ପୁରୀ : ସୁପ୍ରିମକୋର୍ଟଙ୍କ ରାୟ ପରେ ଚାଷୀମାନେ ଆଜି ବେଦାନ୍ତ ବିଶ୍ବବିଦ୍ୟାଳୟ ଅଧିଗ୍ରହଣ କରିଥିବା ଜମିରେ ହଳ କରି ଅଖିମୁଠି ଅନୁକୂଳ କରିଛନ୍ତି।

Advertisment

ରବିବାର ସକାଳେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ଆବାହକ ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଏହି ଜମିରେ ନଡ଼ିଆ ଭାଙ୍ଗି ପୂଜାର୍ଚ୍ଚନା କରିବା ସହ ନିଜେ ଅଖିମୁଠି ଅନୁକୂଳ କରିଥିଲେ। ଶ୍ରୀ ରଥଙ୍କ ନେତୃତ୍ବରେ ଶତାଧିକ ଚାଷୀ ହଳ କରିବା ସହ ଅଖିମୁଠି ଅନୁକୂଳ କରିଥିଲେ। ଏହି ଅବସରରେ ବେଲଦଳ ବାତ୍ୟା ଆଶ୍ରୟସ୍ଥଳୀରେ ଏକ ସଭା ଆୟୋଜିତ ହୋଇଥିଲା। ଶ୍ରୀ ରଥ ଉଦ୍‌ବୋଧନ ଦେଇ କହିଥିଲେ, ୧୭ ବର୍ଷର ପରେ ଆମକୁ ନ୍ୟାୟ ମିଳିଛି। କିନ୍ତୁ, ଏହି ୧୭ବର୍ଷରେ ଚାଷୀ ଚାଷ କରି ମଣ୍ଡିରେ ବିକ୍ରି କରିବାକୁ ସକ୍ଷମ ହୋଇନାହିଁ। ଶାଗମାଛ ଦରରେ ଗରିବ ଖଟିଖିଆଙ୍କ ଜମିକୁ ସରକାର ବେଦାନ୍ତ ବିଶ୍ବବିଦ୍ୟାଳୟକୁ ଅର୍ପଣ କରିଦେଇଥିଲେ। ମହାପ୍ରଭୁଙ୍କ ଜମିକୁ ବି ବେଦାନ୍ତକୁ ଟେକି ଦେଇଥିଲେ। ଆଇନତଃ ଆମେ ଜମିର ମାଲିକ। ସୁପ୍ରିମକୋର୍ଟଙ୍କ ରାୟରୁ ଏହା ସ୍ପଷ୍ଟ। ତେଣୁ ଏଥର ଚାଷ କରି ଆମେ ମଣ୍ଡିକୁ ଦେବୁ ବୋଲି କହିଥିଲେ। ଏଥିସହିତ, ସୁପ୍ରିମକୋର୍ଟଙ୍କ ରାୟ ପରେ ସରକାର ମହାପ୍ରଭୁଙ୍କ ଅମୃତମଣୋହି ଜମି ମହାପ୍ରଭୁଙ୍କ ଖାତାକୁ ଓ ଗରିବ ଚାଷୀଙ୍କୁ ସେମାନଙ୍କ ଚାଷ ଜମିର ମାଲିକାନା ସ୍ବତ୍ବ ତୁରନ୍ତ ଫେରାଇବାକୁ ଦାବି କରିଥିଲେ। ସମିତିର ସଭାପତି ଦାମୋଦର ପ୍ରଧାନ କହିଥିଲେ, ସେକ୍ସନ ୨୫ ଅନ୍ତର୍ଗତ ଏକ କମ୍ପାନିକୁ ସରକାର କିଭଳି ଚାଷୀଙ୍କ ଜମିକୁ ଅଳ୍ପ ଦରରେ ବିକ୍ରି କରିଥିଲେ ତା’ର ଜବାବ ଦିଅନ୍ତୁ। ତୁରନ୍ତ ଜମିର ମାଲିକାନା ସ୍ବତ୍ବ ଫେରାଇ ଦିଅନ୍ତୁ। ଏଥିନେଇ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚାଷୀମାନଙ୍କ ପକ୍ଷରୁ ଏକ ଦାବିପତ୍ର ପଠାଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ଶେଷଦେବ ନନ୍ଦ, ଉମା ଚରଣ ପ୍ରଧାନ, ବିଷ୍ଣୁ ପ୍ରସାଦ ମିଶ୍ର, ପର୍ଶୁରାମ ପ୍ରଧାନ, ହର ପ୍ରସାଦ ଜେନା, ମଧୁସୂଦନ ରାଉତରାୟ, ପ୍ରଭାକର ସ୍ୱାଇଁ, ପୂର୍ବତନ ସରପଞ୍ଚ ରମେଶ ପ୍ରଧାନ, କାଳନ୍ଦୀ ପ୍ରଧାନ, ବିଶ୍ୱନାଥ ପ୍ରଧାନ, ଦାମୋଦର ନାୟକ, ବାମନ ଜେନା, କୈଳାସ ସ୍ବାଇଁ, ବୃନ୍ଦାବନ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, କିଶୋର ପ୍ରଧାନ, ଶରତ ପ୍ରଧାନ, ଗଙ୍ଗାଧର ପ୍ରଧାନ, ସ୍ୱାଧୀନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।