ଏଣିକି ସୋସିଆଲ୍‌ ମିଡିଆରେ ‘ଆକାଶବାଣୀ’

କଟକ : ଆକାଶବାଣୀର କଟକ କେନ୍ଦ୍ରର ସମ୍ବାଦ ଭିତ୍ତିକ କାର୍ଯ୍ୟକ୍ରମ ଏଣିକି ‌ଶ୍ରୋତା ସୋସିଆଲ୍‌ ମିଡିଆରେ ମାଧ୍ୟମରେ ଶୁଣିପାରିବେ। ଇଣ୍ଟର‌୍‌ନେଟ୍‌ ସେବା ମାଧ୍ୟମରେ ଯେକୌଣସି ସମ୍ବାଦର ରେକର୍ଡ ଶୁଣିବାର ଯୋଜାନା ଆରମ୍ଭ ହୋଇଛି। ଭାରତର ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ତିଆର ସ୍ବପ୍ନକୁ ସାକାର କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏ ପ୍ରକାର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। କଟକ ଆକାଶବାଣୀ କେନ୍ଦ୍ରରେ ଏବେ ସମ୍ବାଦ କାର୍ଯ୍ୟକ୍ରମ ସକାଳ ୭ଟା ୫ରୁ ୭ଟା ୧୦, ୭ଟା ୧୫ରୁ ୭ଟା ୨୫, ୧ଟା ୫୦ରୁ ୨ଟା, ୨ଟା ୨୫ରୁ ୨ଟା ୪୨, ୬ଟା ୪୫ରୁ ୬ଟା ୫୫, ୭ଟା ୧୫ରୁ ୭ଟା ୨୫ ପର୍ଯ୍ୟନ୍ତ ଆଞ୍ଚଳିକ ସମାଚାର, ଜାତୀୟ ସମାଚାରର ସାଧାପ୍ରସାରଣ ରେଡିଓ ମାଧ୍ୟମରେ କରାଯାଉଥିଲା। ପରେ ନିଜସ୍ବ ଓେବ୍‌ସାଇଟ୍‌ http://www.newsonair.com/Default.aspx ରେ ପ୍ରସାରିତ କରାଯାଇଥିଲା। କିନ୍ତୁ ଏବେ ଯୁବପିଢ଼ୀ ସୋସିଆଲ୍‌ ମିଡିଆର ବହୁଳ ବ୍ୟବହାର କରୁଥିିବାରୁ ସେମାନଙ୍କୁ ନଜରରେ ରଖି ଫେସବୁକ, ଟୁଇଟର‌୍‌ ଏବ˚ ୟୁଟ୍ୟୁବ୍‌ରେ ଆକାଶବାଣୀ କଟକ କେନ୍ଦ୍ରରୁ ଓଡ଼ିଆ ସମ୍ବାଦ କାର୍ଯ୍ୟକ୍ରମର ରେକର୍ଡ ଅପ୍‌ଲୋଡ୍‌ କରାଯିବ। ଯଦ୍ବାରା ଜଣେ ଶ୍ରୋତା ଯେ କୌଣସି ସମୟରେ ସମ୍ବାଦ ଶୁଣି ପାରିବ। ସମ୍ବାଦ ଶୁଣିବା ପାଇଁ ରେଡିଓ ଖୋଲିବାକୁ ଆବଶ୍ୟକ ପଡ଼ିବ ନାହିଁ। ଏବେ ପ୍ରାଥମିକ ପର୍ଯ୍ୟାୟରେ କେବଳ ସମ୍ବାଦ ଭିତ୍ତିକ କାର୍ଯ୍ୟକ୍ରମ ଅପ୍‌ଲୋଡ କରାଯିବାକୁ ଯୋଜନା ହୋଇଥିବା ବେଳେ ପରବର୍ତ୍ତି ପର୍ଯ୍ୟାୟରେ ଅନ୍ୟ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଶ୍ରୋତା ଶୁଣିପାରିବେ। ଏଥିପାଇଁ ସ୍ବତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତ କରାଯିବା ସମ୍ପର୍କରେ ସୂଚନା ମିଳିଛି।

ସମ୍ବନ୍ଧିତ ଖବର