ସତ ଓଗାଳିଲେ ଆକାଶ : ଭିଜିଲାନ୍ସ ଜେରା ବେଳେ ଟାଟା ମୋଟର୍ସରେ ଚାକିରି କରି ନଥିବା ସ୍ୱୀକାର କଲେ

ଭୁବନେଶ୍ବର: ରିମାଣ୍ଡର ଦ୍ୱିତୀୟ ଦିନରେ ଜେରା ବେଳେ ଆକାଶ ପାଠକ କରିଛନ୍ତି ବଡ଼ ଖୁଲାସା । ସେ ଟାଟା ମୋଟର୍ସରେ ଚାକିରି କରି ନ ଥିବା ନେଇ ଭିଜିଲାନ୍ସର ଜେରା ବେଳେ ସ୍ୱୀକାର କରିଛନ୍ତି । ଏହା ସହ ସଂପର୍କୀୟଙ୍କ ସହ ଚାର୍ଟର ଫ୍ଲାଇଟରେ ବିଦେଶ ଭ୍ରମଣ କରିଥିବା ମଧ୍ୟ ମାନିଛନ୍ତି ଆକାଶ । ହେଲେ, ଆକାଉଂଟକୁ କେଉଁଠୁ ଲକ୍ଷାଧିକ ଟଙ୍କା ଆସିଲା, କିଏ ପଠେଇଲା ସେ ନେଇ ମତ ବଦଳାଉଛନ୍ତି ଆକାଶ ପାଠକ । ୩ ଦିନିଆ ରିମାଣ୍ଡରେ ପାଠକ ବାପ-ପୁଅଙ୍କୁ ଘନଘନ ଜେରା କରୁଛି ଭିଜିଲାନ୍ସ ଏସଆଇଟି । ଆକାଶ ପାଠକଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା କୁଆଡୁ ଆସିଲା ସେ ନେଇ ଚାଲିଛି ତନାଘନା । ସେପଟେ ଆକାଶ ପାଠକ ଟାଟାର ପାସେଞ୍ଜର ଭେଇକିଲ ଡିଭିଜନର ଏମଡି କି ନାହିଁ ସେ ନେଇ ସତ ଜାଣିବାକୁ ଟାଟା କମ୍ପାନୀକୁ ଚିଠି ଲେଖିଛି କମିସନରେଟ ପୁଲିସ ।

ସେପଟେ, ଆଇଏଫଏସ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ଠକେଇ ମାମଲାରେ ତଦନ୍ତ ଜୋରଦାର ହୋଇଛି । ଏ ନେଇ ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି କମିଶନରେଟ୍ ପୁଲିସ । ଆକାଶ ପାଠକ ଟାଟାର ଏମଡି କି ନାହିଁ ସେ ନେଇ ସତ ଜାଣିବାକୁ ଚିଠି ଲେଖିଛି ପୁଲିସ । ଟାଟା ପକ୍ଷରୁ ଅଭିଯୋଗ ଆସିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିଜକୁ ଟାଟାର ଏମଡି କହି ସ୍କାଇ କିଙ୍ଗ ନାମକ ଏକ ଟ୍ରାଭେଲ ସଂସ୍ଥାକୁ ଆକାଶ ଠକିଥିବା ଅଭିଯୋଗ ହୋଇଥିଲା । ଏ ନେଇ ସ୍କାଇ କିଙ୍ଗର ମାନେଜିଂ ପାର୍ଟନର ପ୍ରଭାସ କୁମାର ଚୌଧୁରୀ ଅଭିଯୋଗ କରିଥିଲେ ।

ଟ୍ରେନ୍, ବିମାନ ଓ ଚାର୍ଟର ବିମାନ ଟିକେଟ୍ ବାବଦରେ ୬୫ ଲକ୍ଷ ୧୬ ହଜାର ଟଙ୍କା ଆକାଶ ପାଠକ ଠକିଥିବା ନେଇ ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ । ସ୍କାଇ କିଙ୍ଗ ପକ୍ଷରୁ କୁହାଯାଇଥିଲା, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ନାଁରେ ଜାଲ କାଗଜପତ୍ର ଦେଇ ଚାର୍ଟର ଫ୍ଲାଇଟ୍ ଓ ହୋଟେଲ୍ ବୁକ୍ କରିଥିଲେ । ଜୁନ ମାସ ପରଠାରୁ ୨ କୋଟି ୭୮ ଲକ୍ଷ ୩୯ ହଜାର ଟଙ୍କାର ବିଲ୍ ହୋଇଥିଲା । ଆକାଶ ୨ କୋଟି ୧୩ ଲକ୍ଷ ୨୨ ହଜାର ଟଙ୍କା ପଇଠ କରିଥିଲେ । ବାକି ଥିବା ୬୫ ଲକ୍ଷ ୧୬ ହଜାର ଟଙ୍କା ନଦେଇ ଠକିଛନ୍ତି ବୋଲି ଅଭିଯୋଗ କରିଛି ସ୍କାଇ କିଙ୍ଗ କଂପାନୀ ।

ସମ୍ବନ୍ଧିତ ଖବର