କରୋନା ପାଇଁ ଜମିଲାନି ନେତା, ଅଧିକାରୀଙ୍କ ମେଳି: ନିରାଡ଼ମ୍ବର ସହକାରେ ଅଖିମୁଠି ଅନୁକୁଳ କଲେ ଚାଷୀ

ବାଲେଶ୍ବର: ହଳଲଙ୍ଗଳ ଧରି ଅଖିମୁଠି ବୁଣିବାକୁ ଏଥର ନା ନେତା ନା ଅଧିକାରୀ କାହାରି ପାଦ ପଡ଼ିନଥିଲା ଚାଷ ଜମିରେ। ଜିଲ୍ଲାସ୍ତରୀୟ ଉତ୍ସବ ବି ପାଳନ ହେଲାନାହିଁ। କରୋନା କଟକଣା ପାଇଁ କୃଷି ସମୃଦ୍ଧ ଜିଲ୍ଲା ବାଲେଶ୍ବରରେ ଏଥର ଫିକା ପଡ଼ିଯାଇଛି ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ କାର୍ଯ୍ୟକ୍ରମ। ପରମ୍ପରାକୁ ରକ୍ଷା କରିବା ପାଇଁ ପ୍ରତିକୁଳ ପରିସ୍ଥିତିରେ ଚାଷୀମାନେ ହଳଲଙ୍ଗଳ ବୁଲାଇବା ସହ ନିଜ କ୍ଷେତରେ ଅଖିମୁଠି ଅନୁକୁଳ କରିଥିବା ଦେଖାଯାଇଛି।

କରୋନା ସଂକ୍ରମଣ ଦୃଷ୍ଟିରୁ ଚାରିଆଡ଼େ ଏବେ ଲକ୍‌ଡାଉନ୍ କଟକଣା ଜାରି କରାଯାଇଥିଲା। ଚାଷୀମାନେ ନିଜ ନିଜ ଜମିକୁ ଯାଇ ଅଖିମୁଠି ଅନୁକୂଳ କରିପାରିବେ। ପାଗ ଅନୁକୁଳ ହୋଇଥିବାରୁ ଖରିଫ୍‌ ଚାଷ ପାଇଁ କୃଷିକାର୍ଯ୍ୟକୁ କଟକଣାମୁକ୍ତ କରାଯାଇଥିଲା। ବାଲେଶ୍ବର ଜିଲ୍ଲାରେ ଚଳିତବର୍ଷ ୨ଲକ୍ଷ ହେକ୍ଟର ଜମିରେ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସେହି ଅନୁସାରେ ଚାଷୀମାନଙ୍କୁ ଯଥେଷ୍ଟ ପରିମାଣରେ ବିହନ, ସାର, କୃଷିଋଣ ସହିତ ଅମଳ ପୂର୍ବ ଓ ପରବର୍ତ୍ତୀ ସମସ୍ତ ପ୍ରୋତ୍ସାହନ ଯୋଗା‌ଇ ଦେବାରେ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଯଥେଷ୍ଟ ସତର୍କ ହେବାକୁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଥିଲା। ହେଲେ କରୋନା କଟକଣା ପାଇଁ ବାଲେଶ୍ବର ଜିଲ୍ଲା କୃଷି ବିଭାଗ ପକ୍ଷରୁ ଏତେଟା ତତ୍ପରତା ଦେଖିବାକୁ ମିଳିନାହିଁ। ଏପରିକି ଜିଲ୍ଲାସ୍ତରରେ ଚଳିତବର୍ଷ ଚାଷ ସମ୍ପର୍କିତ କୌଣସି ଖସଡ଼ା ମଧ୍ୟ ପ୍ରସ୍ତୁତ ହୋଇନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ‌ନିର୍ବାଚିତ ଲୋକପ୍ରତିନିଧି ଓ ବିଭିନ୍ନ ଦଳର ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଚାଷୀ କ୍ଷେତକୁ ଯାଇ ଖୁବ୍‌ ଆଡ଼ମ୍ବର ସହକାରରେ ଏହାକୁ ପାଳନ କରିଥାନ୍ତି। ନିଜ ସମର୍ଥକ ସାଙ୍ଗରେ ନେଇ ସେଠାରେ ଗହଳି କରିଥାନ୍ତି। ଏହାସହ ହଳଲଙ୍ଗଳ ଧରି କ୍ଷେତରେ ବୁଲି ବୁଲି ଏହି ନେତା ଓ ଅଧିକାରୀମାନେ ବିହନ ବୁଣିଥିବା ମଧ୍ୟ ଦେଖିବାକୁ ମିଳିଥାଏ।

ଆଜି ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ‌ ଅଞ୍ଚଳରେ ପବିତ୍ର ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମ କରୋନା କଟକଣା ପାଇଁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ବିଲରେ ଚାଷୀମାନେ ମେଳି ନକରି ସାମାଜିକ ଦୂରତା ଓ ମୁହଁରେ କପଡ଼ା ଗୁଡ଼ାଇ ଅଖିମୁଠି ଅନୁକୁଳ କରିଥିବା ‌ଦେଖିବାକୁ ମିଳିଥିଲା। ତେବେ ଚଳିତ ବର୍ଷ ବିହନ ଅଭାବ ନେଇ ଚାଷୀକୁଳ ମଧ୍ୟରେ ଆଶଙ୍କା ପ୍ରକାଶ କରିଥିବା ବେଳେ ତୁରନ୍ତ ଠିକ୍‌ ସମୟରେ ସେମାନଙ୍କୁ ବିହନ ଯୋଗା‌ଇ ଦେବାକୁ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର