ଅଭିନେତା ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ

କଟକ : ଲୋକପ୍ରିୟ ଅଭିନେତା ସ୍ବର୍ଗତ ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତ ଦାସଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ବର ଏମ୍‌ସରେ ପରଲୋକ ଘଟିଛି। ସେ ଯକୃତଜନିତ ରୋଗରେ ପୀଡ଼ିତ ହୋଇ ଏମ୍‌ସରେ ଚିକିତ୍ସାଧିନ ଥିଲେ। ପରଲୋକ ବେଳକୁ ତାଙ୍କୁ ମାତ୍ର ୨୬ବର୍ଷ ‌ହୋଇଥିଲା। ସେ କିଟ୍ ବିଶ୍ବବିଦ୍ୟାଳୟରେ ଗ୍ରାଫିକ୍‌ ଡିଜାଇନ୍ ବିଭାଗର ଛାତ୍ର ଥିଲେ।

ପରଲୋକ ପରେ ତାଙ୍କ ମରଶରୀରକୁ ସିଡିଏ ସେକ୍ଟର-୮ସ୍ଥିତ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଅନ୍ତିମ ଶଯ୍ୟା ନିକଟରେ ବଡ଼ ଭାଇ ଅଭିନେତା ଅମ୍ଲାନ ଦାସ, ଭାଉଜ ଭୂମିଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପରଲୋକ ଖବର ପାଇ ଚଳଚ୍ଚିତ୍ର ନି‌ର୍ଦ୍ଦେଶକ ଅଶୋକ ପତି, ନିର୍ଦ୍ଦେଶକ ରବି ମିଶ୍ର, ପ୍ରଯୋଜକ ଯତୀନ ନାୟକ, ଲେଖକ ଦେବୀଦତ୍ତ ମହାନ୍ତି, ସଞ୍ଜୟ ମହାକୁଡ଼, ଅଭିନେତା ହରିଶ ମହାନ୍ତି, ବିରେନ୍‌ ମିଶ୍ର, ଶକ୍ତି ବରାଳ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବୁଧବାର ସକ‌ାଳେ ସତୀଚଉରା ଶ୍ମଶାନରେ ତାଙ୍କ ଶେ‌ଷକୃତ୍ୟ ସଂପନ୍ନ ହୋଇଥିଲା। ବଡ଼ ଭାଇ ଅମ୍ଲାନ୍ ମୁଖାଗ୍ନି ଦେଇଥିଲେ। ସୂଚନା‌ ଯୋଗ୍ୟ, ଅକ୍ଲାନ୍ତଙ୍କ ମା ସଙ୍ଗୀତା ଦାସଙ୍କର ୧୨ବର୍ଷ ତଳେ ପରଲୋକ ଘଟିଥିବା ବେଳେ ବାପା ଅଭିନେତା ମିହିର ଦାସଙ୍କର ଗତବର୍ଷ ଜାନୁଆରିରେ ପରଲୋକ ଘଟିଛି।

ସମ୍ବନ୍ଧିତ ଖବର