ଭୁବନେଶ୍ବର: ଲେଡି ବ୍ଲାକ୍‌ମେଲର୍‌ ଅଚ୍ଚର୍ନା ନାଗଙ୍କ ମାମାଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ସହ ଇଡି ଅଫିସ୍‌ରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ବି ପହଞ୍ଚିଛନ୍ତି। ସେ ଇଡି ଅଫିସ୍‌କୁ ଯିବା ବାଟରେ ଗଣମାଧ୍ୟମ ପ୍ରତିନିଧୀଙ୍କ ଉପରେ ‌ଜୋର୍‌ସୋର୍‌ ବର୍ଷିଛନ୍ତି। ସେ କହିଛନ୍ତି ଯେ କିଛି ଗଣମାଧ୍ୟମ ଏକଦମ ଦାୟିତ୍ବହୀନ ଭାବେ ଖବର ପରିବେଷଣ କରୁଛନ୍ତି।

Advertisment

ଗଣମାଧ୍ୟମ ପ୍ରତିନିଧୀ ପ୍ରତିକ୍ରିୟା ମାଗିବା ସମୟରେ ସେ କହୁଥିବାର ଶୁଣିବାକୁ ମିଳିଛନ୍ତି, ‘ଆପଣ ଯାହା ସଂପର୍କରେ ଖବର ପରିବେଷଣ କରୁଛନ୍ତି ସେ ‌ଆପଣଙ୍କ ସଂପର୍କୀୟ ବୋଲି ଭାବନ୍ତୁ। ଥରେ ଭାବନ୍ତୁ ଯେ ଆପଣ ଯାହାଙ୍କ ବିଷୟରେ ଖବର ପରିବେଷଣ କରୁଛନ୍ତି ସେ ଆପଣଙ୍କ ଭାଇ, ବାପା, ଦାଦା କିମ୍ବା ମାମୁ ହୋଇପାରନ୍ତି । ଏପରି ଖବର ପ୍ରଚାର କରନ୍ତୁ ନାହିଁ। ମୁଁ ଜଣେ ପୀଡ଼ିତ। ମୋ ସଂପର୍କରେ ଏଭଳି ମିଥ୍ୟ ଖବର ପ୍ରକାଶ କରିବା ଠିକ୍‌ ନୁହେଁ। ମୁଁ ଚାହିଁଲେ ସମସ୍ତଙ୍କୁ କୋର୍ଟ ଭିତରକୁ ଟାଣିପାରିବି।’

ମଙ୍ଗଳବାର ଦିନ ୯ ଘଣ୍ଟା ଜେରା ପରେ ଇଡିରୁ ବାହାରିଥିଲେ ଅକ୍ଷୟ। ଇଡି ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିବ ବୋଲି ସୂଚନା ରହିଛି। ଗତକାଲି ଇଡି ଅଫିସରୁ ବାହାରିବା ପରେ ଅକ୍ଷୟ ପରିଜା କହିଥିଲେ, ତାଙ୍କର ନ୍ୟାୟପାଳିକା ଉପରେ ବିଶ୍ୱାସ ରହିଛି, ଆଇନ ତା ବାଟରେ ଯିବ । ଦୋଷୀ ନିଶ୍ଚିତ ଦଣ୍ଡ ପାଇବ ବୋଲି ସେ ଆଶା ରଖିଥିବା କହିଥିଲେ। ସେହିପରି ତାଙ୍କ ଓକିଲ ଆକାଶ ଭୂୟାଁ କହିଥିଲେ ‘ ଆମେ ଇଡିକୁ ସମ୍ପୂର୍ଣ ସହଯୋଗ କରିଛୁ। ଯାହା ପଚାରିଲେ ସବୁ କହିଚୁ। ଏହା ଏକ ଷଡଯନ୍ତ୍ର। ଆମେ ନ୍ୟାୟ ପାଇବୁ।’