ସମ୍ବଲପୁର : ଆଉ ମାସ ତିନିଟି ଗଲେ ଆକାଶବାଣୀ ସମ୍ବଲପୁରକୁ ୬୦ ବର୍ଷ ପୂରିବ। ଅନେକ ଗୌରବ ଓ ଲୋକପ୍ରିୟତାର ଗନ୍ତାଘର ଥିବା ରାଜ୍ୟର ଏହି ଦ୍ବିତୀୟ ପୁରାତନ ବେତାର କେନ୍ଦ୍ର ଏବେ ଅବସର ନେବା ଭଳି ସ୍ଥିତିକୁ ଆସିଗଲାଣି। ବିଶେଷ କରି କର୍ମଚାରୀ ଅଭାବ, ଶ୍ରୋତା ସଂଖ୍ୟା ହ୍ରାସ ତଥା ସମୟ ସହ ତାଳ ଦେଇ ନପାରିବା କାରଣରୁ ଏହି କେନ୍ଦ୍ର କ୍ରମଶଃ ପ୍ରାସଂଗିକତା ହରାଇବାରେ ଲାଗିଛି। ଏକଦା ଫକିର ପଟ୍ଟନାୟକ, ଅଟଳ ବିହାରୀ ପଣ୍ଡା, ଲୋକ ଜନନୀ ପଣ୍ଡା, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଡ. କ୍ରିଷ୍ଣା ପଟେଲ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ବିନୋଦ ପଶାୟତ, ବିଭୂତି ପଟ୍ଟନାୟକଙ୍କ ଭଳି ମହାନ ହସ୍ତୀଙ୍କୁ ପରିଚୟ ଦେଇଥିବା ଆକାଶବାଣୀ ସମ୍ବଲପୁର ଆଜି ନିଜ ପରିଚୟ ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରୁଛି।
୧୯୬୩ ମସିହା ମେ’ ମାସ ୨୬ ତାରିଖରେ ଓଡ଼ିଶାର ଦ୍ବିତୀୟ କେନ୍ଦ୍ରଭାବେ ପ୍ରତିଷ୍ଠା ଲାଭ କରିଥିଲା ଆକାଶବାଣୀ ସମ୍ବଲପୁର। ଗ୍ରାମାଞ୍ଚଳ ଶ୍ରୋତାମାନଙ୍କ ପାଇଁ ଗହନ କୃଷି ଉନ୍ନୟନମୂଳକ କାର୍ଯ୍ୟକ୍ରମ ପରିବେଷଣ କରିବାର ଲକ୍ଷ୍ୟ ନେଇ ପ୍ରତିଷ୍ଠା ହୋଇଥିବା ଏହି କେନ୍ଦ୍ର ପ୍ରାରମ୍ଭରେ କେବଳ କୃଷି ଆଧାରିତ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଉଥିଲା। ଏହା ଆକାଶବାଣୀ କଟକର ଏକ ପୂରକ ପ୍ରସାରଣ କେନ୍ଦ୍ର ରୂପେ କାର୍ଯ୍ୟ କରୁଥିଲା ଓ ମୁଖ୍ୟତଃ କଟକ ପ୍ରସ୍ତୁତ କାର୍ଯ୍ୟକ୍ରମ ସବୁ ପ୍ରଚାର କରୁଥିଲା। କାଳକ୍ରମେ ଏହା ଶିକ୍ଷା ଓ ମନୋର˚ଜନ ମାଧ୍ୟମରେ କୃଷି, ଘରକରଣା, ଯୁବବାଣୀ, ବିଦ୍ୟାଳୟ କାର୍ଯ୍ୟକ୍ରମ, ଶିଳ୍ପଭିତ୍ତିକ ନିଜସ୍ବ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରସାର କରିଥିଲା। ସମ୍ବଲପୁରୀ ଭାଷା, ଲୋକ ସ˚ସ୍କୃତି, ଲୋକକଳା ସମ୍ପର୍କିତ କାର୍ଯ୍ୟକ୍ରମ ଗୁଡ଼ିକ ପାଇଁ ଆକାଶବାଣୀ ସମ୍ବଲପୁର ଶ୍ରୋତା ମହଲରେ ବିଶେଷ ଆଦୃତି ଓ ଲୋକପ୍ରିୟତା ଲାଭ କରିଥିଲା।
