ଖୋଲୁଛି ଆକାଶ ପାଠକଙ୍କ ଜାଲ୍ ସାମ୍ରାଜ୍ୟର ଗୁମର: ସାମ୍ନାକୁ ଆସିଲା ଟାଟା କମ୍ପାନିର ଜାଲ ନିଯୁକ୍ତିପତ୍ର

କ୍ରାଇମବ୍ରାଂଚ୍ ଅଧିକାରୀଙ୍କୁ ଚିଠି ଲେଖି କହିଥିଲେ, ସେ ରତନ ଟାଟାଙ୍କ ଖାସ୍ ଲୋକ, ତାଙ୍କ ନାଁରେ କରାଯାଉଛି ମିଛ ପ୍ରଚାର

ଭୁବନେଶ୍ବର: ଆକାଶ ପାଠକର କାହାଣୀ ଯେତେ ଲମ୍ବୁଛି ସେତେ ନୂଆ ନୂଆ କଥା ସାମନାକୁ ଆସୁଛି । ଏମିତି ତଥ୍ୟ ସାମନାକୁ ଆସୁଛି, ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଆଜି ଗଣମାଧ୍ୟମ ହାତରେ ଆକାଶ ପାଠକଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଚିଠି ଲାଗିଛି । ଟାଟା କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଭାବେ ନିଜକୁ ପ୍ରମାଣିତ କରିବା ପାଇଁ କେମିତି ଷଡଯନ୍ତ୍ର ରଚିଥିଲେ, ଚିଠିରୁ ତାହା ସ୍ପଷ୍ଟ ହେଉଛି ।

ଠକେଇ, ଜାଲିଆତି, ଅନିୟମିତତା ଆଦି ସବୁ ଅପରାଧରେ ସେ ପାରଙ୍ଗମ । ଜଣେ ବ୍ୟକ୍ତି କେତେ ଯେ ଧୂର୍ତ୍ତ ହୋଇପାରେ ତାର ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି । ନିଜକୁ ଟାଟା ମୋଟର୍ସର ପୁନେ ଡିଭିଜନର ପରିଚାଳନା ନିର୍ଦ୍ଦେଶକର ପରିଚୟ ଦେଉଥିବା ଆକାଶ ପାଠକଙ୍କ ନିଯୁକ୍ତି ଜାଲିଆତିର କିଛି ପ୍ରମାଣ ସାମ୍ନାକୁ ଆସିଛି ।

ନିଯୁକ୍ତି ପତ୍ର, ମେରିଟ୍ ଲିଷ୍ଟ, ନକଲି ଚିଠି । ଟାଟା କମ୍ପାନି ସହ ଆଦୌ ସମ୍ପର୍କ ନଥିବା ଆକାଶ ପାଠକ୍, ନିଯୁକ୍ତି ନାଁରେ ଏଭଳି କେଳେଙ୍କାରୀ କରିଛନ୍ତି, ଯାହା ସାଧାରଣ ଲୋକ ଧରିବା ମୁସ୍କିଲ । ଅଫର୍ ଲେଟର, ଆପଏଣ୍ଟମେଣ୍ଟ ଲେଟର, ସିଲେକ୍ସନ୍ ଲିଷ୍ଟ, ଏମିତି ଅନେକ ଚିଠି ପ୍ରସ୍ତୁତ କରିଛନ୍ତି । ସବୁଥିରେ ଟାଟାର ଲୋଗୋ ଅଛି, ଟାଟା ପୁନେ କାର୍ଯ୍ୟାଳୟର ଠିକଣା ବି ଅଛି ଏବଂ ଜିଏସଟି ନମ୍ବର ବି ରହିଛି ।

କେବଳ ସେତିକି ନୁହେଁ, ଆକାଶଙ୍କ ମିଛ ସାମ୍ରାଜ୍ୟର ଜାଲି ଦସ୍ତାବିଜ୍ ମଧ୍ୟ ସାମ୍ନାକୁ ଆସିଛି । ଟାଟା ଆଡମିନିଷ୍ଟ୍ରେଟିଭ୍ ସର୍ଭିସର ନିଯୁକ୍ତି ପତ୍ର, ଟାଟା ମୋଟର୍ସ ପୁନେ ଡିଭିଜନର ଭାଇସ୍ ପ୍ରେସିଡେଂଟର ନିଯୁକ୍ତି ପତ୍ର, ବୋର୍ଡ ଅଫ୍ ଡାଇରେକ୍ଟର ଆକାଶ ପାଠକଙ୍କ ଦାୟିତ୍ୱ । ଆଉ ଏହି ସବୁ କାଗଜପତ୍ର ପଛରେ ରହିଛି ଠକେଇର ମୂଳଦୂଆ ।

