ଗୁରୁଡ଼ିଝାଟିଆ : ମହାଶିବରାତ୍ରୀ ଉପଲକ୍ଷେ ଶ୍ରୀ ଶ୍ରୀ ଧବଳେଶ୍ବରଙ୍କ ପୀଠରେ ପ୍ରବଳ ଜନ ସମାଗମ ହୋଇଛି। ଶନିବାର ଭୋର ୪ଟା ସମୟରେ ପହଡ଼ ଫିଟିବା ସହିତ ବାବାଙ୍କର ନୀତିକାନ୍ତି ଆରମ୍ଭ ହୋଇଥିଲା। ବାବାଙ୍କର ସୁନାବେଶ କରାଯାଇ ଦହିବାଟୁ ଭୋଗ ଲାଗି କରାଯାଇଥିଲା। ସଂଧ୍ୟାରେ ବାବାଙ୍କୁ ସ୍ନାନ କରାଯାଇ ଆଳତୀ କରାଯାଇଥିଲା। ତୃତୀୟ ପ୍ରହରରେ ହରିହରଙ୍କ ଭେଟ କରାଯାଇ ମାଣ୍ତୁଅ ଭୋଗ ଲାଗି କରାଯାଇଥିଲା। ବିଳମ୍ବିତ ରାତିରେ ମହାଦୀପ ଉଠିବା ସହ ଶ୍ରୀ ଶ୍ରୀ ଧବଳେଶ୍ବରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ବେଢା ପରିକ୍ରମା କରିଥିଲେ। ମାନସିକଧାରୀ ମାନେ ଶାନ୍ତିଶୃଙ୍ଖଳାର ସହ ଦୀପ ଜାଳି ଉଜାଗର ରହି ବାବାଙ୍କର ଦର୍ଶନ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍‌ ପ୍ରଶାସନ ପକ୍ଷରୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ସହ ୫ ଜଣ ଡିଏସ୍‌ପି, ୫ ଜଣ ଇନସ୍‌ପେକ୍ଟର, ୧୪ଜଣ ଏସ୍‌ଆଇ, ୧୫ଜଣ ଏଏସ୍‌ଆଇ ଓ ୭୪ ଜଣ ହୋମଗାର୍ଡ଼ଙ୍କ ନିୟୋଜିତ ହୋଇଥିବା ସଂପର୍କରେ ଗୁରୁଡ଼ିଝାଟିଆ ଥାନା ଅଧିକାରୀ ରଂଜନ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Advertisment

ଗୋଟିଏ ପଟେ ଝୁଲାପୋଲ ବନ୍ଦ ଓ ଅନ୍ୟପଟେ ସ୍ବାଭାବିକ ଡଙ୍ଗା ଚଳାଚଳ ଉପରେ ପ୍ରଶାସନ କଟକଣା ଜାରି କରିଥିବା ବେଳେ ନଈ ଭିତରେ ଅସ୍ଥାୟୀ ରାସ୍ତା ନିର୍ମାଣ କରି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ଅନେକ ସଧାରଣ ଭକ୍ତ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ପ୍ରଶାସନର ଅଧିକାରୀ ବୋଟ୍‌ ଯୋଗେ ପୀଠକୁ ଯାଇ ଶ୍ରୀ ଧବଳେଶ୍ବରଙ୍କ ଦର୍ଶନ କରିବା ଏବଂ ବୋଟ୍‌ରେ ଗଲା ବେଳେ ନିୟମ ଅନୁଯାୟୀ ଲାଇଫ୍‌ ଜ୍ୟାକେଟ୍‌ ନ ପିନ୍ଧିବା ଘଟଣା ବିବାଦର କାରଣ ହୋଇଛି। ଶ୍ରୀମତୀ ମଲ୍ଲିକଙ୍କ ସହିତ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ଓ ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ ବି ବିନା ଲାଇଫ ଜ୍ୟାକେଟରେ ବୋଟରେ ବସି ପୀଠକୁ ଯିବା ଘଟଣା ଆଜି ଆଲୋଚନାର ପ୍ରସଙ୍ଗ ହୋଇଛି। ଗୋଟିଏ ପଟେ ବୋଟ୍ ଚଳାଚଳ ବନ୍ଦ ଥିବାରୁ ଅନେକ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ପୀଠକୁ ଯିବାରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କର ଏଭଳି ନିୟମ ବର୍ହିଭୂତ ଯାତ୍ରା ଅସନ୍ତୋଷର କାରଣ ହୋଇଛି। ଅନ୍ୟପଟେ ପୀଠକୁ ଯିବା ପାଇଁ ବାଲି ଓ ମୋହରମ୍ ପକାଯାଇ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବା ସହ ଆଲୋକୀକରଣ ଓ ପାନୀୟ ଜଳର ବି ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସେଥିରେ ଯିବା ସମସ୍ତଙ୍କ ପାଇଁ ସହଜ ହୋଇ ନଥିଲା।