫେସ୍‌ବୁକରେ ନକଲି ପ୍ରୋଫାଇଲ ତିଆରି କରିବା ମଧ୍ୟ ତାର ଏକ ସଉକ ଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ ଲକ୍ଷ ଟଙ୍କା ସହାୟତା ଦେଇଥିବା ଫଟୋକୁ ସୋସିଆଲ୍ ମିଡିଆରେ ସେୟାର କରି ଠକେଇ କରିବ ବୋଲି ସେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଆଉ ସେଥି‌ରେ ସଫଳ ମଧ୍ୟ ହୋଇଥିଲା। ଚାର୍ଟର୍‌ ଫ୍ଲାଇଟ୍‌ରେ ବୁଲିବା ଠାରୁ ଆରମ୍ଭ କରି ତାଜ୍ ପ୍ୟାଲେସ ଭଳି ପଞ୍ଚତାରକା ହୋଟେଲରେ ରହିବା ପର୍ଯ୍ୟନ୍ତ ସବୁଠି ଟାଟା ମୋଟର୍ସ ଏମ୍‌ଡି ବୋଲି ପରିଚୟ ଦେଉଥିଲା। ତେଣୁ ତାକୁ ସବୁଠି ସମ୍ମାନ ମିଳୁଥିଲା। ଟାଟା ମୋଟର୍ସ ଏମ୍‌ଡି ବୋଲି କହିବା ପରେ ମାତ୍ର କେଇ ମିନିଟ୍‌ରେ ଫ୍ଲାଇଟ୍ ଓ ହୋଟେଲ ବୁକିଂ ହୋଇ ପାରୁଥିଲା। ବଡ଼ କଥା ହେଉଛି ଚାର୍ଟର୍‌ ସେବା ଯୋଗାଇଥିବା ସ୍କାଏ କିଙ୍ଗ୍‌କୁ ମଧ୍ୟ ଆକାଶ ୬୫ ଲକ୍ଷ ଟଙ୍କାର ଚୁନ ଲଗାଇଛି। ଆକାଶ କଥାକୁ ବିଶ୍ବାସକୁ ନେଇ ସ୍କାଏ କିଙ୍ଗ୍‌ ଏହି ଠକାମିର ଶିକାର ହୋଇଛି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆକାଶ ପାଠକ ନାଁରେ ଖାରବେଳନଗର ଥାନାରେ ରୁଜୁ ହୋଇଥିବା ମାମଲାକୁ ଆଧାର କରି ଅଧିକ ତଥ୍ୟ ହାସଲ କରିବା ଲାଗି ଗୁଗୁଲ୍ ଓ ଟାଟା ମୋଟର୍ସକୁ ଚିଠି ଲେଖିଛି କମିସନରେଟ ପୁଲିସ।