ଆଉ ଯେତେବେଳେ ଟାଟା କମ୍ପାନି ନାଁରେ ନିଯୁକ୍ତି ଠକେଇର ଅଭିଯୋଗ ଆସିଥିଲା । ନିଜ ଆଡୁ ସଫେଇ ରଖି, କ୍ରାଇମବ୍ରାଂଚ୍ ଏଡିଜିଙ୍କୁ ଚିଠି ଲେଖିଥିଲେ ଆଇଏଫଏସ୍ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ୍ । ଚିଠିରେ ଯେଉଁ ସବୁ କଥା ଲେଖିଛନ୍ତି ତାହା କାହାରିକୁ ବି ଆଶ୍ଚର୍ଯ୍ୟ କରିଦେବ।

ଚିଠିରେ କ୍ରାଇମବ୍ରାଂଚକୁ ଲେଖିଥିଲେ, ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ତାଙ୍କ କାମରେ ଖୁସି ହୋଇ ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ । ଟାଟା ମୋଟର୍ସ ବାହାରେ ୨୦୧୯ ମସିହାରେ ପଲିଟିକାଲ ଫଣ୍ଡିଂ ପାଇଁ ନୋଡାଲ ଅଫିସର ନିଯୁକ୍ତ କରିଥିଲେ । ସେହିପରି ୨୦୧୯ରେ ସାଇରସ୍ ମିସ୍ତ୍ରୀ ଓ ନଟରାଜନ ଚନ୍ଦ୍ରଶେଖରନ୍ ବିବାଦ ସମୟରେ ତାଙ୍କୁ ରତନ ଟାଟା ସ୍ୱତନ୍ତ୍ର ଦାୟିତ୍ୱ ଦେଇଥିଲେ । ଟାଟା ଟ୍ରଷ୍ଟର ସଦସ୍ୟ କରିବା ପାଇଁ ରତନ ଟାଟା ଚାହୁଁଥିଲେ ବୋଲି ଲେଖିଛନ୍ତି ଆକାଶ ପାଠକ ।

ବଡ଼ କଥା ହେଉଛି, ଉଣା ଅଧିକେ ଆକାଶ ପାଠକଙ୍କ କେଳେଙ୍କାରୀର ଖବର କ୍ରାଇମବ୍ରାଂଚ୍ ପାଖରେ ଥିଲା, ଯାହା ଏହି ଚିଠିରୁ ପ୍ରମାଣିତ ହେଉଛି । ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ଏତେ ସମୟ କାହିଁକି ଲାଗିଲା, ତାହା ଆଉ ଏକ ବଡ଼ ପ୍ରଶ୍ନ ।

ଏସବୁ ଭିତରେ ସ୍କାଇ କିଙ୍ଗକୁ ୬୫ ଲକ୍ଷ ଟଙ୍କାର ଚୁନା ଲଗେଇ ଦେଇଛନ୍ତି ଆଇଏଫଏସ୍ ବାବୁଙ୍କ ପୁଅ । ଟ୍ରେନ୍, ବିମାନ ଓ ଚାର୍ଟର ପ୍ଲେନ୍ ଟିକେଟ୍ ବାବଦରେ ୬୫ ଲକ୍ଷ ୧୬ ହଜାର ଟଙ୍କା ଆକାଶ ପାଠକ ଠକିଥିବା ନେଇ ଅଭିଯୋଗ ହୋଇଛି । ସ୍କାଇ କିଙ୍ଗ ପକ୍ଷରୁ କୁହାଯାଇଛି, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ନାଁରେ ଜାଲ କାଗଜପତ୍ର ଦେଇ ଚାର୍ଟର ଫ୍ଲାଇଟ୍ ଓ ହୋଟେଲ୍ ବୁକ୍ କରିଥିଲେ । ଜୁନ ମାସ ପରଠାରୁ ୨ କୋଟି ୭୮ ଲକ୍ଷ ୩୯ ହଜାର ଟଙ୍କାର ବିଲ୍ ହୋଇଥିଲା । ଆକାଶ ୨ କୋଟି ୧୩ ଲକ୍ଷ ୨୨ ହଜାର ଟଙ୍କା ପଇଠ କରିଥିଲେ । ବାକି ଥିବା ୬୫ ଲକ୍ଷ ୧୬ ହଜାର ଟଙ୍କା ଏବେ ବି ବାକି ରହିଛି ।

ସମ୍ବନ୍ଧିତ ଖବର