ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ନୀତି ଚୂଡ଼ାନ୍ତ

ଅପରାହ୍ନ ୪ଟାରେ ରଥ ଆଜ୍ଞାମାଳ ବିଜେ, ସନ୍ଧ୍ୟା ସୁଦ୍ଧା ରଥ ଅନୁକୂଳ, ଚାପଖେଳ

ପୁରୀ : ଆସନ୍ତା ମେ ୭ ତାରିଖ ପବିତ୍ର ଅକ୍ଷୟ ତୃତୀୟା। ଘୋଷଯାତ୍ରାର ଆଦ୍ୟ ପର୍ବ କୁହାଯାଉଥିବା ଏହି ଦିନ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଆରମ୍ଭ ହେବ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ। ଅପରାହ୍ନ ୪ଟା ସୁଦ୍ଧା ରଥ ଆଜ୍ଞାମାଳ ବିଜେ ହେବ। ଚନ୍ଦନଯାତ୍ରାକୁ ଦିଅଁ ବିଜେ କରିବେ। ସଂଧ୍ୟା ସୁଦ୍ଧା ରଥ ନିର୍ମାଣ ଆରମ୍ଭ ହେବ ଓ ଦିଅଁ ନରେନ୍ଦ୍ରରେ ଚାପ ଖେଳିବେ ବୋଲି ସମୟ ଧାର୍ଯ୍ୟ ହୋଇଛି।

ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅକ୍ଷୟ ତୃତୀୟା ନୀତି ଚୂଡ଼ାନ୍ତ ହୋଇଛି। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ମଙ୍ଗଳବାର ଭୋର ୩ଟାରେ ଦ୍ବାରଫିଟା ହେବ। ସାଢ଼େ ୩ଟା ସୁଦ୍ଧା ଭିତର ଶୋଧ ‌ହୋଇ ୪ଟାରେ ମଙ୍ଗଳ ଆଳତି ହେବ। ସାଢ଼େ ୫ଟା ସୁଦ୍ଧା ଅବକାଶ ନୀତି ସରିବ। ସକାଳ ସାଢ଼େ ୭ରୁ ୯ଟା ମଧ୍ୟରେ ସକାଳ ଧୂପ, ଦିନ ୧୦ଟାରେ ମଇଲମ ଓ ଯାତ୍ରାଙ୍ଗୀ ମହାସ୍ନାନ ଏବଂ ଦିନ ୧୨ଟାରେ ସର୍ବାଙ୍ଗ ହୋଇ ସାଢ଼େ ୧୨ଟାରେ ବେଶ ଶେଷ ହେବ। ଅପରାହ୍ନ ୨ଟା୩୦ ସୁଦ୍ଧା ମଧ୍ୟାହ୍ନ ଧୂପ ହେବ। ୩ଟାରେ ଦ୍ବାଦଶ ଯାତ୍ରା ବନ୍ଦାପନା ପରେ ସାଢ଼େ ୩ଟାରେ ବିମାନକୁ ଦିଅଁ ବିଜେ କରିବେ। ଅପରାହ୍ନ ୪ଟା ବେଳକୁ ତିନି ଠାକୁରଙ୍କଠାରୁ ତିନି ଆଜ୍ଞାମାଳ ବାହାରି ରଥଖଳା ଅଭିମୁଖେ ଯାତ୍ରା କରିବେ। ସେହି ସମୟରେ ଦିଅଁ ଚାପକ୍ରୀଡ଼ା ପାଇଁ ନରେନ୍ଦ୍ରକୁ ଯାତ୍ରା କରିବେ। ସଂଧ୍ୟା ସୁଦ୍ଧା ରଥ ନିର୍ମାଣକାର୍ଯ୍ୟ ଆରମ୍ଭ ହେବ। ସେପଟେ ନରେନ୍ଦ୍ରରେ ଦିନ ଚାପ ପରେ ରାତି ଚାପ କ୍ରୀଡ଼ା କରିବେ ଠାକୁର। ରାତି ୧୦ଟା ବେଳକୁ ଚନ୍ଦନଯାତ୍ରାରୁ ଦିଅଁ ବଡ଼ ଦେଉଳକୁ ବାହୁଡ଼ିବେ। ଏହାପରେ ଅନ୍ୟାନ୍ୟ ନୀତି ବଢ଼ି ରାତି ୧୨ଟାରେ ବଡ଼ସିଂହାର ଭୋଗ ହେବ ଓ ସାଢ଼େ ୧୨ଟାରେ ରାତ୍ର ପହୁଡ଼ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥି ସହ ନିଳାଦ୍ରୀ ମହୋଦୟ, ନୃସିଂହ ଜନ୍ମ ଓ ଭଉଁରୀ ନୀତି ନିର୍ଘଣ୍ଟ ମଧ୍ୟ ଚୂଡ଼ାନ୍ତ କରାଯାଇଛି। ଏହି ନିର୍ଘଣ୍ଟ ଅନୁଯାୟୀ ନୀତି ସମ୍ପାଦନ କରବାକୁ ପାଳିଆ ସେବାୟତମାନଙ୍କୁ ପ୍ରଶାସନ ଅବଗତ କରାଇଛି। ସୂଚନାଯୋଗ୍ୟ, ନୀତିରେ ବିଳମ୍ବ ହେଲେ ସେବାୟତଙ୍କ ପାଉଣା କାଟିବାକୁ ମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି।

ସମ୍ବନ୍ଧିତ ଖବର