ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପାଇବାରେ ଅକ୍ଷୟ ପରିଜାଙ୍କ ହ୍ୟାଟ୍ରିକ୍

ଭୁବନେଶ୍ବର:  ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ଗ୍ରହଣ କରିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଏହି ପୁରସ୍କାର ପାଇବାରେ ସେ ହ୍ୟାଟ୍ରିକ୍ (ଜୀଅନ୍ତା ଭୂତ, କେହି ନୁହେଁ କାହାରି, ଭିଜା ମାଟିର ସ୍ୱର୍ଗ) ଅର୍ଜନ କରିବା ସହିତ ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ୧୯୭୩ ମସିହାରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇ ଆସୁଥିଲେ ହେଁ ୧୯୮୮ରେ ଶ୍ରେଷ୍ଠ ଚଳଚ୍ଚିତ୍ର ବିଭାଗର ପୁରସ୍କାରକୁ ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ନାମରେ ନାମିତ କରାଯାଇଥିଲା । ଏହା ପରଠାରୁ ଅନ୍ୟ କୌଣସି ପ୍ରଯୋଜକ ୩ ଥର ଏହି ପୁରସ୍କାର ହାସଲ କରି ନଥିବା ବେଳେ ନିର୍ଦ୍ଦେଶନା କ୍ଷେତ୍ରରେ ମନମୋହନ ମହାପାତ୍ର ହ୍ୟାଟ୍ରିକ୍ ସହ ସର୍ବାଧିକ ଚତୁର୍ଥ ଥର ପାଇଁ ଏହି ପୁରସ୍କାର ହାସଲ କରିଛନ୍ତି ।

Related image
twitter.com

ଏହି ସଫଳତା ସମ୍ପର୍କରେ ଅକ୍ଷୟ ପରିଜା କହନ୍ତି, ‘ନିକଟରେ ଲାଗୁ କରାଯାଇଥିବା ଓଡିଶା ସରକାରଙ୍କ ରାଜ୍ୟ ଚଳଚ୍ଚିତ୍ର ନୀତିକୁ ନେଇ ସେ ଯେତିକି ଉତ୍ସାହିତ ସେତିକି ଆଶାବାଦୀ ଅଛନ୍ତି । ବିଭିନ୍ନ ସିନେମା ଶିଳ୍ପ ବା ଆଂଚଳିକ ଚଳଚ୍ଚିତ୍ର କ୍ଷେତ୍ରରେ ଲାଗୁ ହୋଇଥିବା ଚଳଚ୍ଚିତ୍ର ନୀତି ମଧ୍ୟରେ ଏହା ସର୍ବଶ୍ରେଷ୍ଠ ବୋଲି ସେ ଅନୁଭବ କରନ୍ତି । ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣର କେନ୍ଦ୍ର ପାଲଟିବା ସହିତ ଆଗାମୀ ଦିନରେ ଓଡ଼ିଶା ଏକ ଫିଲ୍ମ ପ୍ରଡକ୍ସନ ହବ୍ ହୋଇପାରିବ ବୋଲି ସେ ଦୃଢ ଆଶାବ୍ୟକ୍ତ କରିଛନ୍ତି । ଅକ୍ଷୟ ପରିଜା ପ୍ରଡକ୍ସନ ସବୁବେଳେ ନୂଆ ଏବଂ ଦକ୍ଷ ଚିତ୍ର ନିର୍ମାତାଙ୍କୁ ଗୁଣାତ୍ମକ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ସହାୟତା ଯୋଗାଇଦେବାକୁ ବଦ୍ଧପରିକର । ତେଣୁ ସେମାନଙ୍କ ପାଇଁ ଯଥେଷ୍ଟ ସୁଯୋଗ ରହିଛି। ସେମାନେ ରାଜ୍ୟ ଚଳଚ୍ଚିତ୍ର ନୀତିର ଲାଭ ନେଇ ଉପକୃତ ହେବେ ଏବଂ ଆହୁରି ଅନେକ ଅକ୍ଷୟ ପରିଜା ସୃଷ୍ଟି ହୋଇପାରିବେ ବୋଲି ଆଶାପ୍ରକଟ କରିଛନ୍ତି ।’

ସମ୍ବନ୍ଧିତ ଖବର