୯ ମାସ ପରେ ଖୋଲିଲା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିର

ଚାନ୍ଦବାଲି: ପ୍ରାୟ ୯ ମାସ ପରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆଖଣ୍ଡଳମଣି ମନ୍ଦିର ଆଜି ଖୋଲିଛି। ଆଜିଠାରୁ ସେବାୟତ ପରିବାରବର୍ଗ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରୁଛନ୍ତି। ଆସନ୍ତା ୨୯ ତାରିଖ ଯାଏଁ ସେବାୟତ ଓ ସେମାନଙ୍କ ପରିବାରବର୍ଗଙ୍କ ଲାଗି ମନ୍ଦିର ଖୋଲିଛି। ଏହି ସମୟରେ ମାସ୍କ ଓ ପରିଚୟପତ୍ର ସାଙ୍ଗରେ ଧରି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ତେବେ ମନ୍ଦିର ଭିତରକୁ ପୂଜାସାମଗ୍ରୀ ଓ ଦୀପ ନେବାକୁ ବାରଣ କରାଯାଇଛି।


ସ୍ଥାନୀୟ ୪ଟି ପଞ୍ଚାୟତ ଓଳଗ, ଆରଡି, ସୁନନ୍ଦରପୁର, ନାନ୍ଦପୁର ଅଞ୍ଚଳର ଲୋକଙ୍କ ଦର୍ଶନ ପାଇଁ ୩୦ ଓ ୩୧ରେ ଖୋଲିବ ମନ୍ଦିର। ହେଲେ ଏହି ଲୋକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ରହିବ ବୋଲି ପ୍ରଶାସନ ପକ୍ଷରୁ ଜାରି କରାଯାଇଛି।
ଜାନୁଆରୀ ୧ ଓ୨ ଅର୍ଥାତ ନୂଆବର୍ଷରେ ମନ୍ଦିର ବନ୍ଦ ରହିବା ପରେ ଜାନୁଆରୀ ୩ ତାରିଖରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲିବ। ଏଥିପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ସକାଳ ୭ଟା ଠାରୁ ସନ୍ଧ୍ୟା ୫ଟା ଯାଏଁ ଦର୍ଶନ କରିବେ।
ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ଦୀର୍ଘ ୯ ମାସରୁ ଉର୍ଦ୍ଧ ହେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିବାରୁ ଅଗଣିତ ଶ୍ରଦ୍ଧାଳୁଭକ୍ତ ବାବାଙ୍କ ଦର୍ଶନରୁ ବଞ୍ଚିତ ଥିଲେ। ଭକ୍ତଙ୍କ ଦର୍ଶନ ଓ ମନ୍ଦିର ଖୋଲିବା ପାଇଁ ବିଭିନ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହେବା ପରେ ଖୋଲିଛି ବାବାଙ୍କ ମନ୍ଦିର। ଏଥିପାଇଁ ପ୍ରଶାସନ ପକ୍ଷରୁ ଜାରି ହୋଇଥିଲା ସ୍ବତନ୍ତ୍ର ନିୟମ।

ସମ୍ବନ୍ଧିତ ଖବର