ସହରରେ ଆଖଡ଼ା ଶୋଭାଯାତ୍ରା: ଆକର୍ଷଣ ସାଜିଲା ୧୨ ଆଖଡ଼ାର ୩୦ ଝାଙ୍କି

ରାଉରକେଲା: ଭାଇଚାରାର ସହର ରାଉରକେଲାରେ ଶାନ୍ତିଶୃଙ୍ଖଳାର ସହ ‌ରାମନବମୀ ଆଖଡା ଶୋଭାଯାତ୍ରା ଶେଷ ହୋଇଛି। ଆଖଡ଼ା ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ୧୨ ଆଖଡ଼ାର ୩୦ରୁ ଅଧିକ ଝାଙ୍କି। ପ୍ରତ୍ୟେକ ଆଖଡ଼ାର ହନୁମାନଙ୍କ ପ୍ରତିମୂର୍ତ୍ତି ଯେତିକି ସୁନ୍ଦର ଥିଲା, ତା’ଠାରୁ ଢ଼େର ଆକର୍ଷଣ ସାଜିଥିଲା ଶୋଭାଯାତ୍ରାରେ ସାମିଲ ହୋଇଥିଲା ନୌସେନାର ବୁଡା ଜାହାଜ, ରାମନ୍ଦିର, ଅମରନାଥର ଶିବ ଲିଙ୍ଗ, ବୋଇତି, ସୁଖୋଇ ଯୁଦ୍ଧ ବିମାନ ଓ ବନ୍ଦେ ଭାରତ ଟ୍ରେନ୍‌। ସେମିତି ହନୁମାନ ବେଶଧାରୀ କୁନି ପିଲା ଓ ଯୁବକ ନାଚ ହଜାର ହଜାର ଦର୍ଶକଙ୍କ ମନ ଛୁଇଁଥିଲା। ପୂର୍ବନିର୍ଦ୍ଧାରିତ ସମୟ ଅନୁଯାୟୀ ଉଦିତନଗରର ବାବା ଶମ୍ଭୁନାଥ ଆଖଡ଼ା ପ୍ରଥମେ ଶୋଭାଯାତ୍ରାରେ ସାମିଲ ହୋଇଥିଲା। ତା’ ପରେ ଗୋଟିଏ ପରେ ଗୋଟିଏ ଆଖଡ଼ା ମୁଖ୍ୟ ମାର୍ଗରେ ପ୍ରବେଶ କରିଥିଲେ।

ଶେଷରେ ଉଦିତନଗର ସିଂହାସିନୀ ମନ୍ଦିରର ରୁଦ୍ର ବାବା ଆଖଡ଼ା ସାମିଲ ହୋଇଥିଲା। ରାତି ପ୍ରା୍ୟ ସାଢ଼େ ୯ଟାରେ ଉଦିତନଗର ଆମ୍ବେଦକର ଛକରେ ଶେଷ ହୋଇଥିଲା। ପ୍ରତ୍ୟେକ ଆଖଡ଼ା କମିଟିର ଯୁବକମାନଙ୍କର ବିଭିନ୍ନ କଳା କୌଶଳ ପ୍ରଦର୍ଶନ ଓ ବାଡ଼ି ଖେଳ ବେଶ୍‌ ଚମତ୍କାର ହୋଇଥିଲା। ଏଥିସହ ସମ୍ବଲପୁର ଦୁଲଦୁଲି ବାଜା ସହ ଶ୍ରୀରାମ ଧ୍ବନିରରେ ପ୍ରକମ୍ପିତ ହୋଇଥିଲା ସମଗ୍ର ସହର। ରାଉରକେଲା ବିର୍‌ସା ମୁଣ୍ଡା ଛକରୁ ଉଦିତନଗର ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ବ୍ୟାପୀ ରାଉରକେଲା ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ହଜାର ହଜାର ଦର୍ଶକଙ୍କ ଆଖଡ଼ା ‌ଶୋଭାଯାତ୍ରାକୁ ମନଭରି ଉପଭୋଗ କରିଥିଲେ। ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କର୍ମକର୍ତ୍ତାମାନଙ୍କ ପକ୍ଷରୁ ରାସ୍ତା ଦୁଇ ପାର୍ଶ୍ବରେ ଆଖଡ଼ା କମିଟିର କର୍ମକର୍ତ୍ତା ଓ ଦର୍ଶକମାନଙ୍କୁ ଥଣ୍ଡା ପାନୀୟ, ଚଣା, ଖେଚୁଡି, ତରଭୁଜ ଆଦି ବଣ୍ଟନ କରାଯାଇଥିଲା। ପ୍ଲାଣ୍ଟସାଇଟ୍‌ ଭାଟି ରୋଡ ନିକଟରେ ଇଣ୍ଟିଗ୍ରେସନ୍‌ ଫୋରମ୍‌ର ସଦସ୍ୟ ଓ ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁ ୧୨ ଆଖଡ଼ାର ସଭାପତି, ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ମୁତୟନ ଥିଲେ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ
ଦୁଲଦୁଲି, ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର

