କୁହିକା : ରବିବାର ଦିନ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭଣଜା ଇଂ. ପ୍ରୀତିରଂଜନ ଘଡ଼ାଇଙ୍କ ବିଧାନସଭାକ୍ଷେତ୍ରରେ ଅଖିମୁଠି ଅନୁକୂଳ କରିଛନ୍ତି ମାମୁ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସୁକିନ୍ଦା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଆଜି ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ସୁକିନ୍ଦା ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ରାଜ୍ୟ ସଭାପତି ଭାବେ ଘୋଷଣା ହେବାପରେ ଯାଜପୁର ଜିଲ୍ଲାରେ ଏହା ତାଙ୍କର ପ୍ରଥମ କାର୍ଯ୍ୟକ୍ରମ। ଏବଂ ତାହା ପୁଣି ନିଜ ଭଣଜାଙ୍କ ରାଜନୈତିକ କ୍ଷେତ୍ରରେ।
ସୂଚନା ଅନୁସାରେ, ସୁକିନ୍ଦା ବ୍ଲକ୍ର ପିମ୍ପୁଡ଼ିଆ ପଞ୍ଚାୟତରେ ସଭାପତି ଶ୍ରୀ ସାମଲ ଯୋଗଦେଇ ଆଖିମୁଠି ଅନୁକୂଳ କରିଥିଲେ। ପୂର୍ବାହ୍ନ ୧୦ ଟାରେ ସୁକିନ୍ଦାଠାରୁ ଏକ ବିଶାଳ ମୋଟରସାଇକଲ ଶୋଭାଯାତ୍ରାରେ ଦଳୀୟ କର୍ମୀମାନେ ତାଙ୍କୁ ପାଛୋଟି ନେଇଥିଲେ। ସୁକିନ୍ଦା, ମଙ୍ଗଳପୁର, ଦାମୋଦରପୁର, କୁହିକା, ପିମ୍ପୁଡ଼ିଆ ଆଦି ସ୍ଥାନରେ ଅପେକ୍ଷାରତ ଦଳୀୟ କର୍ମୀମାନେ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ପିମ୍ପୁଡ଼ିଆ ଛକଠାରେ ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ ପରିଚାଳିତ ସଭାରେ ସଭାପତି ଶ୍ରୀ ସାମଲ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଚାଷୀଙ୍କୁ ଉପେକ୍ଷା, ଖଣିଜ ସମ୍ପଦଭରା ଅଞ୍ଚଳରେ ଅପପୁଷ୍ଟି ଓ ଦାଦନ ଦୁଃଖ ଆଦି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ।
ଏହି ସଭାରେ ସମ୍ମାନିତ ଅତିଥି ଭାବେ ସୁକିନ୍ଦା ବିଜେପି ନେତା ଡ. ପ୍ରଦୀପ ବଳସାମନ୍ତ (ଟୁଟୁ ବଳ) ଜିଲ୍ଲା ବିଜେପି ପ୍ରଭାରୀ ସାରଦା ପ୍ରସନ୍ନ ଶତପଥୀ, ବିସ୍ତାରକ ରାଧାମାଧବ ପରିଡ଼ା, ସାଧାରଣ ସମ୍ପାଦକ ସୁଧାଂଶୁ ଭଞ୍ଜ, କୋଷାଧ୍ୟକ୍ଷା ମନ୍ଦାକିନୀ ସେଠୀ, ବିଜେପି ରାଜ୍ୟ ପରିଷଦ ସଭ୍ୟ ପ୍ରଶାନ୍ତ ରାୟ, ବରିଷ୍ଠ ବିଜେପି ନେତା ଅମଳେନ୍ଦୁ ବେହୁରା, ହଳଧର ନାୟକ, ପ୍ରତାପ ଧୀର, ସୁଦୀପ୍ତ ପଣ୍ଡା, ଯାତ୍ରାକାର ଜେନା, ରବୀନ୍ଦ୍ର ମୋହନ ଜେନା, ପିମ୍ପୁଡ଼ିଆ ସରପଞ୍ଚ ତପନ ନାୟକ, କୁହିକା ସରପଞ୍ଚ ଅଶ୍ୱିନୀ ପରିଡ଼ା, ସମିତିସଭ୍ୟ ରଞ୍ଜନ କୁମାର ନାୟକ, ଯୁବନେତା ରବୀନ୍ଦ୍ର ପୁହାଣ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ପ୍ରକାଶ ବେହୁରା ଉପସ୍ଥିତ ଥିଲେ। ଜିଲ୍ଲା ବିଜେପି ଉପସଭାପତି ପୁଷ୍ପକ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।
ଭଣଜା ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ କ୍ଷେତ୍ରରେ ମାମୁ ମନମୋହନ ସାମଲଙ୍କ ଆଖିମୁଠି ଅନୁକୂଳ ପ୍ରସଙ୍ଗକୁ ନେଇ ସୁକିନ୍ଦା ଅଞ୍ଚଳରେ ରୋଚକ ଚର୍ଚ୍ଚା ଜାରିରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/kuhika.jpg)