କଟକ : ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା ମହାନ୍ତି ଆଉ ନାହାନ୍ତି। ଶୁକ୍ରବାର ରାତି ୯ଟା ୩୦ରେ ଶେଖବଜାରସ୍ଥିତ ‘ବିଚିତ୍ରବର୍ଣ୍ଣା’ ବାସଭବନରେ ହୃଦ୍ଘାତରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ମିତ୍ରଭାନୁ ମହାନ୍ତି, ଚିତ୍ରଭାନୁ ମହାନ୍ତି, ବୋହୂ ଅନିତା ମହାନ୍ତି, ଅନୂଜା ମହାନ୍ତି, ଝିଅ ଶ୍ରୀଲେଖା, ଶ୍ରୀୟା ଓ ପ୍ରିୟାଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ୧୯୪୬ମସିହାରେ ଜଗତ୍ସିଂହପୁର ତିର୍ତ୍ତୋଲ ରାହାମାରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ମହାନ୍ତି କଟକ ରେଭେନ୍ସା ଗାର୍ଲସ ହାଇସ୍କୁଲରୁ ଶିକ୍ଷା ସମାପ୍ତ କରିଥିଲେ। ୧୯୬୭ ମସିହାରେ ସେ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କୁ ବିବାହ କରିଥିଲେ।
ଅକ୍ଷୟ ମହାନ୍ତିଙ୍କ ସଫଳତା ପଛରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା ବୋଲି କୁହାଯାଏ। ତେବେ ୨୦୦୨ରେ ଅକ୍ଷୟ ମହାନ୍ତିଙ୍କ ଦେହାନ୍ତ ଘଟିବା ପରେ ସେ ପିଲାମାନଙ୍କ ସହିତ ରହୁଥିଲେ। ଆଜି ତାଙ୍କ ପରଲୋକ ଖବର ପାଇ ବିଶିଷ୍ଟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ଗବେଷକ ଅସିତ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ଲୋକ ସ୍ବର୍ଗତ ମହାନ୍ତିଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସତୀଚଉରାରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ବଡ଼ପୁଅ ମିତ୍ରଭାନୁ ମୁଖାଗ୍ନି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/prabina-fi.jpg)