୧୯୬୩ରେ ସାକ୍ଷୀପଡ଼ାର ଏକ ଭଡ଼ା ଘରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ର ୧୯୮୪ ମସିହା ସେପ୍ଟେମ୍ବର ୨୧ ତାରିଖରୁ ସ୍ଥାୟୀ ଟାଇପ୍-୧ ଷ୍ଟୁଡିଓ ସ୍ଥାପନ ସହ ନିଜସ୍ବ କୋଠାରେ କାର୍ଯ୍ୟ କରି ଆସୁଛି। ସମ୍ବଲପୁର ସହର ଉପକଣ୍ଠ ମାନେଶ୍ବରଠାରେ ଥିବା ଟ୍ରାନ୍ସମିଟରର ପ୍ରସାରଣ କ୍ଷମତା ପ୍ରଥମେ ୨୦ କିଲୋଵାଟ୍ ଥିବାବେଳେ ୧୯୯୮ ମସିହାରେ ତାହା ୧୦୦ କିଲୋଵାଟ୍କୁ ବୃଦ୍ଧି କରା ଯାଇଥିଲା। ସ˚ପ୍ରସାରଣ ପରବର୍ତୀ ପର୍ଯ୍ୟାୟରେ ୨୦୦୩ ମସିହାଠାରୁ ଏହି କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମର ରେକର୍ଡି˚ କମ୍ପ୍ୟୁଟର୍ ଦ୍ବାରା କରାଯାଉଛି। ୨୩ ନଭେମ୍ବର ୨୦୧୫ରେ ୫ କିଲୋଓ୍ୱାଟ୍ କ୍ଷମତା ସମ୍ପନ୍ନ ଏଫ୍ଏମ୍ ଟ୍ରାନ୍ସମିଟର୍ର ଶୁଭାରମ୍ଭ ହେବା ଫଳରେ ଶ୍ରୋତାମାନଙ୍କୁ ମୋବାଇଲ୍ରେ ମଧ୍ୟ ଆକାଶବାଣୀ କାର୍ଯ୍ୟକ୍ରମ ଶୁଣିବାର ସୁଯୋଗ ମିଳୁଛି। ସେହିପରି ୨୩ ଜାନୁଆରି ୨୦୧୬ରୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ପ୍ରସାରଣର ଶୁଭାରମ୍ଭ ହୋଇଥିଲା। ଯାହା ପ୍ରତିଦିନ ସନ୍ଧ୍ୟା ୮ଟା ୧୫ରେ ପ୍ରସାରଣ କରାଯାଉଛି। ଏଯାବତ ଆକାଶବାଣୀ ସମ୍ବଲପୁର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୪୬ଟି ପୁରସ୍କାର ପାଇ ସାରିଛି।
ତେବେ ଆକାଶବାଣୀ ସମ୍ବଲପୁରର ପୂର୍ବ ସ୍ଥିତି ଆଉ ନାହିଁ। ଏବେ ବି କାର୍ଯ୍ୟକ୍ରମ ପ୍ରସ୍ତୁତ ଓ ପ୍ରଚାରିତ ହେଉଛି କିନ୍ତୁ ପୂର୍ବ ଭଳି ଶ୍ରୋତା ଆଉ ନାହାନ୍ତି। ପୂର୍ବ ଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ ପାଇଁ ଉପଯୁକ୍ତ ସଂଖ୍ୟକ ଦକ୍ଷ ଅଧିକାରୀ, କର୍ମଚାରୀ ନାହାନ୍ତି। ପୂର୍ବରୁ ଯୁବ ପିଢ଼ି ତଥା କଳା ସଂସ୍କୃତିରେ ରୁଚି ରଖୁଥିବା ବହୁ ସଂଖ୍ୟକ ଲୋକ ଆକାଶବାଣୀରେ ଅସ୍ଥାୟୀ ଭାବେ କାମ କରୁଥିବା ବେଳେ ଏବେ ଆଉ ପୂର୍ବ ଭଳି ଆଗ୍ରହ ଦେଖିବାକୁ ମିଳୁ ନାହିଁ। ତେବେ ଏହି କେନ୍ଦ୍ର ପ୍ରତି ଯେ ପଶ୍ଚିମ ଓଡ଼ିଶାବାସୀଙ୍କ ଆସକ୍ତି ଓ ସମ୍ବେଦନଶୀଳତା ଶେଷ ହୋଇଯାଇଛି ତାହା ନୁହେଁ। ଏହାର ହୃତଗୌରବ ଫେରାଇ ଆଣିବା ପାଇଁ ଉଭୟ ସରକାର ଓ ସ୍ଥାନୀୟ ଲୋକେ ମିଳିତ ଭାବେ ପ୍ରୟାସ କରିବା ଦରକାର। ରବିବାର ବିଶ୍ବ ରେଡିଓ ଦିବସରେ ସମସ୍ତେ ମିଳିତ ଭାବେ ଏହି ସଂକଳ୍ପ ନେବା ଉଚିତ।