ଆଖଡ଼ା ଶୋଭାଯାତ୍ରାକୁ ଜଗିବେ ୨୫ ପ୍ଲାଟୁନ ଫୋର୍ସ

ସଂଧ୍ୟା ୭ ସୁଦ୍ଧା ସରିବ ଶୋଭାଯାତ୍ରା

ରାଉରକେଲା: ରାମନବମୀ ଉପଲକ୍ଷେ ବାହାରିବାକୁ ଥିବା ଆଖଡ଼ା ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେ‌ଷ କରିବାକୁ ଆଜି ପୁଲିସ ମୁଖ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୋ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହ ପୁଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆସନ୍ତା ୩୧ରେ ରାଉରକେଲା ମୁଖ୍ୟ ମାର୍ଗରେ ବାହାରିବାକୁ ଥିବା ଆଖଡ଼ା ଶୋଭାଯାତ୍ରା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୩୧ ଅପରାହ୍ନ ୨ରେ ବିର୍ସା ମୁଣ୍ଡା ଛକରୁ ଆଖଡ଼ା ‌ଶୋଭାଯାତ୍ରା ବାହାରିବ। ସଂଧ୍ୟା ୭ଟା ସୁଦ୍ଧା ଉଦିତନଗର ଆମ୍ବେଦକର ଛକରେ ଶୋଭାଯାତ୍ରା ଶେଷ ହେବ। ଶୋଭାଯାତ୍ରାରେ ମୋଟ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ଏଥିସହ ସହରର ପ୍ରମୁଖ ଛକ ମଧ୍ୟ ପୁଲିସ ମୁତୟନ କରାଯିବ ବୋଲି ଏସ୍‌ପି ଶ୍ରୀ ଭାମୋ କହିଛନ୍ତି। ସେମିତି ବୈଠକରେ ରାସ୍ତା ମରାମତି, ଆଲୋକୀକରଣ, ପାନୀୟ ଜଳକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ବୈଠକରେ ରାଉରକେଲା ମୁଖ୍ୟ ମାର୍ଗ, ବନ୍ଧମୁଣ୍ଡା, ପାନପୋଷ, ସେକ୍ଟର-୧୫, ବେଦବ୍ୟାସ ଆଖଡ଼ା କମିଟିର ପ୍ରତିନିଧି ଯୋଗଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ କହିଥିଲେ। ଇଣ୍ଟିଗ୍ରେସନ୍‌ ଫୋରମ୍‌ ଓ ଶାନ୍ତି କମିଟିର କର୍ମକର୍ତ୍ତାମାନଙ୍କ ସହ ମୁସ୍‌ଲିମ୍‌ ସମ୍ପ୍ରଦାୟର ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ରହି ଆଖଡ଼ା ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କହିଥିଲେ।

ବିଲାଲ ଅହମ୍ମଦ, ସୋନକର ନାୟକ, ଦେବବ୍ରତ ବିହାରି, ପୂର୍ବ ନଗରପାଳ କାଳନ୍ଦୀ ବଡଜେନା, ମହମ୍ମଦ ଖାଲିଦ୍‌, ଅଫ୍ରୋଜ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ। ବସ୍‌ଷ୍ଟାଣ୍ଡର ତ୍ରିନାଥ ଆଖଡ଼ାର ପ୍ରମୋଦ ଶର୍ମା, ଯଶବିନ୍ଦର ସିଂହ ଗୋଲ୍‌ଡି, ବିନୟ ସିଂହ, ବିଶ୍ରା ଛକ ମହାବୀର ଆଖଡ଼ାର ବିରେନ ପତି, ଉମେଶ କୁମାର, ଟ୍ରାଫିକ୍‌ ମାର୍କେଟ ପଞ୍ଚତୀର୍ଥ ମନ୍ଦିର ଜୟ ହନୁମାନ ଆଖଡ଼ାର ପଙ୍କଜ ମୂଲଚନ୍ଦାନୀ, ମହତାବ ରୋଡସ୍ଥ ଶିବଶକ୍ତି ଆଖଡାର ଯୋଗେଶ ଶର୍ମା, ଟିଙ୍କୁ ସାମଲ, ଡିଲକ୍ସଗଳି ମହାକାଳ ଆଖଡ଼ାର ରାଜୀବର ଜସ୍ବାଲ, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ଭୂତନାଥ ଆଖଡ଼ାର ପପୁ ଜସ୍ବାଲ, ରାଜେଶ ପ୍ରସାଦ, ରାହୁଲ ମହାନ୍ତି, ଡେଲିମାର୍କେଟ ନବଯୁବକ ସଂଘ ଆଖଡ଼ାର ସତ୍ୟାନନ୍ଦ ମହାନ୍ତି, ବିବେକ ଶ୍ରୀବାସ୍ତ, ଲାଲ୍‌ ବିଲ୍‌ଡିଂ ଆଖଡ଼ାର ସୁବାସ ବର୍ମା,‌ ବ୍ରିଜେଶ ମହାତୋ, ନିରଞ୍ଜନ ବର୍ମା, ରାଜୁ ପାତ୍ର ଉପସ୍ଥିତ ଥିଲେ। ବିର୍‌ସା ଡାହାର ରୋଡ ଜୟ ହନୁମାନ ଆଖଡ଼ାର ଗଗନ ପଣ୍ଡା, ଦିଲୀପ ଶର୍ମା, ମାଲଗୋଦାମ ରାଣା ପ୍ରତାପ ଆଖଡାର ସମରପ୍ରିୟ ତନ୍ତୀ, ସନ୍ଦୀପ ଅଗ୍ରୱାଲ, କୁମ୍ଭାରପଡା ବାବା ଶମ୍ଭୁନାଥ ଆଖଡ଼ାର ସୁବାସ ସିଂହ, ଉଦିତନଗର ରୁଦ୍ର ବାବା ଆଖଡ଼ାର ଅରୁଣ କୁଶଳ ଯୋଗଦେଇ ନିଜର ମତ ରଖିଥିଲେ। ଏହା ପୂର୍ବରୁ ଆଖଡ଼ା ଶୋଭାଯାତ୍ରାକୁ ନେଇ ପ୍ଲାଣ୍ଟସାଇଟ୍‌ ଥାନାରେ ପ୍ରଥମ ପର୍ଯ୍ୟାୟ ଶାନ୍ତି ବୈଠକ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର