ଆଜି ଅକ୍ଷୟ ତୃତୀୟା, ଠପ୍‌ ହେବ ୧୫୦ କୋଟିର ସୁନା କାରବାର

ଜିଲ୍ଲାରେ ରହିଛି ୨୫୦ରୁ ଅଧିକ ସୁନା ଦୋକାନ, ହାତ ବାନ୍ଧି ବସିଛନ୍ତି ହଜାର ହଜାର କର୍ମଚାରୀ

ରାଉରକେଲା: କରୋନା କଟକଣା ପାଇଁ ଆସନ୍ତାକାଲି (ରବିବାର) ଫିକା ପଡିବ ପବିତ୍ର ଅକ୍ଷୟ ତୃତୀୟା। ଯେଉଁଠି ପ୍ରତିବର୍ଷ ଏହି ଦିନରେ ସୁନା ଦୋକାନଗୁଡ଼ିକରେ ବେଶ୍‌ ଗହଳି ଚହଳି ରହେ, ସେସବୁ ସ୍ଥାନ ଖାଁ ଖାଁ ରହିବ। ଲକ୍‌ଡାଉନ୍‌ ପରଠାରୁ ହାତ ବାନ୍ଧି ବସିଥିବା ଶହ ଶହ ସୁନା ବ୍ୟବସାୟୀ ମଧ୍ୟ କ୍ଷତି ସହିବେ। ବର୍ଷକ ଥରେ ବେଶ୍‌ ଦି ପଇସା ରୋଜଗାର ଆଶାରେ ଏହି ଦିନକୁ ଅପେକ୍ଷା କରିଥିବା ସୁନା, ବାସନକୁସନ,ଇଲେକ୍ଟ୍ରୋନିକ୍ସ କାରବାର କରୁଥିବା ବ୍ୟବସାୟୀଙ୍କୁ ନିରାଶ ହେବାକୁ ପଡିବ। କେନ୍ଦ୍ର ସରକାର ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦେବା ପରେ ବ୍ୟବସାୟୀଙ୍କୁ କିଛିଟା ଆଶ୍ବସ୍ତି ମିଳିଥିଲା। ସାମାଜିକ ଦୂରତା ପାଇଁ ରାଜ୍ୟ ସରକାରଙ୍କ ସର୍ତ୍ତ ସେମାନଙ୍କୁ ଦ୍ବନ୍ଦରେ ପକାଇଛି। ଆସନ୍ତାକାଲି (ରବିବାର) ଦୋକାନ ଖୋଲିବାକୁ ଅନୁମତି ମିଳି‌ଲେ ଗତବର୍ଷ ତୁଳନାରେ ଢ଼େର କମ୍‌ ବ୍ୟବସାୟ କରିବେ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ। ସେପଟେ ଗତ ବର୍ଷ ଅକ୍ଷୟ ତୃତୀୟାରେ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୩୧ ହଜାର ୭୦୦ ଟଙ୍କା ଥିଲାବେଳେ ଏବେ ଦର ପହଞ୍ଚିଛି ୪୯ ହଜାରରେ। ଲକ୍‌ଡାଉନ୍‌ ପାଇଁ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢ଼ିଥିବାରୁ ଥିଲାବାଲା ପରିବାର କିଣି ବି ନ ପାରନ୍ତି। ଏଭଳି କଠିନ ସମୟରେ କିଛି ପ୍ରମୁଖ ସୁନା ବ୍ୟବସାୟ ଅନ୍‌ଲାଇନ୍‌ରେ ସୁନା ବିକିବାକୁ ନିଷ୍ପନେଇଛନ୍ତି।

ସାମାଜିକ ଦୂରତା ବଜାୟ ରଖିବାକୁ ବ୍ୟବସାୟୀମାନେ ଆପଣେଇଥିବା ଏଭଳି ତରିକା ଲୋକମାନଙ୍କ ଦ୍ବାରା ଗ୍ରହଣୀୟ ହେବ କି ନାହିଁ ସନ୍ଦେହ। ଯଦି ଜିଲ୍ଲା ପ୍ରଶାସନର ଅନୁମତି ମିଳେ ବ୍ୟବସାୟୀମାନେ କିଛି ରୋଜଗାର କରିବେ ନ ହେଲେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିବ। ଜିଲ୍ଲାରେ ଠପ୍‌ ହୋଇଯିବ ୧୦୦ କୋଟିରୁ ଅଧିକ ଟଙ୍କାର ସୁନା କାରବାର। ଏଥିରେ କେବଳ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡିବ ନାହିଁ ବରଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ କୋଟି କୋଟି ଟଙ୍କାର ରାଜସ୍ବ ହରାଇବେ ନିଶ୍ଚିତ। ଏସବୁ ସୁନା ଦୋକାନରେ କାମ କରୁଥିବା ହଜାର ହଜାର ଶ୍ରମିକ କର୍ମସଂସ୍ଥାନ ହରାଇବେ। ସ୍ମାର୍ଟ ସିଟି ରାଉରକେଲା ସମତେ ସୁନ୍ଦରଗଡ ଜିଲ୍ଲାରେ ଛୋଟ ବଡ ପ୍ରାୟ ୨୫୦ରୁ ଅଧିକ ସୁନା ଦୋକାନ ରହିଛି। ଦୁଇ ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସିଥାଏ ବୋଲି ବିଶ୍ବାସ ରହିଥିବାରୁ ଦୋକାନରେ ଶହ ଶହ ଗ୍ରାହକଙ୍କ ଭିଡ ଜମିଥାଏ। ବଡ ବଡ ସୋ’ରୁମ୍‌ ଦିନକ ପରେ ପ୍ରାୟ ୭୦ରୁ ୮୦ ଲକ୍ଷ ଟଙ୍କାର ବେପାର କରୁଥିଲାବେଳେ ଛୋଟ ଛୋଟ ଦୋକାନୀ ୩ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେପାର କରନ୍ତି। ସକାଳୁ ରାତି ପର୍ଯ୍ୟନ୍ତ ରାଉରକେଲା ମାର୍କେଟ, ଇସ୍ପାତ ମାର୍କେଟ, ଫର୍ଟିଲାଇଜର, ସେକ୍ଟର-୫ ଭିଆଇପି ମାର୍କେଟ, କୋଏଲନଗର ଏନ୍‌ଏସି ମାର୍କେଟ, ସୁନ୍ଦରଗଡ଼ର ରିଜେଣ୍ଟ ମାର୍କେଟ ଗ୍ରାହକଙ୍କ ଭିଡ଼ ଲାଗେ। ସେମାନେ ନିଜ ନିଜ ମନପସନ୍ଦର ସୁନା, ରୁପା, ହୀରା ତିଆରି ଅଳଙ୍କାର ଘରକୁ କିଣି ନିଅନ୍ତି। ଚାହିଦାକୁ ଦୃଷ୍ଟିରେ ରଖି ସୁନା ଦୋକାନୀଙ୍କ ପକ୍ଷରୁ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ସ୍ବତନ୍ତ୍ର ଅଫ୍‌ର ମଧ୍ୟ ରଖିଥାନ୍ତି। ଯାହାର ଭରପୁର ଫାଇଦା ଉଠାଇଥାନ୍ତି ଗ୍ରାହକ। ଦୁଇ ଦିନ ମଧୢରେ ସୁନା ଦୋକାନରେ ରାଉରକେଲାରେ ପାଖାପାଖି ୮୦ କୋଟିରୁ ଅଧିକ ଟଙ୍କାର ସୁନା ଅଳଙ୍କାର ବିକ୍ରି ହୋଇଥାଏ। କେବଳ ରାଉରକେଲା ସହର ନୁହେଁ ସୁନ୍ଦରଗଡ ସହର ସମେତ ବ୍ଲକର ପ୍ରମୁଖ ବଜାରରେ ଏହିପରି ୭୦ କୋଟି ଟଙ୍କାର କାରବାର ହୁଏ। ଗତବର୍ଷ ସହରର ପ୍ରମୁଖ ଜୁଏଲର୍ସଗୁଡ଼ିକ ସ୍ବତନ୍ତ୍ର ଅଫର୍‌ ଘୋଷଣା କରିଥିଲେ। ଉଦିତନର, ରାଉଉରକେଲା ମୁଖ୍ୟମାର୍କେଟ, ଇସ୍ପାତ ମାର୍କେଟ, କୋଏଲନଗର, ପାନପୋଷ, ଫର୍ଟିଲାଇଜର, ବନ୍ଧମୁଣ୍ଡା, ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟ, କଳିଙ୍ଗ ବିହାର, ସେକ୍ଟର-୫ ଭିଆଇପି ମାର୍କେଟ ଆଦିରେ ଥିବା ସୋ’ରୁମ୍‌ ଗୁଡ଼ିକର ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡିବ।

ସମ୍ବନ୍ଧିତ ଖବର