ପ୍ରତ୍ୟେକ ଆଖଡ଼ା ଶୋଭାଯାତ୍ରାରେ ସହରର ସମ୍ପ୍ରଦାୟର ଲୋକମାନେ ସାମିଲ ହୋଇ ଆଖଡ଼ା କମିଟିର କର୍ମକର୍ତ୍ତାଙ୍କ ଉତ୍ସାହ ବଢ଼ାଇଥିଲେ। ସୁରକ୍ଷା ଦୃଷ୍ଟିକୋଣରୁ ଆଖଡ଼ା ଶୋଭାଯାତ୍ରାରେ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଏଥିସହ ସହରର ପ୍ରମୁଖ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଶୋଭାଯାତ୍ରାରେ ବସ୍‌ଷ୍ଟାଣ୍ଡର ତ୍ରିନାଥ ଆଖଡ଼ାର ପ୍ରମୋଦ ଶର୍ମା, ଯଶବିନ୍ଦର ସିଂହ ଗୋଲ୍‌ଡି, ବିନୟ ସିଂହ, ବିଶ୍ରା ଛକ ମହାବୀର ଆଖଡ଼ାର ବିରେନ ପତି, ଉମେଶ କୁମାର, ଟ୍ରାଫିକ୍‌ ମାର୍କେଟ ପଞ୍ଚତୀର୍ଥ ମନ୍ଦିର ଜୟ ହନୁମାନ ଆଖଡ଼ାର ପଙ୍କଜ ମୂଲଚନ୍ଦାନୀ, ମହତାବ ରୋଡସ୍ଥ ଶିବଶକ୍ତି ଆଖଡାର ଯୋଗେଶ ଶର୍ମା, ଟିଙ୍କୁ ସାମଲ, ଡିଲକ୍ସଗଳି ମହାକାଳ ଆଖଡ଼ାର ରାଜୀବର ଜସ୍ବାଲ, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ଭୂତନାଥ ଆଖଡ଼ାର ପପୁ ଜସ୍ବାଲ, ରାଜେଶ ପ୍ରସାଦ, ରାହୁଲ ମହାନ୍ତି, ଡେଲିମାର୍କେଟ ନବଯୁବକ ସଂଘ ଆଖଡ଼ାର ସତ୍ୟାନନ୍ଦ ମହାନ୍ତି, ବିବେକ ଶ୍ରୀବାସ୍ତ, ଲାଲ୍‌ ବିଲ୍‌ଡିଂ ଆଖଡ଼ାର ସୁବାସ ବର୍ମା,‌ ବ୍ରିଜେଶ ମହାତୋ, ନିରଞ୍ଜନ ବର୍ମା, ରାଜୁ ପାତ୍ର ନେତୃତ୍ବ ନେଇଥିଲେ। ସେହିପରି ବିର୍‌ସା ଡାହାର ରୋଡ ଜୟ ହନୁମାନ ଆଖଡ଼ାର ଗଗନ ପଣ୍ଡା, ଦିଲୀପ ଶର୍ମା, ମାଲଗୋଦାମ ରାଣା ପ୍ରତାପ ଆଖଡାର ସମରପ୍ରିୟ ତନ୍ତୀ, ସନ୍ଦୀପ ଅଗ୍ରୱାଲ, କୁମ୍ଭାରପଡା ବାବା ଶମ୍ଭୁନାଥ ଆଖଡ଼ାର ସୁବାସ ସିଂହ, ଉଦିତନଗର ରୁଦ୍ର ବାବା ଆଖଡ଼ାର ତାପସ ଆଚାର୍ଯ୍ୟ, ଅରୁଣ କୁଶଳ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର