ଅଖିଳ ନାଏକଙ୍କ ଉପନ୍ୟାସ ‘ଭେଦ’ ମାଲାୟାଲମ ଭାଷାରେ ପ୍ରକାଶିତ

ଭବାନୀପାଟଣା : କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଖିଳ ନାଏକଙ୍କ ଉପନ୍ୟାସ ‘ଭେଦ’ର ମାଲାୟଲମ ଭାଷାରେ ଅନୁବାଦ କରାଯାଇଛି। କେରଳର ଇଂରାଜୀ ଅଧ୍ୟାପକ ତଥା ବିଶିଷ୍ଟ ମାଲାୟଲମ ଲେଖକ ଟି. ପି. ସଜୀଭନ ଓ ସାଗରିକା ଦାଶ ମାଲାୟଲମ ଭାଷାରେ ଅନୁବାଦ କରିଛନ୍ତି। ପ୍ରଖ୍ୟାତ ପ୍ରକାଶନ ସଂସ୍ଥା ମାତୃଭୂମି ଏହି ଉପନ୍ୟାସକୁ ପ୍ରକାଶନ କରିଛି।

ସୂଚନାଯୋଗ୍ୟ ଯେ, ତଥାକଥିତ ଉଚ୍ଚବର୍ଗ ଓ ପୁଞ୍ଜିବାଦ ବିରୋଧରେ ଏକ ଶାଣିତ ସ୍ୱର ହେଉଛି ଭେଦ ଉପନ୍ୟାସ। ତଳ ସ୍ତରର ଲୋକଙ୍କୁ ଶୋଷଣ ହେଉଥିବା କଳାହାଣ୍ଡିର ପୃଷ୍ଠଭୂମିରେ ଏହି ଉପନ୍ୟାସ ଲେଖାଯାଇଛି। ୨୦୧୦ ମସିହାରେ ପଶ୍ଚିମା ପ୍ରକାଶନ ପକ୍ଷରୁ ଅଖିଳ ନାଏକଙ୍କ ଉପନ୍ୟାସ ଭେଦ ପ୍ରକାଶିତ ହୋଇଥିଲା। ୨୦୧୭ ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ଡ. ରାଜକୁମାରଙ୍କ ଦ୍ବାରା ଇଂରାଜୀରେ ଅନୁବାଦ ହୋଇଥିଲା। ଏହି ଇଂରାଜୀ ଅନୁବାଦ ଅକ୍ସଫୋଡ ପ୍ରକାଶନୀ ସଂସ୍ଥା ପକ୍ଷରୁ ପ୍ରକାଶିତ ହୋଇଥିଲା। ଇଂରାଜୀ ଖବରକାଗଜ ଦ ହିନ୍ଦୁ ପକ୍ଷରୁ ୨୦୧୭ ମସିହାରେ ପ୍ରକାଶିତ ଇଂରାଜୀ ଉପନ୍ୟାସମାନଙ୍କ ମଧ୍ୟରେ ଏହି ଭେଦ ଉପନ୍ୟାସ ଶ୍ରେଷ୍ଠ ଦଶଟି ଉପନ୍ୟାସ ମଧ୍ୟରେ ସ୍ଥାନ ପାଇଥିଲା। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ରଏନଗୁଡ଼ାରେ ଜନ୍ମିତ ଲେଖକ ଅଖିଳ ନାଏକ ସମ୍ପ୍ରତି କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଭାବେ ଅଧ୍ୟାପନା କରୁଛନ୍ତି।

ସମ୍ବନ୍ଧିତ ଖବର